କନକ ବ୍ୟୁରୋ : ରାଜସ୍ଥାନ ବିଧାନସଭା ନେଇ ରାଜ୍ୟ ରାଜନୀତି ସରଗରମ ଥିବା ବେଳେ ଆଜି କଂଗ୍ରେସ ନେତା ସଚିନ ପାଇଲଟ ଟେଙ୍କ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଛନ୍ତି । ତାଙ୍କ ନାମାଙ୍କନ ସତ୍ୟପାଠରେ ଏମିତି ଏକ ଗୁମର ଖୋଲିଛି ଯାହା ରାଜ୍ୟ ରାଜନୀତିକୁ ଚମକାଇଦେଇଛି । ସତ୍ୟପାଠରେ ସଚିନ ଉଲ୍ଲେଖ କରିଛନ୍ତି କି ସେ ତାଙ୍କ ପତ୍ନୀ ସାରା ପାଇଲଟଙ୍କ ଠାରୁ ଛାଡପତ୍ର ନେଇସାରିଛନ୍ତି ।

Advertisment

ଆପଣଙ୍କୁ କହିରଖୁ କି ୨୦୧୮ ବିଧାନସଭା ନିର୍ବାଚନ ବେଳେ ସଚିନ ପାଇଲଟ ଯେଉଁ ସତ୍ୟପାଠ ଦାଖଲ କରିଥିଲେ ସେଥିରେ ସାରା ତାଙ୍କର ପତ୍ନୀ ବୋଲି ଉଲ୍ଲେଖ କରିଥିଲେ । ଏହାସହ ସତ୍ୟପାଠରେ ସାରାଙ୍କ ସମ୍ପତ୍ତିର ମଧ୍ୟ ହିସାବ ଦେଇଥିଲେ । ହେଲେ ୨୦୨୩ ନାମାଙ୍କନ ସତ୍ୟପାଠରେ ସାରାଙ୍କ ସହ ତାଙ୍କର ଛାଡପତ୍ର ହୋଇଥିବା କଥା ସେ ଉଲ୍ଲେଖ କରିଛନ୍ତି ।

ସଚିନ ପାଇଲଟଙ୍କର ବିବାହ ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବ୍ଦୁଲ୍ଲାଙ୍କ ଝିଅ ତଥା ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମର ଅବ୍ଦୁଲ୍ଲାଙ୍କ ଭଉଣୀ ସାରା ଅବ୍ଦୁଲ୍ଲାଙ୍କ ସହ ୨୦୦୪ ରେ ହୋଇଥିଲା । ସଚିନ ଓ ସାରାଙ୍କର ଦୁଇଟି ପୁଅ ରହିଛନ୍ତି ।

ସଚିନ ଓ ସାରା ଛାଡପତ୍ର ନେଉଥିବା କଥା ପୂର୍ବରୁ ମଧ୍ୟ ଚର୍ଚ୍ଚା ହେଉଥିଲା । ୯ ବର୍ଷ ପୂର୍ବେ ଅର୍ଥାତ ୨୦୧୪ ମସିହାରେ ଏନେଇ ଜୋରଦାର ଚର୍ଚ୍ଚା ହୋଇଥିଲା । ହେଲେ ଉଭୟ ସେତେବେଳେ ଏହାକୁ ଏକ ଗୁଜବ ବୋଲି କହିଥିଲେ ।

ଏହା ବ୍ୟତୀତ ନାମାଙ୍କନ ସତ୍ୟପାଠରେ ସଚିନ ପାଇଲଟଙ୍କ ସମ୍ପତ୍ତି ଗତ ୫ ବର୍ଷ ମଧ୍ୟରେ ଦୁଇଗୁଣା ହୋଇଥିବା ଦର୍ଶାଇଛନ୍ତି । ୨୦୧୮ ନିର୍ବାଚନ ବେଳେ ସଚିନ ଦେଇଥିବା ସତ୍ୟପାଠରେ ତାଙ୍କ ପାଖରେ ମୋଟ ୩.୮ କୋଟି ଟଙ୍କାର ସମ୍ପତ୍ତି ଅଛି ବୋଲି ଦର୍ଶାଇଥିଲେ । ହେଲେ ୨୦୨୩ ବେଳକୁ ତାହା ବୃଦ୍ଧି ପାଇ ୭.୫ କୋଟି ଟଙ୍କାରେ ପହଂଚିଛି ।