ରାଜସ୍ଥାନରେ ରାଜନୈତିକ ସଂକଟ ଜାରି । ଟଳିଲା ସଚିନ ପାଇଲଟଙ୍କ ପ୍ରେସମିଟ୍ । କହିଲେ, ବିଜେପିରେ ଦେବେନି ଯୋଗ

ସେପଟେ ସିଏଲପି ବୈଠକରେ ସାମିଲ ହୋଇନଥିବାରୁ କଂଗ୍ରେସ ଦେଲା କାରଣ ଦର୍ଶାଅ ନୋଟିସ

1,514

କନକ ବ୍ୟୁରୋ: ରୋଚକ ସ୍ଥିତିରେ ରାଜସ୍ଥାନ ରାଜନୀତି । ବିଦ୍ରୋହୀ କଂଗ୍ରେସ ନେତା ସଚିନ୍ ପାଇଲଟ ଏବଂ ତାଙ୍କ ସମର୍ଥିତ ବିଧାୟକଙ୍କୁ ଦଳ ପକ୍ଷରୁ ନୋଟିସ୍ ହୋଇଛି । ଦୁଇ ଦିନ ଧରି ବିଧାୟକ ଦଳ ବୈଠକରେ ସାମିଲ ନହେବାକୁ ନେଇ ଦଳ ତରଫରୁ କରାଯାଇଛି ନୋଟିସ୍ । ବିଧାୟକ ଗଜେନ୍ଦ୍ର ସିଂ ଶେଖାୱତଙ୍କ ଘର କାନ୍ଥରେ ବିଧାନସଭା ସଚିବଙ୍କ ନୋଟିସ୍ ମରାଯାଇଥିବା ଦେଖିବାକୁ ମିଳିଛି । ଆସନ୍ତା ୩ ଦିନ ମଧ୍ୟରେ ସିଏଲପି ବୈଠକରେ ଯୋଗ ଦେଇନଥିବା ବିଧାୟକ ବାଚସ୍ପତିଙ୍କ ନିକଟରେ ନିଜର ଲିଖିତ ଉତର ରଖିବେ । ସିଏଲପି ବୈଠକରେ ସଚିନ ପାଇଲଟଙ୍କୁ ମିଶାଇ ମୋଟ୍ ୧୯ ଜଣ ବିଧାୟକ ଅନୁପସ୍ଥିତ ରହିଥିଲେ ।

ତେବେ ଏମାନଙ୍କର ଉତର ସନ୍ତୋଷ ଜନକ ରହିଲେ ସମସ୍ତଙ୍କୁ ଦଳ ବରଖାସ୍ତ କରିପାରେ ବୋଲି ଦଳୀୟ ସୂତ୍ରରୁ ସୂଚନା ମିଳିଛି । ଗତକାଲି କଂଗ୍ରେସ ହାଇକମାଣ୍ଡ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଯାଇ ରାଜସ୍ଥାନ ପିସିସି ସଭାପତି ଏବଂ ଉପମୁଖ୍ୟମନ୍ତ୍ରୀ ପଦରୁ ସଚିନ ପାଇଲଟଙ୍କୁ ବିଦା କରିଛନ୍ତି । ଏହାରି ମଧ୍ୟରେ ସଚିନ ପାଇଲଟ ମଧ୍ୟ ସ୍ପଷ୍ଟ କରିଛନ୍ତି ସେ କଂଗ୍ରେସ ଛାଡି ବିଜେପିକୁ ଯାଉନାହାନ୍ତି । ଆଜି ଅପରାହ୍ନରେ ଦିଲ୍ଲୀରେ ହେବାକୁ ଥିବା ସଚିନ ପାଇଲଟଙ୍କ ସାଂବାଦିକ ସମ୍ମିଳନୀ ମଧ୍ୟ ବାତିଲ କରିଛନ୍ତି । ସେପଟେ ଦଳର ନେତା ଦାବି କରିଛନ୍ତି ରାଜସ୍ଥାନ ସରକାର ଏବେ ବି ବହୁମତରେ ରହିଛି ।

ତେବେ ପଦଯିବା ପରେ ସଚିନ ପାଇଲଟ ଆଜି ପରବର୍ତୀ ରଣନୀତିର ଖୁଲାସା କରିବେ । ଏବେ ନଜର ପକାନ୍ତୁ କଣ ରହିଛି ପାଇଲଟଙ୍କ ପାଖରେ ବିକଳ୍ପ-

୧- ପ୍ରଥମ ବିକଳ୍ପ ହେଲା କଂଗ୍ରେସରେ ରହି ନିଜର ପ୍ରେସରଗ୍ରୁପ କରିବେ ଓ ଯୁବନେତାଙ୍କୁ ନେଇ ଦଳରେ ନିଜର ସମ୍ମାନ ପାଇଁ ଳଢେଇ କରିବା । ଦଳର ଯୁବନେତା ଜିତିନ ପ୍ରସାଦ, ପ୍ରିୟା ଦତ୍ତ,ଦୀପେନ୍ଦ୍ର ହୁଡ୍ଡା ଓ ମିଲିନ୍ଦ ଦେୱଡାଙ୍କ ଭଳି ନେତା ପାଇଲଟଙ୍କୁ ଦଳରେ ରଖିବା ପାଇଁ ହାଇକମାଣ୍ଡଙ୍କ ଉପରେ ଚାପ ସୃଷ୍ଟି କରୁଛନ୍ତି

୨- କଂଗ୍ରେସରେ ରହିବେ ଓ ନିଜର ସମର୍ଥକ ବିଧାୟକଙ୍କ ସଂଖ୍ୟା ବଢାଇବା ପାଇଁ ଉଦ୍ୟମ କରିପାରନ୍ତି । ଯେଭଳି ଏହି ସଂଖ୍ୟା ୩୦ ଉପରେ ହୋଇପାରିବ । ରାଜସ୍ଥାନରେ ୩୦ରୁ ଅଧିକ ଆସନରେ ପାଇଲଟଙ୍କ ପ୍ରଭାବ ରହିଛିା ଗୁର୍ଜର ବହୁଳ ଆସନରେ ସେ ନିଜ ପ୍ରାର୍ଥୀଙ୍କୁ ଜିତିବାରେ ସକ୍ଷମ ବି ଅଟନ୍ତି ।

୩- କଂଗ୍ରେସରୁ ଅଲଗା ହୋଇ ନିଜର ଅଲଗା ଦଳ କରିପାରନ୍ତି ଓ କଂଗ୍ରେସକୁ ବଡ ଚ୍ୟାଲେଞ୍ଜ ଦେଇପାରନ୍ତି । ରାଜସ୍ଥାନରେ ବିଜେପିର ବିକଳ୍ପ ହେବାକୁ ଉଦ୍ୟମ କରିପାରନ୍ତି ।

୪- ବିଜେପିରେ ମିଶିପାରନ୍ତି । ନିଜର ସମର୍ଥକଙ୍କ ପାଇଁ ମୂଲଚାଲ କରିପାରନ୍ତି । କିନ୍ତୁ ଏଥିରେ ମୁଖ୍ୟ ସମସ୍ୟା ହେଲା, ସଚିନ ପାଇଲଟଙ୍କ ଅଧିକାଂଶ ସମର୍ଥକ ବିଜେପିରେ ମିଶିବାକୁ ଚାହୁଁନାହାନ୍ତି ।

୫- ଗେହଲଟ ସରକାରକୁ ଭାଙ୍ଗିବା ପାଇଁ ସମର୍ଥକ ଯୋଗାଡ କରିବା ଓ ଅପମାନର ବଦଲା ନେବା । ଏହାପରେ ବିଧାୟକ ପଦରୁ ଇସ୍ତଫା ଦେଇ ପୁଣି ନିର୍ବାଚନ ଲଢିପାରନ୍ତି ।