କନକ ବ୍ୟୁରୋ : କଟକ ଏସସିବି ମେଡିକାଲ ଆଇସିୟୁରେ ୨୪ ଘଣ୍ଟା ବାଜିବ ଭଜନ । ବିଶେଷକରି ଭିକାରୀବଳଙ୍କ ଜଗନ୍ନାଥ ଭଜନ ଉପରେ ଗୁରୁତ୍ୱ ଦିଆଯିବ । ଏସସିବି ମେଡିକାଲ ପ୍ରଶାସନ ପକ୍ଷରୁ ଏଭଳି ଏକ ନିଷ୍ପତ୍ତି ନିଆଯାଇଛି । ଭଜନ ବାଜିବା ଫଳରେ ଏହା ଆଇସିୟୁ ଭିତରେ ଆଧ୍ୟତ୍ମିକ ପରିବେଶ ସୃଷ୍ଟି କରିବା ସହ ରୋଗୀ ଓ କର୍ମଚାରୀଙ୍କ ଉପରେ ଏହାର ସକରାତ୍ମକ ପ୍ରଭାବ ପଡ଼ିବ ବୋଲି କୁହଯାଇଛି । ଅନେକ ରୋଗୀଙ୍କୁ ମ୍ୟୁଜିକ ଥେରାପି କାମ କରେ ବୋଲି ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।
ଟେଣ୍ଡର ଜରିଆରେ ଏକ ଘରୋଇ ସଂସ୍ଥାକୁ ଏହି ଦାୟିତ୍ୱ ଦିଆଯିବ । ଏସସିବି ବଡ଼ ମେଡିକାଲରେ ମୋଟ ୨୧୩ଟି ଆଇସିୟୁ ବେଡ୍ ରହିଛି । ସବୁ ବେଡ୍ରେ ଏହି ସୁବିଧା ଉପଲବ୍ଧ ହେବ । ଆଇସିୟୁ ବାହାରେ ମେଡିକାଲ ପରିସରରେ ମଧ୍ୟ ସଚେତନତା ପାଇଁ ଏକ ସାଉଣ୍ଡ ସିଷ୍ଟମ କାର୍ଯ୍ୟକାରୀ କରାଯିବ । ଏହି ସାଉଣ୍ଡ ସିଷ୍ଟମ ଜରିଆରେ ସଚେତନତା ଓ କଟକଣା ସମ୍ପର୍କରେ ସୂଚନା ଦିଆଯିବ ।