ଟିକେଟ୍ ପାଇବା ପରେ ସୁପ୍ରିମୋଙ୍କୁ ଧନ୍ୟବାଦ ଜଣାଇଲେ ସାବିତ୍ରୀ । କହିଲେ, ସ୍ୱାମୀଙ୍କ ଅଧୁରା ସ୍ୱପ୍ନ କରିବି ପୂରଣ । 

369

କନକ ବ୍ୟୁରୋ : ମେ ୧୯ ତାରିଖରେ ମହାଲଢେଇ । କୁହାଯାଉଛି ଗତ ବିଜେପୁର ନିର୍ବାଚନ ସମୟରେ, ରାଜ୍ୟରେ ଯେଉଁ ରାଜନୈତିକ ଚିତ୍ର ସାମ୍ନାକୁ ଆସିଥିଲା, ପୁଣି ଥରେ ତା’ର ପୁନରାବୃର୍ତ୍ତି ହେବାକୁ ଯାଉଛି । କାରଣ ଆଜି ରାଜ୍ୟରେ ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ତେଣୁ ନିର୍ବାଚନ ସମୟରେ ପାଟକୁରାରେ ହୁଏତ ତିନି ରାଜନୈତିକ ଦଳର ହେଭିୱେଟ୍ ନେତାଙ୍କ ମେଳି ଲାଗିପାରେ । ଯେଉଁ ଚିତ୍ର ଗତ ବିଜେପୁର ନିର୍ବାଚନ ସମୟରେ ଦେଖିବାକୁ ମିଳିଥିଲା । ପୂର୍ବରୁ ବିଜୟ ମହାପାତ୍ର ଏବଂ ଜୟନ୍ତ ମହାନ୍ତି ମଇଦାନରେ ଥିବା ବେଳେ ଏବେ ବିଜେଡିର ପାଟକୁରା ନାଉରୀ ସାଜିଛନ୍ତି ଦିବଙ୍ଗତ ନେତା ତଥା ପୂର୍ବତନ ବିଧାୟକ ସ୍ୱର୍ଗତ ବେଦ ପ୍ରକାଶ ଅଗ୍ରୱାଲଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲ ।

ଆଉ ସେପଟେ ଟିକେଟ୍ ପାଇବା ପରେ ନବୀନ ନିବାସରେ ସୁପ୍ରିମୋଙ୍କୁ ଭେଟି କୃତଜ୍ଞତା ଜ୍ଞାପନ କରିଛନ୍ତି । ବିଜେଡି ମୁଖିଆ ତାଙ୍କ ଉପରେ ଆସ୍ଥାପ୍ରକଟ କରିଥିବାରୁ ସେ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହା ସହ ନିଜ ପ୍ରତିକ୍ରିୟାରେ ବିଜେଡି ପ୍ରାର୍ଥୀ ସାବିତ୍ରୀ କହିଛନ୍ତି, ସ୍ୱାମୀଙ୍କ ଅଧୁରା କାମ ପୂରଣ କରିବା ପାଇଁ ଚେଷ୍ଟା କରିବି । ଏବଂ ନିର୍ବାଚନରେ ସମସ୍ତେ ସହଯୋଗ କରିବା ପାଇଁ ନିବେଦନ କରିଛନ୍ତି ସାବିତ୍ରୀ ଅଗ୍ରୱାଲ । ପୂବର୍ତନ ବିଧାୟକ ବେଦପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତ ପରେ ପାଟକୁରା ନିର୍ବାଚନକୁ ସ୍ଥଗିତ ରଖିଥିଲେ ନିର୍ବାଚନ କମିଶନ ।

ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ସହ ଲଢ଼ିବେ ସାବିତ୍ରୀ ଅଗ୍ରୱାଲ । ସିଧାସଳଖ ବିଜେପି ସହ ଟକ୍କର ଦେବେ ସାବ୍ରିତୀ । ଗୋଟିଏ ପଟେ ୬-୬ଥର ବିଧାୟକ ହୋଇଥିବା ବେଦପ୍ରକାଶଙ୍କ ପତ୍ନୀ ଅନ୍ୟପଟେ ୪-୪ଥର ବିଧାୟକ ହୋଇଥିବା ବିଜୟ ମହାପାତ୍ର । ଜଣେ କେନ୍ଦ୍ରପଡ଼ା ରାଜନୀତିର ତୁଙ୍ଗ ଚେହେରା, ଅନ୍ୟପଟେ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତାକୁ ପାଥେୟ କରି ନିର୍ବାଚନ ଲଢ଼ିବେ ସାବିତ୍ରୀ । ଓଡ଼ିଶାରେ ସମସ୍ତ ୪ଟି ଯାକ ନିର୍ବାଚନ ଶେଷ ହୋଇଥିବା ବେଳେ ପାଟକୁରାରେ କଡ଼ା ଟକ୍କର ହେବା ନେଇ ସଂଭାବନା ସୃଷ୍ଟି ହୋଇଛି । ପ୍ରାୟ ଦୁଇ ଦଶନ୍ଧୀ ଧରି ବିଜୟ ବିଧାନସଭା ରାଜନୀତିରୁ ଦୂରେଇ ରହିଥିବା ବେଳେ ଚଳିତଥର ନିର୍ବାଚିତ ହୋଇ ବିଧାନସଭା ଆସିବାକୁ ଜୋରଦାର ଉଦ୍ୟମ କରୁଛନ୍ତି । ସେହିପରି ବିଜୟଙ୍କୁ ରୋକିବାକୁ ବିଜେଡି ମଧ୍ୟ ଜୋରଦାର ଉଦ୍ୟମ ଜାରି କରିବ ବୋଲି ଚର୍ଚ୍ଚା ହେଉଛି । ଆଉ ବିଜେଡି ବିଜେପିର ଏହି ପ୍ରତିଦ୍ୱନ୍ଦିତା ଭିତରେ କଂଗ୍ରେସ ପ୍ରାର୍ଥୀ ଜୟନ୍ତ କୁମାର ମହାନ୍ତି ଉଭୟ ପ୍ରତିଦ୍ୱନ୍ଦିଙ୍କୁ ଚକମା ଦେବା ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି ।