ସ୍ୱାଭିମାନ କି ସମ୍ମାନର କଥା ନୁହେଁ, କର୍ମର ହେଲା ବିଜୟ। ପାଟକୁରାରେ ବାଜି ମାରିବା ପରେ ପ୍ରତିକ୍ରିୟା ରଖିଲେ ସାବିତ୍ରୀ ଅଗ୍ରୱାଲ

189

କନକ ବ୍ୟୁରୋ: ଶେଷରେ ଶେଷ ହୋଇଛି ବହୁ ଚର୍ଚ୍ଚିତ ପାଟକୁରା ଲଢେଇ । ଗତ ୨୦ ତାରିଖରେ ପାଟକୁରା ବିଧାନସଭା ଆସନରେ ପରୀକ୍ଷା ଦେଇଥିବା ପ୍ରାର୍ଥୀଙ୍କର ଆଜି ଆସିଛି ଫଳାଫଳ । ପ୍ରାୟ ୧୭ ହଜାର ୬ ଶହରୁ ଅଧିକ ଭୋଟ୍ ବ୍ୟବଧାନରେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରାଙ୍କୁ ହରାଇ ବାଜି ମାରିଛନ୍ତି ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ । ଆଉ ଏହାସହ ବିଜେପିର ଭେଟରାନ ନେତା ବିଜୟଙ୍କର ବିଧାନସଭା ଫେରିବା ସ୍ୱପ୍ନ ଏକପ୍ରକାର ଧୂଳିସାତ୍ ହୋଇଛି । ତେବେ ପାଟକୁରା ଗଡ ହାତେଇବା ପରେ ବିଜେଡି ଶିବିରରେ ଆରମ୍ଭ ହୋଇଛି ସେଲିବ୍ରେସନ ।

ତେବେ ବିରୋଧୀଙ୍କଠାରୁ ବିପୁଳ ଭୋଟ୍ ବ୍ୟବଧାନରେ ଆଗୁଆ ରହିଥିବା ତଥା ବିଜୟର ଦ୍ୱାରଦେଶରେ ଉପନୀତ ଥିବା ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ ପାଟକୁରା ବିଜୟୀ ପାଇଁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇବା ସହ ଜିତିବାର ଶ୍ରେୟ ପାଟକୁରାବାସୀଙ୍କୁ ଦେଇଛନ୍ତି । ଏଥିସହିତ ସାବିତ୍ରୀ କହିଛନ୍ତି କି, ଦଳର ସୁପ୍ରିମୋ ମୋ ଉପରେ ଯେଉଁ ଆସ୍ଥା ଆଉ ଭରସା ରଖି ଟିକେଟ୍ ଦେଇଥିଲେ ସେହି ଭରସା ଆଉ ବିଶ୍ୱାସକୁ ମୁଁ ଅତୁଟ ରଖିବାକୁ ଚେଷ୍ଟା କରିଛି । ଏବେ ପାଟକୁରାରେ ନିଶ୍ଚୟ ଜିତିବି ବୋଲି ମୋର ପୂରା ଭରସା ଥିଲା । ପାଟକୁରାରେ କୌଣସି ସ୍ୱାଭିମାନ କି ସମ୍ମାନର ଜିତ୍ ହୋଇନି ବରଂ ଏଠି କର୍ମର ବିଜୟ ହୋଇଛି । ଯାହାକୁ ମୁଁ ଦୀର୍ଘ ୧୦ ବର୍ଷ ହେଲା ପାଟକୁରା ପାଇଁ କରିଆସିଥିଲି । ଲୋକେ ଚାହାଁନ୍ତି ତାଙ୍କର ଯିଏ ନେତା ହେବେ ସେ ତାଙ୍କ ସୁଖ ଦୁଃଖରେ ଠିଆ ହେବେ ।

ଏଥିସହିତ ବିଜୟ ପରେ ପାଟକୁରା ବାସୀଙ୍କ ସନ୍ଦେଶ ଦେଇ ସାବିତ୍ରୀ କହିଛନ୍ତି, ମୁଁ ସଂପୂର୍ଣ୍ଣ ରୂପେ ପାଟକୁରାବାସୀଙ୍କର । ଆଉ ପାଟକୁରାବାସୀ ହେଉଛନ୍ତି ମୋର । ତେବେ ପାଟକୁରାରେ ବିଜୟର ବାନା ଉଡାଇବାର ଶ୍ରେୟ ସେ ପାଟକୁରାବାସୀଙ୍କୁ ଦେବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି ସାବିତ୍ରୀ ଅଗ୍ରୱାଲ ।