ମହିଳା କ୍ରାନ୍ତିର ମହାନ କର୍ଣ୍ଣଧାର ସାବିତ୍ରୀ ବାଇ ଫୁଲେଙ୍କର ଆଜି ୧୯୦ ତମ ଜନ୍ମ ବାର୍ଷିକୀ । ଏହି ଅବସରରେ ଆମର ସ୍ୱତନ୍ତ୍ର ଆଲେଖ୍ୟ ‘ମହିଳା କ୍ରାନ୍ତିରେ ଫୁଲେ’ ।

144

କନକ ବ୍ୟୁରୋ: ଭାରତ ଇତିହାସରେ ରହିଛି ଅନେକ କଳଙ୍କିତ ଅଧ୍ୟାୟ । ସେ ସତୀଦାହ ପ୍ରଥା ହେଉ କି କ୍ରୀତଦାସ ପ୍ରଥା । ହେଲେ ସବୁ କଳଙ୍କିତ ପ୍ରଥାରୁ ମାନବ ସମାଜକୁ ଉଦ୍ଧାର କରିବାକୁ କେହି ନା କେହି ମହା ମାନବ ଧରାବତରଣ କରିଛନ୍ତି । ହେଲେ ସେମାନଙ୍କ ମଧ୍ୟରୁ ଟିକେ ସ୍ୱତନ୍ତ୍ର ହେଉଛନ୍ତି ସାବିତ୍ରୀବାଈ ଫୁଲେ । ଯିଏ କି ଏକାଧାରରେ ଦେଶର ପ୍ରଥମ ମହିଳା ଶିକ୍ଷକ, ସମାଜ ସୁଧାରକ ଓ ଆଧୁନିକ ମରାଠୀ କାବ୍ୟର ଅଗ୍ରଦୂତା । ସମାଜ ସଂସ୍କାରରେ ଯାହାର ତ୍ୟାଗ ଓ ବଳିଦାନ କେବେ ବି ଭୂଲିବାର ନୁହେଁ ।

ଅଷ୍ଟାଦଶ ରୁ ଉନବିଂଶ ଶତାବ୍ଦି ମଧ୍ୟରେ ଯେତେବେଳେ ମହାରାଷ୍ଟ୍ରରେ ପେଶୱାଙ୍କ ରାଜୁତି ଚାଲିଥିଲା ସେତେବେଳେ ଶୁଦ୍ର ଓ ନାରୀ ମାନଙ୍କ ପାଇଁ ଅଭିଶପ୍ତ ପାଲଟି ଯାଇଥିଲା ପେଶ୍ୱାରାଜ ଓ ବ୍ରାହ୍ମଣବାଦ । ଶୁଦ୍ରଙ୍କ ଦ୍ୱାରା ଅପବିତ୍ର ହେବା ଭୟରେ ଉଚ୍ଚ ଜାତିର ଲୋକମାନେ ଶୁଦ୍ର ମାନଙ୍କ ବେକରେ ହାଣ୍ଡି ବାନ୍ଧି ଚାଲିବା ଭଳି ଆଦେଶ ଦିଆଯାଉଥିଲା । ଅଶିକ୍ଷା ଓ ଅଜ୍ଞାନତା କାରଣରୁ ଅସବର୍ଣ୍ଣ ସମାଜ ସବର୍ଣ୍ଣ ସମାଜ ପାଖରେ ଗୋଲାମ ହୋଇଯାଇଥିଲା । ଅସବର୍ଣ୍ଣ ମାନଙ୍କୁ ଧର୍ମ, ଜାତି ଦେବା ଦେବୀ ଓ ରୀତିନୀତି ଭଳି ଅନ୍ଧ ବିଶ୍ୱାସ ମଧ୍ୟରେ ଛନ୍ଦି ଦେଇ ସେମାନଙ୍କର ଅଧିକାରକୁ ଚୋରାଇ ନେଉଥିଲେ ତଥା କଥିତ ବ୍ରାହ୍ମଣବାଦୀ ମାନେ ।

ଯେପରି ଶୁଦ୍ର ମାନଙ୍କର ଅଧିକାରକୁ ସବର୍ଣ୍ଣମାନେ କଳ ବଳ କୌଶଳ ଖଟାଇ ଛଡାଇ ନେଇଥିଲେ ସେହିଭଳି ‘ନାରୀ ମାତ୍ରେଣ ଶୂଦ୍ରାଣୀ’ କଥା କହି ନାରୀ ମାନଙ୍କୁ ଶିକ୍ଷାରୁ ବଂଚିତ କରାଯାଉଥିଲା । ଶୂଦ୍ର ସମାଜର ନାରୀ ମାନେ ସ୍କୁଲ ଯିବା ବା ଶିକ୍ଷାଗ୍ରହଣ କରିବା ଏକ ପାପ ବୋଲି ସେମାନଙ୍କୁ ବୁଝାଇ ଦିଆଯାଇଥିଲା । ଏଭଳି ସ୍ଥିତିରେ ଆର୍ବିଭାବ ଘଟିଥିଲା କ୍ରାନ୍ତିକାରୀ ସାବିତ୍ରୀବାଈ ଫୁଲେଙ୍କର ।

୧୮୩୧ ମସିହା ଜାନୁଆରୀ ୩ ତାରିଖରେ ମହାରାଷ୍ଟ୍ରର ସତାରା ଜିଲ୍ଲାର ନାୟଗାଓଁ ଭଳି ଏକ ନିପଟ ମଫସଲ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ସାବିତ୍ରୀବାଈ ଫୁଲେ । ତାଙ୍କ ପିତାଙ୍କ ନାମ ଥିଲା ନେୱସ୍ ପାଟିଲ ଓ ମାତାଙ୍କ ନାମ ଲକ୍ଷ୍ମୀବାଈ ଥିଲା । ସେ ସମୟରେ ରୂଢିବାଦ ବ୍ୟବସ୍ଥାର ପ୍ରଚଳନ ଖୁବ ଜୋରରେ ଚାଲିଥିଲା । ହେଲେ ପିଲାଟି ବେଳୁ ସାବିତ୍ରୀବାଈଙ୍କର ଚିନ୍ତାଧାରାରେ ପ୍ରଗତିଶୀଳତା ଓ ପରିବର୍ତ୍ତନ ଦେଖା ଦେଇଥିଲା । ରକ୍ଷଣଶୀଳତାର ଶିକୁଳିରୁ ମୁକ୍ତ ହେବା ପୁରୁଷ ମାନଙ୍କ ଭଳି ମହିଳା ମାନେ ବି ଶିକ୍ଷିତ ହେବା ଭଳି ଇଚ୍ଛା ତାଙ୍କ ମନରେ ଉଦ୍ରେକ ହୋଇଥିଲା । ଏଭଳି ସାମାଜିକ ପରିବର୍ତ୍ତନ ତାଙ୍କ ମନକୁ ଆନ୍ଦୋଳିତ କରିଥିଲା । ହେଲେ ମାତ୍ର ୯ ବର୍ଷ ବୟସରେ ତାଙ୍କର ବିବାହ ହୋଇଥିଲା । ସେତେବେଳେ ତାଙ୍କର ସ୍ୱାମୀ ବୋଲି ଯାହାଙ୍କୁ ଚିହ୍ନାଇ ଦିଆଗଲା ସେ ବି ମାତ୍ର ୧୩ ବର୍ଷ ବୟସର ଓ ତାଙ୍କ ନାମ ଥିଲା ଜ୍ୟୋତିବା ଫୁଲେ । ପରବର୍ତ୍ତି ସମୟରେ ଜ୍ୟୋତିବା ଫୁଲେ ଦେଶର ଜଣେ ଆଗଧାଡିର ସମାଜ ସୁଧାରକ ଭାବେ ପ୍ରଶିଦ୍ଧି ଲାଭ କରିଥିଲେ । ଏଭଳି ଜଣେ ସ୍ୱାମୀ ପାଇବା ପରେ ସାବିତ୍ରୀଙ୍କ ମନରେ ଯେଉଁ ସଂସ୍କାର ଆନ୍ଦୋଳିତ କରୁଥିଲା ତାହାକୁ ସଫଳ ରୂପଦେବାକୁ ତାଙ୍କୁ ସହଜ ହେଲା ।
୧୮୪୮ ଜାନୁଆରୀ ୧ ରେ ସାବିତ୍ରୀବାଇ ମାତ୍ର ୧୭ ବର୍ଷ ବୟସରେ ସ୍ୱାମୀଙ୍କ ସହ ମିଶି ଭିଡେୱାଡାଠାରେ ବିଭିନ୍ନ ଜାତିର ନଅ ଜଣ ବାଳିକାଙ୍କୁ ନେଇ ପ୍ରଥମ ବାଳିକା ବିଦ୍ୟାଳୟ ସ୍ଥାପନା କଲେ ଓ ନିଜେ ଶିକ୍ଷୟିତ୍ରୀ ରୂପେ ଏହାର ଦାୟିତ୍ୱ ନେଲେ।ରୋଷେଇ, ଘରକରଣା,ପରିବାର ବୃଦ୍ଧି ଯାଏଁ ସୀମିତ ଥିବା ବାଳିକାଙ୍କ ଦାୟିତ୍ୱ ଓ ପ୍ରଥା ପରମ୍ପରାର କଟକଣା ବିଦ୍ୟାଳୟ ଯିବାରେ ବାଧା ଉପୁଜାଉଥିବା ବେଳେ ନିଜ ଲକ୍ଷ୍ୟ ରେ ଅଟଳ ରହି ସାବିତ୍ରୀବାଇ ଘର ଘର ବୁଲି ବାଳିକା ମାନଙ୍କୁ ବିଦ୍ୟାଳୟ ଯିବାପାଇଁ ଡାକୁଥିଲେ। ଏଥିପାଇଁ ତାଙ୍କୁ ଅନେକ ନିନ୍ଦା ଅପବାଦର ଶିକାର ହେବାକୁ ପଡିଲା।ଲୋକେ ବିରୋଧ କରି ତାଙ୍କ ଉପରକୁ ଟେକା ପଥର, ଅଳିଆଆବର୍ଜନା, ଗାଈଗୋବର ଆଦି ଫିଙ୍ଗିବାକୁ ପଛାଇଲେ ନାହିଁ। ଏଭଳି ଭାବେ ବହୁ ଘାତ ପ୍ରତିଘାତ ମଧ୍ୟରେ ଚାଲିଲା ମହିଳା ଶିକ୍ଷା । ଏହା ସହ ସେ ପ୍ରଥମ ବାଳିକା ବିଦ୍ୟାଳୟର ପ୍ରଥମ ଅଧ୍ୟକ୍ଷା ହେଲେ ଓ ସେ ବି ପ୍ରଥମ କିଷାନ ବିଦ୍ୟାଳୟର ସଂସ୍ଥାପିକା ଥିଲେ ।

ଅଶିକ୍ଷା ଓ ନିରକ୍ଷରତାକୁ ଦୂର କରିବା ସହ ସାବିତ୍ରୀବାଇ ଅନେକ ଅଗ୍ରଣୀ କାମରେ ଜୀବନବ୍ୟାପି ଲିପ୍ତ ରହିଥିଲେ।ତାଙ୍କର ସମଗ୍ର ଜୀବନ ସମାଜର ଦଳିତ,ଶୋଷିତ, ନିଷ୍ପେଷିତ ବର୍ଗଙ୍କ ଅଧିକାର ପାଇଁ ସଂଘର୍ଷରେ ବିତିଥିଲା।ଅସ୍ପୃଶ୍ୟତା, ଜାତି ଓ ଲିଙ୍ଗ ଭିତ୍ତିକ ଭେଦଭାବ, ଛୁଆଁଅଛୁଆଁ, ସତୀପ୍ରଥା, ବାଲ୍ୟବିବାହ, ବିଧବା ବିବାହ ନିଷେଧ ପରି କୁରୀତି ଗୁଡିକ ବିରୁଦ୍ଧରେ ଅନେକ କାର୍ୟ୍ୟ ସେ କରିଯାଇଛନ୍ତି।

୧୯୮୩ ରେ ପୁନେ ସିଟି କର୍ପୋରେସନ୍ ସାବିତ୍ରୀବାଇଙ୍କ ସ୍ମୃତିରେ ଏକ ସ୍ମାରକ ତିଆରି କରାଇଲା।ଭାରତୀୟ ଡାକ ୧୯୯୮ ରେ ତାଙ୍କ ସମ୍ମାନରେ ଡାକ ଟିକେଟ ଜାରି କରିଥିଲା।୨୦୧୫ ରେ ପୁନେ ବିଶ୍ୱବିଦ୍ୟାଳୟର ନାମ ବଦଳାଇ ସାବିତ୍ରୀବାଇ ଫୁଲେ ପୁନେ ବିଶ୍ୱବିଦ୍ୟାଳୟ ରଖାଗଲା।୨୦୧୭ ରେ ତାଙ୍କ ସ୍ମୃତିଚାରଣ କରି ସର୍ଚ୍ଚ ଇଞ୍ଜିନ୍ ଗୁଗଲ୍ ୧୮୬ତମ ଜୟନ୍ତୀ ପାଳନ କରିଥିଲା। ଆଜିବି ମହାରାଷ୍ଟ୍ରରେ ମହିଳା ସମାଜ ସୁଧାରିକାଙ୍କୁ ସାବିତ୍ରୀବାଇ ଫୁଲେ ପୁରସ୍କାର ପ୍ରଦାନ କରାଯାଉଛି। ୧୮୯୭ ରେ ପୁଅ ସହ ମିଶି ସାବିତ୍ରୀବାଇ ପ୍ଲେଗ ରୋଗୀଙ୍କ ସେବା କରୁ କରୁ ନିଜେ ଗ୍ରସିତ ହୋଇ ଶେଷରେ ୧୦ ମାର୍ଚ୍ଚରେ ପ୍ରାଣତ୍ୟାଗ କଲେ।