ନୂଆ ଯୋଜନା ମାଧ୍ୟମରେ ସଂପର୍କର ସେତୁ ବାନ୍ଧିବେ କି କେସିଆର? ନୂଆ ଫର୍ମୁଲାକୁ ନେଇ ଚର୍ଚ୍ଚା ଜୋର୍ । କଣ ରହିଛି ବିଜେଡିର ଆଭିମୁଖ୍ୟ?
କନକ ବ୍ୟୁରୋ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଆଜି କୃଷକଙ୍କ କଲ୍ୟାଣ ପାଇଁ “ରୟତ-ବନ୍ଧୁ’ ନାଁରେ ବଡ଼ ଯୋଜନାର ଶୁଭାରମ୍ଭ କରିବା ସହ ଜାତୀୟ ସ୍ତରରେ ଏକ ସଂଘୀୟ ସାମ୍ମୁଖ୍ୟ ଗଢ଼ିବା ନେଇ ଉଦ୍ୟମ ଆରମ୍ଭ କରିଛନ୍ତି । ଏଥିରେ ଦେଶର ପ୍ରମୁଖ ଆଂଚଳିକ ଦଳର ମୁଖ୍ୟଙ୍କୁ ସାମିଲ କରି ଏକ ଅଣ-କଂଗ୍ରେସ ଓ ଅଣ-ବିଜେପି ମେଂଟ ଗଢ଼ିବାକୁ ସେ ଉଦ୍ୟମ କରୁଥିବା ଚର୍ଚ୍ଚା ହେଉଛି । ଏହି କ୍ରମରେ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପଶ୍ଚିମବଂଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରମୁଖଙ୍କୁ ଡାକିଥିବା ବେଳେ ନିକଟରେ ସମାଜବାଦୀ ପାର୍ଟିର ମୁଖ୍ୟ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ, କେସିଆରଙ୍କୁ ହାଇଦ୍ରବାଦରେ ଭେଟି ଏନେଇ ବିସୃତ ଆଲୋଚନା କରିଥିଲେ ।
ଏହାପୂର୍ବରୁ ସେ ଡିଏମ ମୁଖ୍ୟ କରୁଣାନିଧିଙ୍କୁ ମଧ୍ୟ ଚେନ୍ନାଇରେ ଭେଟି ଏ ନେଇ ଆଲୋଚନା କରିଥିଲେ । ପୂର୍ବରୁ ସେ ଜେଡିଏସ୍ ମୁଖ୍ୟ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ ଡି ଦେବେଗୌଡ଼ା ଓ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କୁ ମଧ୍ୟ ଏ ନେଇ ସାକ୍ଷାତ କରିଥିଲେ । ଚଳିତ ମାସରେ କେସିଆର ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆଲୋଚନା କରିବା ସହ ପୁରୀ ଯିବାର କାର୍ଯ୍ୟକ୍ରମ ରହିଛି ।
ତେବେ ଓଡ଼ିଶା ସରକାରଙ୍କୁ ଆଜି ପାଇଁ ନିମନ୍ତ୍ରଣ ଆସିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କୁ ଏଥିନେଇ ବ୍ୟକ୍ତିଗତ ନିମନ୍ତ୍ରଣ ଆସିନାହିଁ ବୋଲି କହିଛନ୍ତି ବିଜେଡିର ରାଜ୍ୟସଭା ସାଂସଦ ତଥା ମୁଖପାତ୍ର ପ୍ରତାପ ଦେବ । ଅନ୍ୟପଟରେ ଏହା ମୋଦିଙ୍କୁ ସହାୟକ ହେବା ଭଳି ଏକ ମେଂଟ ହେବାକୁ ଯାଉଥିବା ସନ୍ଦେହ ପ୍ରକାଶ କରିଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ ।
Comments are closed.