ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ନେଇ ବଢିଲା ବିବାଦ : ନିରପେକ୍ଷତା ଓ ଚୟନକୁ ନେଇ ପ୍ରଶ୍ନ ଉଠାଇଲେ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର

କହିଲେ, ସ୍ୱାନ୍ତ୍ୱନାମୂଳକ ଭାବେ ଛୋଟ ପୁରସ୍କାର ଦେଇ କରାଯାଇଛି କୋଣଠୋସା

153

କନକ ବ୍ୟୁରୋ : ୨୦୧୯-୨୦ ବର୍ଷ ପାଇଁ ଓଡିଆ ଫିଲ୍ମ ପାଇଁ ରାଜ୍ୟ ପୁରସ୍କାର ଘୋଷଣାକୁ ନେଇ ବିବାଦ ସୃଷ୍ଟି ହୋଇଛି । ପୁରସ୍କାରର ନିରପେକ୍ଷତା ଓ ଚୟନକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଶିଷ୍ଟ ଚଳଚିତ୍ର ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର । ସେ କହିଛନ୍ତିଏଭଳି ତାଙ୍କୁ ବିସ୍ମିତ ଓ ଚକିତ କରିଛି । ଗତ ୫ ତାରିଖରେ ଏହି ପୁରସ୍କାର ଘୋଷଣା କରାଯାଇଥିଲା । କାଲିର ଅତୀତ ଓ ଶଳା ବୁଢାର ବଦଲା ଉଭୟ ଜାତୀୟ ପୁରସ୍କାରରେ ସମ୍ମାନିତ ହୋଇଥିଲା । କିନ୍ତୁ ପୁରସ୍କାର ଘୋଷଣାରେ ଶଳା ବୁଢାର ବଦଲାକୁ ଯେତିକି ସମ୍ମାନ ମିଳିବା କଥା ସେତିକି ମିଳିନାହିଁ । ସ୍ୱାନ୍ତ୍ୱନାମୂଳକ ଭାବେ କିଛି ଛୋଟ ପୁରସ୍କାର ଦେଇ ଫିଲ୍ମକୁ କୋଣଠୋସା କରାଯାଇଛି ।

ରାଜ୍ୟ ସରକାରଙ୍କ ଏଭଳି ଚଳଚ୍ଚିତ୍ର ପୁରସ୍କାର ଚୟନ ମୋତେ ବିସ୍ମିତ ଓ ଚକିତ କରିଛି । ‘କାଲିର ଅତୀତ’ ଓ ‘ଶଳା ବୁଢ଼ାର ବଦଲା’ ଉଭୟ ଜାତୀୟ ସମ୍ମାନରେ ସମ୍ମାନିତ ହୋଇଥିଲା । ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ‘କାଲିର ଅତୀତ’କୁ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ଅଭିହିତ କରାଯାଇଛି । ଏହା ମଧ୍ୟ ସ୍ୱାଗତଯୋଗ୍ୟ । ଉଭୟ ଚଳଚ୍ଚିତ୍ର ଜାତୀୟ ପୁରସ୍କାର ପାଇଥିବା‌ ବେଳେ ହୁଏତ ‘କାଲିର ଅତୀତ’ ବିଚାରକ ମଣ୍ଡଳୀକୁ ଅଧିକ ଭଲ ଲାଗି ଥାଇପାରେ । କିନ୍ତୁ ‘ଶଳା ବୁଢ଼ାର ବଦ୍‌ଲା’ ଚଳଚ୍ଚିତ୍ରକୁ ଯେତିକି ସମ୍ମାନ ମିଳିବା କଥା ସେତିକି ମିଳିନାହିଁ । ସାନ୍ତ୍ବନାମୂଳକ ଭାବେ କିଛି ଛୋଟ ‌ଛୋଟ ପୁରସ୍କାର ଦେଇ ଚଳଚ୍ଚିତ୍ରକୁ କୋଣଠେସା କରିଦିଆଯାଇଛି ।

‘ଶଳା ବୁଢ଼ାର ବଦ୍‌ଲା’ ଏକ ଭିନ୍ନ ସ୍ବାଦର ଚଳଚ୍ଚିତ୍ର । ଏହାକୁ ଜଣେ ଯୁବ ପ୍ରଯୋଜକ କୁମାର ସି. ଦେବ ମହାପାତ୍ର ନିର୍ମାଣ କରିଥିଲେ । ଓଡ଼ିଶାର ଯୁବପିଢ଼ି ଅଧିକରୁ ଅଧିକ ଗୁଣାତ୍ମକ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଆଗଭର ହେବା ମୋର ଏକ ସ୍ବପ୍ନ । ଏହି ଚଳଚ୍ଚିତ୍ର ଶେଷ ହେବା ବେଳକୁ ଚଳଚ୍ଚିତ୍ରର ନାୟକ ଅଟଳ ବିହାରୀ ପଣ୍ଡା ପ୍ରାଣତ୍ୟାଗ କରିସାରିଥିଲେ । ଏହାର ଲେଖକ କପିଳେଶ୍ବର ପ୍ରସାଦ ମହାପାତ୍ର ମଧ୍ୟ ଏହି ସମୟରେ ପ୍ରାଣତ୍ୟାଗ କରିଥିଲେ । ଏଣୁ ଏହା ପ୍ରତି ମୋର ଦୁର୍ବଳତା ଭିନ୍ନ ପ୍ରକାର ଥିଲା । ଏହାକୁ ଅଧିକ ଗୁଣାତ୍ମକ କରିବାକୁ ମୁଁ ପ୍ରେରଣା ପାଇଥିଲି । ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ଏହି ଚଳଚ୍ଚିତ୍ର ଗାନ୍ଧୀ ଜୟନ୍ତୀର ୧୫୦ ବର୍ଷ ପୂର୍ତି ଅବସରରେ ନିର୍ମିତ ହୋଇଥିଲା । ଆଦିବାସୀମାନଙ୍କ ଜୀବନଶୈଳୀକୁ ପ୍ରତିଫଳିତ କରୁଥିବା ଏହି ଚଳଚ୍ଚିତ୍ରର କାହାଣୀକୁ ଅଧିକ ଆକର୍ଷଣୀୟ ଓ ବାସ୍ତବିକ ଦେଖାଇବା ପାଇଁ ଚଳଚ୍ଚିତ୍ରରେ ୮ଟି ଗୀତ ରହିଛି । ଆଦିବାସୀମାନଙ୍କ ଜୀବନ ଗୀତ ନାଚରେ ସବୁବେଳେ ପରିପୂର୍ଣ୍ଣ ହୋଇଥିବାରୁ ଚଳଚ୍ଚିତ୍ରରେ ଗୀତ ନାଚ ପ୍ରତି ଅଧିକ ଗୁରୁତ୍ବ ବି ଦିଆଯାଇଛି ।

ଚଳଚ୍ଚିତ୍ର ମୁକ୍ତିଲାଭ କଲା ପରେ ଦର୍ଶକଙ୍କ ଭଲ ପ୍ରତିକ୍ରିୟା ମଧ୍ୟ ମିଳିଥିଲା । ଦୁବାଇରେ ଚଳଚ୍ଚିତ୍ର ପ୍ରଦର୍ଶିତ ହେଉଥିବା ବେଳେ ଦର୍ଶକମାନେ ଠିଆ ହୋଇ କରତାଳି ମଧ୍ୟ ଦେଇଥିଲେ। ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଚଳଚ୍ଚିତ୍ର ଏତେ ପ୍ରଶଂସିତ ହେବା ପରେ ରାଜ୍ୟରେ ତଥା ନିଜ ମାଟିରେ ଚଳଚ୍ଚିତ୍ରକୁ ସମ୍ମାନ ମିଳିବା ନେଇ ବହୁ ଆଶା ରହିଥିଲା । କିନ୍ତୁ ସେମିତି କିଛି ହେଲା ନାହିଁ । ବର୍ତ୍ତମାନ ପରିସ୍ଥିତିରେ ରାଜ୍ୟରେ ଓଡ଼ିଆ ଚଳଚ୍ଚିତ୍ରର ଅଧୋଗତି ହେବାରେ ଲାଗିଛି । ଏଭଳି ପରିସ୍ଥିତିରେ ଯଦି ଭଲ ଚଳଚ୍ଚିତ୍ର ନିର୍ମାଣ କରୁଥିବା ବ୍ୟକ୍ତିବିଶେଷଙ୍କୁ ଉଚିତ ସମ୍ମାନ ନ ମିଳେ; ତେବେ ସେମାନେ ଭଲ ଚଳଚ୍ଚିତ୍ର ନିର୍ମାଣରୁ ନିବୃତ୍ତ ରହିବେ ।