ମୁହଁ ଖୋଲିଲେ ସଚିନ୍ ପାଇଲଟ । କଂଗ୍ରେସରୁ ଜ୍ୟୋତିରାଦିତ୍ୟ ଇସ୍ତଫା ଦେବା ଦୁଃଭାଗ୍ୟପୂର୍ଣ୍ଣ, ବିବାଦର ହୋଇପାରିଥାନ୍ତା ସମାଧାନ । 

1,058

କନକ ବ୍ୟୁରୋ : ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସକୁ ବାଏ ବାଏ କରିଥିବା ବେଳେ ବିଜେପିରେ ସାମିଲ ହୋଇଛନ୍ତି । ଏପରିକି ବିଜେପିରେ ଯୋଗ ଦେବା କ୍ଷଣି କଂଗ୍ରେସ ଓ କମଳନାଥ ସରକାରଙ୍କୁ ଟାର୍ଗେଟ କରିବାକୁ ଭୁଲିନାହାନ୍ତି । ଏଭଳି ସ୍ଥଳେ ଜ୍ୟୋତିରାଦିତ୍ୟଙ୍କ ଘନିଷ୍ଠ ବନ୍ଧୁ କୁହାଯାଉଥିବା ତଥା ରାଜସ୍ଥାନର ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ବଡ ବୟାନ ଦେଇଛନ୍ତି । ଟ୍ୱିଟ୍ କରି ସଚିନ କହିଛନ୍ତି, ଜ୍ୟୋତିରାଦିତ୍ୟ ବିଜେପିକୁ ଯିବା ଦୁଃଭାଗ୍ୟପୂର୍ଣ୍ଣ । ଆପୋଷ ବୁଝାମଣା ଦ୍ୱାରା ଏହି ବିବାଦର ସମାଧାନ କରାଯାଇପାରିଥାନ୍ତା ।

ସେହିଭଳି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି, ସୁବିଧାବାଦୀ ଲୋକ ପ୍ରଥମରୁ ଚାଲି ଯାଇଥିଲେ ଠିକ୍ ହୋଇଥାନ୍ତା । ବିଗତ ୧୭ରୁ ୧୮ ବର୍ଷ ମଧ୍ୟରେ କଂଗ୍ରେସ ଜ୍ୟୋତିରାଦିତ୍ୟଙ୍କୁ ବହୁତ କିଛି ଦେଇଛି । ବିଭିନ୍ନ ପଦରେ ବସାଇଛି, ସାଂସଦ କରିଛି, କେନ୍ଦ୍ରୀୟ ମନ୍ତ୍ରୀ ଭାବେ ଗୁରୁଦାୟିତ୍ୱ ମଧ୍ୟ ଦେଇଛି । ଏମାନଙ୍କୁ ସାଧାରଣ ଜନତା କେବେ କ୍ଷମା ଦେବେ ନାହିଁ ।

ଜ୍ୟୋତିରାଦିତ୍ୟଙ୍କ ଇସ୍ତଫା ନେଇ ପୂର୍ବତନ କେନ୍ଦ୍ରୀୟ ମନ୍ତ୍ରୀ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି, ଲାଭ ଓ କ୍ଷତି ସମସ୍ତଙ୍କ ଜୀବନରେ ଆସିଥାଏ । ଆପଣ ୪ ଥର ସାଂସଦ ରହିଛନ୍ତି । ଏପରିକି ଦଳରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମଧ୍ୟ ଦିଆଯାଇଛି । ତେଣୁ ଦଳ ଛାଡିବା ଉଚିତ ନଥିଲା । କିନ୍ତୁ ଏହାବାଦ୍ ମଧ୍ୟ ସେ କାହା କଥା ଶୁଣିନଥିଲେ ଓ ନିଜର ବ୍ୟକ୍ତିଗତ ଲାଭ ପାଇଁ ଦଳକୁ ପର କରିଥିଲେ । ଖଡଗେ ଏହାମଧ୍ୟ କହିଛନ୍ତି, ଜ୍ୟୋତିରାଦିତ୍ୟ ଦଳ ଛାଡିବା ମୋତେ ମଧ୍ୟ ଖରାପ ଲାଗିଛି । ୩ ଦିନ ପୂର୍ବେ ତାଙ୍କ ସହ କଥାବାର୍ତ୍ତା ହୋଇଥିଲା । ସେତେବେଳେ ମଧ୍ୟ ତାଙ୍କୁ ଦଳ ନ ଛାଡିବାକୁ ପରାମର୍ଶ ଦେଇଥିଲି ।

ସେହିଭଳି ଦିଗବିଜୟ ସିଂ କହିଛନ୍ତି, ଦଳ ତାଙ୍କୁ ରାଜ୍ୟସଭା ଆସନ ପାଇଁ ଅଫର କରିଥିଲା, ଏହାଠାରୁ ଅଧିକ କଣ କରିପାରିଥାନ୍ତା ଦଳ । ଜ୍ୟୋତିରାଦିତ୍ୟ କିଛି ମାସ ହେବ କଂଗ୍ରେସ ଛାଡିବାକୁ ପ୍ରସ୍ତୁତି ଚଳାଇଥିଲେ । ତେବେ କମଳନାଥଙ୍କ ଇସ୍ତଫା ପ୍ରସଙ୍ଗରେ ଦିଗବିଜୟ କହିଛନ୍ତି, ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ଇସ୍ତଫା ଦେବାର ପ୍ରଶ୍ନ ଉଠୁନାହିଁ । ଦଳ ଫ୍ଲୋର ଟେଷ୍ଟ ପାଇଁ ଏବେ ମଧ୍ୟ ପ୍ରସ୍ତୁତ ରହିଛି ।