ଲକଡାଉନ ପାଇଁ ଘଟଗାଁ ପହଞ୍ଚି ପାରୁନଥିଲା ମାନସିକ ନଡିଆ । ରାସ୍ତାରେ ଗଡୁଥିଲା, ବସଷ୍ଟାଣ୍ଡରେ ପଚୁଥିଲା । ତାରିଣୀଙ୍କ ପାଖେ ନଡିଆ ଗାଡି ପହଞ୍ଚାଇଲେ ସବ୍ୟସାଚୀ ।

449

କନକ ବ୍ୟୁରୋ: ଯୁଆଡେ ଯାଉଛୁ ଯାଆ ଗାଡି ବାଲା ନଡିଆ ମୋ ନେଇଯିବୁ… ତାରିଣୀ ପାଖକୁ ନଡିଆଟିଏ ପଠାଇଲେ ଭକ୍ତଙ୍କ ମନରେ ଏ ଗୀତଟି ଆପଣାଛାଏଁ ଚାଲିଆସେ । ଛକ ଛକରେ, ବସଷ୍ଟାଣ୍ଡରେ ଭକ୍ତଙ୍କ ଭଳି ଘଟଗାଁ ଯିବାକୁ ଅପେକ୍ଷା କରିଥିବା ନଡିଆକୁ ଦେଖିଲେ ମନକୁ ଛୁଇଁଯାଏ ଏହି ଗୀତଟି । ଆଉ ଗାଡିବାଲାକୁ ଭକ୍ତଟିଏ ନଡିଆ ଦେଇ ମାଆ ତାରିଣୀକୁ କରେ ଦୂରରୁ ଦଣ୍ଡବତ…

ମାଆଙ୍କ ପାଖକୁ ଯାଉଥିବା ସବୁ ନଡିଆ ପଛରେ ଥାଏ ଗୋଟେ ପରିବାରର ଆଶା, ଲୋକଙ୍କ ଭରସା । ସାରା ଓଡିଶାରୁ ମାଆଙ୍କ ପାଖକୁ ନଡିଆ ନେବାରେ ମାଧ୍ୟମ ସାଜନ୍ତି ଗାଡିବାଲା । କିନ୍ତୁ କରୋନା କଟକଣା ପାଇଁ ଯେତେବେଳେ ସବୁକିଛି ବନ୍ଦ ହୋଇଗଲା, ସାରା ରାଜ୍ୟରେ ତାଲା ପଡିଲା । ସେତେବେଳେ ଭକ୍ତ-ଭଗବାନ ମଝିରେ ଗାର ଟଣାହେଲା । ଭକ୍ତଟିଏ ନା ମାଆଙ୍କ ପାଖକୁ ଯାଇପାରିଲା ନା ତାର ନଡିଆ ପହଞ୍ଚିପାରିଲା । ଗାଡିଘୋଡା ବନ୍ଦ ଥିବାରୁ ସବୁ ଛକରେ ମାଆଙ୍କ ନଡିଆ ଲକଡାଉନ ସରିବାକୁ ଅପେକ୍ଷା କରି ରହିଲା ।

କିନ୍ତୁ ଏବେ ଆଉ ଆପଣଙ୍କ ଭାବର ନଡିଆ ଏଣେତେଣେ ପଡିବନି କି ବସଷ୍ଟାଣ୍ଡରେ ଗଡିବନି । ମାଆକୁ ହାତଟେକି ବଢେଇ ଦେଇଥିବା ନଡିଆ ଘଟଗାଁରେ ପହଞ୍ଚିବ, ମାଆ ପାଖରେ ଲାଗିବ । କାରଣ ଭକ୍ତ-ଭଗବାନ ମଝିରେ ଏବେ ସୂତ୍ରଧର ସାଜିଛନ୍ତି ଓଡିଶାର ସୁନାପୁଅ ସବ୍ୟସାଚୀ । ଭକ୍ତଙ୍କ ଭାବାବେଗକୁ ବୁଝି ସେମାନେ ଦେଇଥିବା ନଡିଆକୁ ଘଟଗାଁ ପଠାଇବାର ବ୍ୟବସ୍ଥା କରିଛନ୍ତି ଆଉ ତାଲାବନ୍ଦରେ ପଡି ରହିଥିବା ଭାବର ଶ୍ରୀଫଳକୁ ଟ୍ରକ ଯୋଗେ ତାରିଣୀ ପାଖକୁ ପଠାଇଛନ୍ତି ସବ୍ୟ ।

କଟକଣା ପାଇଁ ଦୀର୍ଘ ୮ ମାସରୁ ଅଧିକ ଦିନ ଧରି ମାନସିକ ନଡିଆ ପଡି ରହିଥିବାରୁ ଅନେକ ନଷ୍ଟ ହୋଇଯାଇଥିବା ବେଳେ ଅନେକ ଗଜା ହୋଇ ଗଛ ପାଲଟି ଗଲାଣି । କିଛି ପଚିଯାଇଥିବାରୁ ଦୁର୍ଗନ୍ଧ ହୋଇ ପରିବେଶ ଦୂଷିତ କରୁଥିଲା । ଯାହା ଦରଦୀ ବନ୍ଧୁ ସବ୍ୟସାଚୀଙ୍କୁ ବ୍ୟଥିତ କରିଥିଲା ଆଉ ସେ କାର୍ତ୍ତିକ ପୂର୍ଣ୍ଣମୀରେ ଏ ସମସ୍ତ ନଡିଆକୁ ଠିକଣା ଜାଗାରେ ପହଞ୍ଚାଇବାକୁ ବ୍ୟବସ୍ଥା କରିଥିଲେ । ଭୁବନେଶ୍ୱରରୁ ଭଗବାନଙ୍କ କାମର ଶୁଭାରମ୍ଭ ହୋଇଥିବା ବେଳେ ବରମୁଣ୍ଡା, ଫାୟାର ଷ୍ଟେସନ, ସିଆରପି ଛକ, ଆଚାର୍ଯ୍ୟବିହାର, ବାଣୀବିହାର ଓ ରସୁଲଗଡରୁ ନଡିଆ ଉଠାଯାଇଥିଲା । ଏମିତିକି କଟକ, ଚଣ୍ଡିଖୋଲ, ପାଣିକୋଇଲି ଛକରୁ ବି ଆଜି ନଡିଆ ଉଠିଥିଲା । ପ୍ରାୟ ୩୦୦ ବସ୍ତା ନଡିଆ ଟ୍ରକ ଯୋଗେ ଘଟଗାଁକୁ ପଠାଯାଇଛି ।

ଲକଡାଉନ ବେଳେ ପ୍ରବାସୀ ଶ୍ରମିକଙ୍କୁ ବିଦେଶରୁ ଆଣି ଜନ୍ମମାଟିରେ ଛାଡିବା ପରେ ଅନେକ ଗରିବ ଗୁରୁବା ଅସହାୟଙ୍କୁ ଅନେକ ସମୟରେ ସାହାଯ୍ୟ କରିଛନ୍ତି ସବ୍ୟ । ଆଉ ଏବେ ଲକଡାଉନ ପରେ ଭକ୍ତଙ୍କ ଭାବ ବୁଝି ଭକ୍ତ-ଭଗବାନ ମଝିରେ ଗୁଣ୍ଡୁଚି ମୁଷାଟିଏ ପରି ସମ୍ପର୍କର ଅଦୃଶ୍ୟ ସେତୁ ବାନ୍ଧିଛନ୍ତି ସବ୍ୟସାଚୀ । ଯାହା ପୁଣି ଥରେ ତାଙ୍କୁ ସାଲ୍ୟୁଟ୍ ମାରିବାକୁ ସୁଯୋଗଟିଏ ଦେଇଛି ।