ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ରଣହୁଙ୍କାର, ଆମେ ଜିତିବୁ ତୃତୀୟ ଟେଷ୍ଟ । ମ୍ୟାଚ୍ ପୂର୍ବରୁ ଭାରତ ପାଇଁ ଆସିଲା ଖୁସି ଖବର ।

291

କନକ ବ୍ୟୁରୋ : ମଙ୍ଗଳବାର ଠାରୁ କେପଟାଉନରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ତଥା ନିର୍ଣ୍ଣାୟକ ଟେଷ୍ଟ ମ୍ୟାଚ୍ ଖେଳାଯିବ । ଏହି ମ୍ୟାଚ୍ ଜିତି ସିରିଜ କବଜା କରିବା ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବେ ଉଭୟ ଟିମ୍ । କାରଣ ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା ଗୋଟିଏ ଲେଖାଏଁ ମ୍ୟାଚରେ ବିଜୟୀ ହୋଇଛନ୍ତି । ତେଣୁ ତୃତୀୟ ମ୍ୟାଚ୍ ଉପରେ ସମସ୍ତଙ୍କର ନଜର ରହିଛି । ତୃତୀୟ ଟେଷ୍ଟ ପୂର୍ବରୁ ଭାରତ ପାଇଁ ଖୁସି ଖବର ଆସିଛି । ଅଧିନାୟକ ବିରାଟ କୋହଲି ସମ୍ପୂର୍ଣ୍ଣ ଫିଟ୍ ହୋଇଛନ୍ତି । ତେଣୁ ମଙ୍ଗଳବାର ମ୍ୟାଚରେ ବିରାଟଙ୍କ ନେତୃତ୍ୱରେ ମୈଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ତେବେ ଏହି ମ୍ୟାଚ୍ ପୂର୍ବରୁ ଦକ୍ଷିଣ ଆଫ୍ରିକାର ଅଧିନାୟକ ଡିନ୍ ଏଲଗର ଟିମ୍ ଇଣ୍ଡିଆକୁ ଚେତାବନୀ ଦେଇଛନ୍ତି । ଏଲଗର କହିଛନ୍ତି, କେପଟାଉନରେ ଖେଳିବାକୁ ଟିମ୍ ଇଣ୍ଡିଆ ପ୍ରସ୍ତୁତ ହୋଇ ଆସିବା ଆବଶ୍ୟକ । କାରଣ ଏଠାରେ ବଲ ଅଧିକ ଗତି ସହ ବାଉନ୍ସ ହେବ ।

ଏଲଗର କହିଛନ୍ତି, ତୃତୀୟ ଟେଷ୍ଟ ଆମ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ଦ୍ୱିତୀୟ ଟେଷ୍ଟ ଭଳି ଯଦି ଆମେ ଖେଳ ଜାରି ରଖିବୁ ତେବେ ତୃତୀୟ ଟେଷ୍ଟ ମ୍ୟାଚରେ ମଧ୍ୟ ବିଜୟୀ ହେବୁ । କେପଟାଉନରେ ପେସ୍ ବାହିନୀ ଆମର ସବୁଠୁ ବଡ ଅସ୍ତ୍ର ସାଜିବ । ବ୍ୟକ୍ତିଗତ ରେକର୍ଡ ବଦଳରେ ଟିମର ବିଜୟରେ ଯୋଗଦାନ ଦେବା ସବୁଠୁ ବଡ ଉପଲବ୍ଧି । ଦ୍ୱିତୀୟ ଟେଷ୍ଟ ଭଳି ଶେଷ ଟେଷ୍ଟ ମ୍ୟାଚରେ ମଧ୍ୟ ସେଭଳି ଇନିଂସ ଖେଳିବାକୁ ଦୃଢ ଆଶାବାଦୀ ଅଛନ୍ତି ଏଲଗର ।

କେପଟାଉନର ନ୍ୟୁଲ୍ୟାଣ୍ଡସ ମୈଦାନ ପେସ୍ ବୋଲରଙ୍କୁ ବେଶ ସୁହାଇବ । ତେଣୁ ଶେଷ ଟେଷ୍ଟ ମ୍ୟାଚରେ ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର ନିଶ୍ଚୟ ଭାରତୀୟ ଖେଳାଳୀଙ୍କୁ ବୋଲିଂରେ ନାକେଦମ କରାଇବେ । ସେହିଭଳି ଦକ୍ଷିଣ ଆଫ୍ରିକାର ବ୍ୟାଟରଙ୍କୁ ମଧ୍ୟ ସାମି ଓ ବୁମରାହଙ୍କୁ ସର୍ତକତାର ସହ ଖେଳିବାକୁ ପଡିବ । କାରଣ ଏବେ ଭାରତର ଶ୍ରେଷ୍ଠ ଦ୍ରୁତ ବୋଲର ତାଲିକାରେ ରହିଛନ୍ତି ଏହି ଦୁଇ ଜଣ ।

ଭାରତ ଏଯାବତ୍ କେପଟାଉନରେ ୫ଟି ଟେଷ୍ଟ ମ୍ୟାଚ୍ ଖେଳିଥିବା ବେଳେ ଗୋଟିଏ ହେଲେ ବିଜୟ ହାସଲ କରିପାରିନାହିଁ । ୩ଟି ମୁକାବିଲାରେ ଭାରତ ପରାଜିତ ହୋଇଥିବା ବେଳେ ୨ଟି ମୁକାବିଲା ଡ୍ର ରହିଛି । ତେଣୁ କେପଟାଉନରେ କିଛି କରିସ୍ମା କରିବାକୁ ହେଲେ କୋହଲିଙ୍କ ଠାରୁ ବଡ ଇନିଂସରୁ ଆଶା କରିବ ଟିମ୍ ଇଣ୍ଡିଆ ।