image courtesy - media.newstracklive.com
କନକ ବ୍ୟୁରୋ : ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକର ନୂଆବର୍ଷ ଅବସରରେ ଏକ ପ୍ରେରଣାଦାୟକ ଭିଡିଓ ସେୟାର କରିଥିଲେ । ଏହି ଭିଡିଓରେ ମଡ୍ଡାରାମ କଓ୍ଵାସି ନାମକ ଜଣେ ବାଳକ ଦିବ୍ୟାଙ୍ଗ ହୋଇ ବି କିଭଳି ସୁନ୍ଦର ଭାବେ କ୍ରିକେଟ ଖେଳି ପାରୁଛନ୍ତି ତାହା ଦେଖିବାକୁ ମିଳିଥିଲା ।
ଜାନୁଆରି ୧୮ ତାରିଖ ମଡ୍ଡାରାମଙ୍କ ପାଇଁ ଜୀବନର ସବୁଠାରୁ ସ୍ୱତନ୍ତ୍ର ଦିନ ଥିଲା। ଏହି ଦିନ ତାଙ୍କ ପାଇଁ ଏକ ଅଭୁଲା ସ୍ମୃତି ହୋଇ ରହିଯିବ । କାରଣ ଗତକାଲି ମଡ୍ଡାରାମଙ୍କ ପାଖକୁ ସଚିନ୍ ତେନ୍ଦୁଲକର ଏକ ସ୍ୱତନ୍ତ୍ର ଉପହାର ପଠାଇ ଏଭଳି ଖେଳ ଜାରି ରଖିବା ପାଇଁ କହିଛନ୍ତି ।
ଦିବ୍ୟାଙ୍ଗ ମଡ୍ଡାରାମଙ୍କ କ୍ରିକେଟ ଖେଳୁଥିବା ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ଏହି ଭିଡିଓ ଦେଖିବା ପରେ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ୍ ତେନ୍ଦୁଲକର ବି ଏହି ଭିଡିଓକୁ ସେୟାର କରିଥିଲେ । ତେବେ ରାୟପୁରରେ ହୁଇଲଚ୍ୟାୟାର କ୍ରିକେଟର ଫାଇନାଲ ମ୍ୟାଚ ଖେଳିବାକୁ ୧୨ବର୍ଷର ମଡ୍ଡାରାମ ପହଞ୍ଚିଥିଲେ । ସେଠାରେ ସଚିନ୍ ପଠାଇ ଥିବା ଏକ ସ୍ୱତନ୍ତ୍ର ଉପହାର ପାଇ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।
ସଚିନ୍ ମଡ୍ଡାରାମ୍ଙ୍କ ପାଖକୁ କ୍ରିକେଟ କିଟ ସହିତ ଏକ ଚିଠି ପଠାଇଥିଲେ। ଯେଉଁଥିରେ ତାଙ୍କର ଦସ୍ତଖତ ବି ରହିଥିବା ଦେଖିବାକୁ ମିଳିଥିଲା। ଏହି କ୍ରିକେଟ କିଟ୍କୁ ଦେଖି ମଡ୍ଡାରାମ୍ ଖୁସିରେ କାନ୍ଦି ପକାଇଥିଲେ।
ସଚିନ୍ ପଠାଇଥିବା ଉପହାରକୁ ପାଇ ମଡ୍ଡାରାମ୍ କହନ୍ତି, ‘ଏହା ମୋ ଜୀବନର ଅଭୁଲା ଦିନ ହୋଇ ରହିଯିବ। କାରଣ ଏହି ଦିନ କ୍ରିକେଟର ଭଗବାନଙ୍କ ଠାରୁ ମୋତେ ଏହି ଉପହାର ମିଳିଛି। ପିଲାଟି ଦିନରୁ ମୋର ଦୁଇଟିଯାକ ଗୋଡ଼ ଅଚଳ ସତ୍ତ୍ୱେ କ୍ରିକେଟ ପ୍ରତି ରହିଛି ମୋର ଅହେତୁକ ଦୁର୍ବଳତା । ଏକବର୍ଷ ହେବ ସାଙ୍ଗମାନଙ୍କ ସହ ମୁଁ କ୍ରିକେଟ ଖେଳି ଆସୁଛି। ମୁଁ ଆଣ୍ଠେଇ ଆଣ୍ଠେଇ ରନ୍ ନେଇ ଥାଏ। ମୋର ଦିବ୍ୟାଙ୍ଗତା ମୋତେ ସ୍ୱପ୍ନ ଦେଖାଇବାରୁ ଅଟକାଇ ପାରିବ ନାହିଁ।’
Follow Us