କଥା ଦେଇ କଥା ରଖିଲେ ଅଭିନେତା । ୬ ହଜାର ଦୀପ କିଣି ବିଦୁ ମାଉସୀଙ୍କ ମୁହଁରେ ହସ ଫୁଟାଇଲେ ଓଲିଉଡ୍ ଅଭିନେତା ସବ୍ୟସାଚୀ ମିଶ୍ର

894

କନକ ବ୍ୟୁରୋ: କଥା ଦେଇ କଥା ରଖିଲେ ଓଲିଉଡ୍ ଅଭିନେତା ସବ୍ୟସାଚୀ ମିଶ୍ର । ବରାଦ ମୁତାବକ ବିଦୁଲତାଙ୍କଠାରୁ ୬ ହଜାର ଦୀପ କିଣି ତାଙ୍କ ମୁହଁରେ ହସ ଫୁଟାଇଛନ୍ତି  ସବ୍ୟ । ଭୁବନେଶ୍ୱର ଉପକଣ୍ଠ ବାଳକାଟିର ବିଦୁଲତାଙ୍କ ସ୍ୱାମୀ ମାଲୁ ମୁଦୁଲି କେନାଲରେ ବୁଡି ପ୍ରାଣ ହରାଇବା ପରେ ବେସାହାରା ହୋଇଯାଇଥିଲା ତାଙ୍କ ପରିବାର । ପାଗଳ ପ୍ରାୟ ହୋଇଯାଇଥିବା ବିଦୁ ମାଉସୀଙ୍କ ଅବସ୍ଥା ଶୁଣିବା ପରେ ଅଭିନେତା ସବ୍ୟସାଚୀ ମିଶ୍ର ଆରମ୍ଭ କରିଥିଲେ ଅଭିଯାନ ।

କିଛି ଅର୍ଥ ଦାନ ଦେଇ ବଦାନ୍ୟତା ଦେଖାଇବା ଅପେକ୍ଷା ତାଙ୍କ ପାରିବାରିକ ବେଉସାକୁ ଆଗକୁ ବଢ଼ାଇବାକୁ ପ୍ରତିଶ୍ରୁତି ଦେଇ କହିଥିଲେ, ଏବେଠାରୁ ଦୀପ ଗଢ଼ିବା ଆରମ୍ଭ କର । ଦୀପାବଳି ପୂର୍ବରୁ ସବୁ ଦୀପ ସେ କଣିନେବେ । ଆଉ ଦେଇଥିବା କଥା ଅନୁସାରେ ବିଦୁ ମାଉସୀ ତିଆରି କରିଥିବା ୬ହଜାର ଦୀପକୁ ସବ୍ୟସାଚୀ କିଣି ନେଇଥିଲେ । ତାପରେ ସେହିସବୁ ଦୀପକୁ ରାଜ୍ୟର ପ୍ରମୁଖ ଦେବ ପୀଠକୁ ପଠାଇଥିଲେ । ଆଗକୁ ମଧ୍ୟ ବିଦୁ ମାଉସୀଙ୍କ ହାତ ଗଢ଼ା ମାଟି ପାତ୍ର ଓ ଅନ୍ୟାନ୍ୟ ସାମଗ୍ରୀର ମାର୍କେଟିଂ କରାଇବେ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।