ବିଦେଶରେ ମିଳିବ ଓଡିଶାର ଆଦିବାସୀଙ୍କ ସବାଇ ଘାସ ନିର୍ମିତ ସାମଗ୍ରୀ । ଓରମାସ୍ ସହାୟତାରେ ୨୦୦ରୁ ଅଧିକ ପ୍ରକାର ଘର କରଣା ସାମଗ୍ରୀ ତିଆରି କରୁଛନ୍ତି ମୟୂରଭଂଜର କାରିଗର

136

କନକ ବ୍ୟୁରୋ : ସବାଇ ଘାସ ଦେଇଛି ନୂଆ ପରିଚୟ । ଦିନକୁ ଦିନ ହଜିଯାଉଥିବା ଏହି ସବାଇ ଘାସ ବିଦେଶ ମାଟିରେ ଆଦୃତ ଲାଭ କରିବା ପରେ ବ୍ୟବସାୟ ନୂଆ ପନ୍ଥା ମିଳିଛି ମୟୂରଭଞ୍ଜର କାରିଗରଙ୍କୁ । ଏଣିକି ଆମେରିକାରେ ମିଳିବ ସବାଇ ଘାସରୁ ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ । ଆଉ ଏଥିପାଇଁ ଲାଇସେନ୍ସ ବି ମିଳିଛି ।

ବିଦେଶରେ ମନ ଜିଣିବ ମୟୂରଭଞ୍ଜର ସବାଇ ଘାସରୁ ପ୍ରସ୍ତୁତ ସାମଗ୍ରୀ । ଅନ୍ତର୍ଜାତୀୟ ବଜାରରେ ଏଣିକି ଶୋଭାପାଇବ ସବାଇ ଘାସରୁ ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ । ଆଦିବାସୀଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ୍ ସାମଗ୍ରୀ ଏବେ ବିଦେଶରେ ବିକ୍ରି ହେବ । ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲାର ଅଧିବାସୀ ମାନଙ୍କୁ ରୋଜଗାର ଯୋଗାଇଦେବାରେ ଦିର୍ଘଦିନ ଧରି ସବାଇଘାସର ଏକ ଗୁରୁତ୍ୱପୂର୍ଣ୍ଣ ଭୁମିକା ରହିଆସିଛି । ଜିଲ୍ଲାର ଅନେକ ଲୋକ ଏହି ସବାଇଘାସରେ ଦଉଡ଼ି ପ୍ରସ୍ତିତ କରି ହାଟ ବଜାରରେ ବିକ୍ରିକରି ଜାହା ଦୁଇପଇସା ପାଉଥିଲେ ସେତିକିରେ ଦୁଖେ କଷ୍ଟେ ନିଜର ପରିବାର ଚଳାଉଥିଲେ ।

ହେଲେ ମାର୍କେଟ୍କୁ ଏବେ ପ୍ଲାଷ୍ଟିକ୍ ଦୌଡ଼ି ଆସିବାପରେ ସବାଇଘାସର ଚାହିଦା ଦିନକୁ ଦିନ କମିବାକୁ ଲାଗିଥିଲା । କାରଣ ଲୋକମାନଙ୍କ ପାଖରେ ସବାଇ ଘାସରେ ଦଉଡ଼ି ବ୍ୟତିତ ଅନ୍ୟ କୌଣସି ବିକଳ୍ପ ଚିନ୍ତାଧାରା ନଥିଲା । ହେଲେ ଏବେ ସମୟ ବଦଳିଛି । ଓଡ଼ିଶା ଗ୍ରାମିଣ ଏବଂ ମାର୍କେଟିଂ ସୋସାଇଟି (ଓରମାସ୍) ର ସହାୟତାରେ ଏବେ ସବାଇ ଘାସରେ ହସ୍ତକଳା ମାଧ୍ୟମରେ ଘରକରଣା ଠାରୁ ଆରମ୍ଭ କରି ସାଜସଜ୍ଜା ଭଳି ୨୦୦ ରୁ ଅଧିକ ସାମଗ୍ରୀ ପ୍ରସ୍ତୁତ କରାଯାଇପାରୁଛି । ସାରା ଭାରତରେ ଦିନକୁ ଦିନ ଏହାର ଚାହିଦା ବଢ଼ିବାରେ ଲାଗିଥିବାବେଳେ ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ ନିଜର ପରିଚୟ ଶୃଷ୍ଟି କରିପାରିଛି ।

ଓରମାସ୍ ପକ୍ଷରୁ ପ୍ରଥମେ ଜିଲ୍ଲାରୁ ସବାଇ ଘାସରେ ପ୍ରସ୍ତୁତ ୨୨ ଟି ଆଇଟମ୍ର ସାମ୍ପୁଲ ଆକାରରେ ଆମେରିକାର ଫୋ୍ଲରିଡାକୁ ପଠାଯାଇଥିଲା ଏବଂ ସେଠାରେ ସାମ୍ପୁଲ ସମସ୍ତଙ୍କ ମନକୁ ଛୁଇଁବାସହ ଏହାକୁ ନିଜ ମାର୍କେଟ୍ ରେ ବିକ୍ରି କରିବାପାଇଁ ମନ ବଳାଇଛନ୍ତି । ଏବଂ ଆନ୍ତର୍ଜାତୀୟ ବଜାରରେ ସବାଇ ଘାସର ହସ୍ତକଳା ସାମଗ୍ରୀକୁ ବିକ୍ରୀ କରିବା ପାଇଁ “ମୟୂରଭଞ୍ଜ ସବାଇ ଫାରର୍ମାର୍ସ ପ୍ରଡ୍ୟୁସର କୋମ୍ପାନୀ ଲିମିଟେଡ୍” କୁ ଏହାର ଲାଇସେନ୍ସ ମଧ୍ୟ ମିଳିସାରିଛି ।

୨୦୧୨ ମସିହାରେ ଓରମାସ୍ ପକ୍ଷରୁ ଜିଲ୍ଲାର କିଛି ଏସ୍.ଏସ.ଜି ମହିଳାଙ୍କୁ ନେଇ କିଛି ସବାଇ ପ୍ରଡ୍ୟୁସର ଗୃପ୍ ଗଠନ କରାଯାଇଥିଲା ଏବଂ ସେମାନଙ୍କୁ ଟ୍ରେନିଂ ପାଇଁ ଅହମ୍ମଦାବାଦ ପଠାଯାଇଥିଲା । ତାଲିମ ପାଇବା ପରେ ଓରମାସ୍ ପକ୍ଷରୁ ସେମାନଙ୍କୁ ସବୁପ୍ରକାରର ସହାୟତା ଯୋଗାଇ ଦିଆଯିବା ସହ ହାତ ତିଆରି ସାମଗ୍ରି ଗୁଡିକୁ ବିକ୍ରି କରିବା ପାଇଁ ବାରିପଦା ସହରରେ ଥିବା ମୟୂରଶିଳ୍ପ ବୟନିକାରେ ସ୍ୱତନ୍ତ୍ର ଷ୍ଟୋଲ ମଧ୍ୟ କରାଯାଇଛିି ।
ଜିଲ୍ଲାରେ ଏବେ ମୋଟ ୧୯ଟି ସବାଇ ପ୍ରଡ୍ୟୁସର ଗ୍ରୁପ୍ ରହିଥିବା ବେଳେ ଅନେକ ମହିଳା ନିଜର କଳା କୌଶଳ ବଳରେ ସ୍ୱାବଲମ୍ବି ହୋଇପାରିଛନ୍ତି । ସେହିଭଳି ଏକ ସବାଇ ପ୍ରଡ୍ୟୁସର ଗ୍ରୁପ୍ ହେଉଛି ବାରିପଦା “ବ୍ଲକ୍ ଗୋହଲଡିହି ସବାଇ ପ୍ରଡ୍ୟୁସର ଗ୍ରୁପ୍” । ୨୦୧୨ ମସିହାରେ ମାତ୍ର ୨୪ ଜଣ ଏସ୍.ଏସ୍.ଜି ମେମ୍ବର ମିସି ପ୍ରଥମେ ମାତ୍ର ୫୦ ହଜାର ଟଙ୍କାରେ ଆରମ୍ଭ କରିଥିଲେ ଏହି ଗ୍ରୁପ୍ ।

ଆଜିର ଦିନରେ ଏମାନଙ୍କ ସହ ୧୪ ଟି ଏସ୍.ଏସ୍.ଜି ଗ୍ରୁପ୍ର ୧୫୦ରୁ ଅଧିକ ମହିଳା ଏବଂ କିଛି ଶିକ୍ଷିତା ଯୁବତୀ ସାମିଲ ହୋଇ ମାସିକ ସର୍ବନିମ୍ନ ୫ ହଜାରରୁ ୨୦ ହଜାର ଯାଏଁ ରୋଜଗାର କରୁଥିବାବେଳେ ବାର୍ଷିକ ୫୦ ଲକ୍ଷରୁ ଅଧିକ ଟଙ୍କାର ବ୍ୟବସାୟ କରିପାରୁଛନ୍ତି । ଏମାନେ ମୟୂରଭଞ୍ଜ ଫାରର୍ମାରର୍ସ ପ୍ରଡ୍ୟୁସର କମ୍ପାନୀକୁ ସବୁ ପ୍ରକାରର ସାମଗ୍ରି ଦେଇ ମଧ୍ୟ ରାଜ୍ୟ ବାହାରେ ଡେରାଡୁନ୍, ଭୋପାଲ୍, ହାଇଦ୍ରାବାଦ, ଅହମ୍ମଦାବାଦ, ଚେନ୍ନାଇ, ନିୟୁ ଦିଲ୍ଲି ଓ ମୁମ୍ବାଇର ୮ ଟି ସଂସ୍ଥାସହ ବ୍ୟବସାୟ ଜାରି ରଖିଛନ୍ତି । ହେଲେ ଏବେ ସେମାନଙ୍କର ଦୀର୍ଘ ବର୍ଷର ପରିଶ୍ରମ ଆଜି ନୁଆ ରଙ୍ଗ ନେଇଛି । କାହିଁକିନା ଏମାନଙ୍କ ହାତର ଜାଦୁ ଏବେ ବିଦେଶରେ ତାର ଛାପ ଶୃଷ୍ଟି କରିଛି । ତେଣୁ ଏ ନେଇ ଏମାନଙ୍କ ଖୁସି କହିଲେ ନସରେ ।

ଆଗକୁ ୟୁକେ ଏବଂ କାନାଡାରେ ମଧ୍ୟ ଏହି ବ୍ୟବସାୟ ଆରମ୍ଭ କରିଯିବାନେଇ ଚେଷ୍ଟା ଜାରି ରଖିବାସହ ଖୁବ୍ ଶିଘ୍ର ଏହି ଦୁଇଟି ଦେଶକୁ ସବାଇ ହେଣ୍ଡିକ୍ରାଫ୍ଟର ସାମ୍ପୁଲ ପଠାଇବାପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଓରମାସ୍ ।