କନକ ବ୍ୟୁରୋ: ଓଡ଼ିଆ ଚଳଚ୍ଚିତ୍ର ଜଗତର ସୁପରହିଟ ଯୋଡ଼ି ସବ୍ୟସାଚୀ-ଅର୍ଚ୍ଚିତାଙ୍କ ବିବାହ ଅନୁଷ୍ଠିତ ହୋଇଛି । ରିଲ ଲାଇଫରୁ ରିୟଲ୍ ଲାଇଫ ଯୋଡ଼ି ବନିଛନ୍ତି ଅଭିନେତା ସବ୍ୟସାଚୀ ମିଶ୍ର ଏବଂ ଅଭିନେତ୍ରୀ ଅର୍ଚ୍ଚିତା ସାହୁ । ସିନେ-ପରଦାରେ ଦର୍ଶକ ଏହି ଯୋଡ଼ିଙ୍କୁ ବେଶ ପସନ୍ଦ କରିଥିବା ବେଳେ ଏବେ ବାସ୍ତବ ଜୀବନର ଦମ୍ପତି ପାଲଟିଛନ୍ତି ସବ୍ୟ-ଅର୍ଚ୍ଚିତା । ଯଦିଓ ଉଭୟ ନିଜ ବିବାହ ସମ୍ପନ୍ନ ହୋଇଥିବା ନେଇ ସୂଚନା ଦେଇ ନ ଥିଲେ, କିନ୍ତୁ ବିବାହ ଅନୁଷ୍ଠାନର ଫଟୋ ତାହା ସୂଚନା ଦେଇଛି। ରାତି ୯ଟା ବେଳେ ନିଜ ବିବାହ ଫଟୋ ସୋସିଆଲ୍ ମିଡିଆରେ ପୋଷ୍ଟ କରିଛନ୍ତି ସବ୍ୟର୍ଚ୍ଚିତା । ଏହାର ପ୍ରାୟ ୫ ଘଣ୍ଟା ପୂର୍ବେ ନିଜ ଫେସବୁକରେ ଏକ ପୋଷ୍ଟ ସେୟାର କରି ଅର୍ଚ୍ଚିତାଙ୍କ ଉଦ୍ଦେଶ୍ୟରେ ସବ୍ୟ ଲେଖିଛନ୍ତି, ‘‘ଆଜି ଠାରୁ ତମର ସବୁ ସୁଖ, ଦୁଃଖ, ଭଲ, ମନ୍ଦ ମୋର।’’ ପ୍ରଥମେ ସବ୍ୟର୍ଚ୍ଚିତାଙ୍କ ହଳଦୀ ପର୍ବର ଫଟୋ, ତା’ପରେ ବରକନ୍ୟା ଭାବେ ସଜେଇ ହୋଇଥିବାର ଫଟୋ ସୋସିଆଲ୍ ମିଡିଆରେ ପ୍ରକାଶ ପାଇଥିଲା। ଦୁହିଁଙ୍କ ବିବାହ ରାଜସ୍ଥାନର ଏକ ହେରିଟେଜ୍ ହୋଟେଲରେ ହେଉଥିବା ଚର୍ଚ୍ଚା ହେଉଛି।
ବିବାହ ନେଇ ସବ୍ୟସାଚୀ ସୋସିଆଲ୍ ମିଡିଆରେ ପୋଷ୍ଟ କରିଥିବା ବେଳେ ଭଗବାନଙ୍କ ସହ ଲୋକଙ୍କ ଆଶୀର୍ବାଦ ଲୋଡ଼ିଛନ୍ତି । ତେବେ କେବେ, କେଉଁଠି ଓ କେତେବେଳେ ବାହାଘର ସମ୍ପର୍ଣ୍ଣ ହୋଇଛି ତାହାର ସବିଶେଷ ସୂଚନା ଦେଇନାହାନ୍ତି ସବ୍ୟର୍ଚ୍ଚିତା। ଗତକାଲି ପ୍ରିୱେଡିଂ ଫଟୋସୁଟ୍ ଭଳି ପ୍ରତୀୟମାନ ହେଉଥିବା ଫଟୋ ସହ ନୂଆଯାତ୍ରାକୁ ସଫଳ କରିବାକୁ ଲୋକଙ୍କ ଆଶୀର୍ବାଦ ଲୋଡ଼ିଥିଲେ ସବ୍ୟସାଚୀ । ସେ ଟୁଇଟ୍ କରି ଲେଖିଥିଲେ, ‘‘ସୁଖ ଓ ଦୁଃଖର ନାମ ଜୀବନ। ଅନେକ ଥର ଲାଗେ, ସବୁକିଛି ସରିଗଲା। ହେଲେ ଭଗବାନ ସବୁବେଳେ ନିଷ୍ଠୁର ହୁଅନ୍ତି ନାହିଁ। ବୋଧେ ସେଇଥିପାଇଁ ମତେ ଏମିତି ଏକ ଜୀବନସାଥି ମିଲିପାରିଲା। ଆପଣଙ୍କ ଆଶୀର୍ବାଦ ଆଉ ଭଲପାଇବା ଆମର ସବୁ ଯାତ୍ରାକୁ ସଫଳ କରିବ। ଆସନ୍ତାକାଲି ଆମର ବାହାଘର। ଆମପାଇଁ ନିଶ୍ଚୟ ଠାକୁରଙ୍କୁ ଡାକିବେ।’’
ଜୟ ଜଗନ୍ନାଥ 🙏 YOUR BEST WISHES AND LOVE IS WHAT WE WANT TILL THE END OF OUR LIFE! #Sabyarchita@architaworld@sabyaactorpic.twitter.com/gt98vPX43B
— SABYASACHI MISHRA 🇮🇳 (@sabyaactor) March 1, 2021
ତେବେ ଲକଡାଉନ ସମୟରେ ସବ୍ୟସାଚୀଙ୍କୁ ରିଲ ହିରୋରୁ ରିୟଲ୍ ହିରୋ ହେବାର ଦେଖିଛି ଓଡ଼ିଶା । କେବେ ପ୍ରବାସୀ ଓଡ଼ିଆଙ୍କୁ ନିଜ ମାଟିକୁ ଆଣିବା ହେଉ, କେବେ ଘରକୁ ଫେରିବା ବାଟରେ ଅସୁବିଧାର ସମ୍ମୁଖୀନ ହେଉଥିବା ଅସହାୟଙ୍କୁ ସାହାଯ୍ୟର ହାତ ବଢ଼ାଇବା ହେଉ, ପୁଣି ସମସ୍ୟାରେ ଘାଣ୍ଟି ହେଉଥିବା ମଣିଷଙ୍କୁ ସମାଧାନର ରାସ୍ତା ଦେଖାଇବା ହେଉ, ଏମିତି ଅନେକ କାମ କରି ଓଡ଼ିଶାବାସୀଙ୍କ ମନ ଜିଣିଛନ୍ତି ସବ୍ୟସାଚୀ । କରୋନା କାଳରେ ଯେତେବେଳେ ସାରା ଦେଶରେ ତାଲା ପଡିଥିଲା ସେତେବେଳେ ଲୋକଙ୍କୁ ସାହାଯ୍ୟ କରି ହୃଦୟର ହିରୋ ବନିଥିଲେ ସବ୍ୟ । ସେଇଥିପାଇଁ ତ ତାଙ୍କୁ ଓଡ଼ିଶାର ସୋନୁ ସୁଦ ବି କେହି କେହି କହୁଛନ୍ତି । ଖାଲି ସେତିକି ନୁହେଁ, ଲକଡାଉନ ସରିବା ପରେ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ସ୍ତରର ଲୋକଙ୍କୁ ସାହାଯ୍ୟ କରିବାକୁ ତିଳେ ମାତ୍ର କୁଣ୍ଠାବୋଧ କରି ନାହାନ୍ତି । ଦୁଇ ଦିନ ତଳେ ପୁରୀର କୁନି ପଣ୍ଡାଙ୍କ ହାତର ଟ୍ୟୁମରକୁ ଏମ୍ସରେ ଭଲ କରାଇଥିଲେ ସବ୍ୟସାଚୀ । ତେଣୁ ଅଭିନୟ ସହ ସାମାଜିକ କାମରେ ନିଜକୁ ନିୟୋଜିତ କରି ଲୋକଙ୍କ ହୃଦୟ ଜିଣିଥିବା ସବ୍ୟସାଚୀଙ୍କର ଶେଷରେ ହାତଗଣ୍ଠି ପଡ଼ିଛି । ଆଜି ସାତଜନମର ସାଥୀ ହୋଇଛନ୍ତି ସବ୍ୟର୍ଚ୍ଚିତା ।