କନକ ବ୍ୟୁରୋ : ରାଜସ୍ଥାନ ବିଧାନସଭା ନିର୍ବାଚନକୁ ନେଇ ସଚିନ ପାଇଲଟ ବଡ ବୟାନ ଦେଇଛନ୍ତି । ସଚିନ କହିଛନ୍ତି, ରାଜସ୍ଥାନରେ କଂଗ୍ରେସ ଏକଜୁଟ୍ ହୋଇ ଲଢିବ ଏବଂ ପୁଣିଥରେ ସରକାର ଗଢିବ । କେବଳ ଏତିକି ନୁହେଁ ୨୦୨୪ରେ ବିଜେପିକୁ ସେତେବେଳେ ଟକ୍କର ଦିଆଯାଇପାରିବ ଯଦି କଂଗ୍ରେସ ରାଜସ୍ଥାନରେ ପୁଣିଥରେ ସରକାର ଗଢିବ ।

Advertisment

ଏକ ଜନସଭାକୁ ସମ୍ବୋଧିତ କରି ସଚିନ୍ କହିଛନ୍ତି କେନ୍ଦ୍ରରେ ସରକାରୀ ଦଳ ଓ ରାଜସ୍ଥାନରେ ବିରୋଧୀ ଦଳ ଭାବେ ବିଜେପି ସମ୍ପୂର୍ଣ୍ଣ ବିଫଳ ହୋଇଛି । ତେଣୁ ଏହାର ଲାଭ କଂଗ୍ରେସକୁ ମିଳିବ । ପୁଣିଥରେ ସରକାର ଗଢିବାକୁ ହେଲେ ଆମକୁ ଏକାଠି ହୋଇ ଲଢିବାକୁ ପଡିବ । ତୃଣମୂଳସ୍ତରର ସାଧାରଣ କର୍ମୀଙ୍କ ଠାରୁ ଆରମ୍ଭ କରି ରାଜ୍ୟର ବଡ ନେତା ସମସ୍ତଙ୍କୁ ଏକାସାଙ୍ଗରେ ଆଗକୁ ବଢିବାକୁ ପଡିବ । ଏହାଦ୍ୱାରା କଂଗ୍ରେସ ଦଳ ଆହୁରି ସୁଦୃଢ ହେବ ଏବଂ ପୁର୍ନବାର ସରକାର ଗଢିବ । ଯଦି ଏହା ସତ ହୁଏ ତେବେ ୩୦ ବର୍ଷର ପୂର୍ବ ପରମ୍ପରା ଭାଙ୍ଗିବ ।

୨୦୧୩ରେ ବିଜେପି ରାଜସ୍ଥାନର ୨୦୦ ଆସନରୁ ୧୬୩ ଆସନରେ ବିଜୟୀ ହୋଇଥିଲା । କଂଗ୍ରେସ ସେତେବେଳେ ସଂଘର୍ଷ କରିଥିଲା । ୫ ବର୍ଷର ସଂଘର୍ଷ ସଫଳ ମଧ୍ୟ ହୋଇଥିଲା ଯେତେବେଳେ କଂଗ୍ରେସ ୨୦୧୮ରେ ପୁଣିଥରେ ସରକାରକୁ ଫେରିଥିଲା । ଏହି ଧାରାକୁ ଚଳିତଥର ବଜାୟ ରଖିବାକୁ ଆହ୍ୱାନ ଦେଇଛନ୍ତି ପାଇଲଟ । କେବଳ ରାଜସ୍ଥାନ ନୁହେଁ ବରଂ ଅନ୍ୟ ରାଜ୍ୟରେ ମଧ୍ୟ କଂଗ୍ରେସ ବେଶ ଭଲ ପ୍ରଦର୍ଶନ କରିବ ବୋଲି କହିଛନ୍ତି ସଚିନ୍ ।