କନକ ବ୍ୟୁରୋ : ସଂସଦର ସ୍ୱତନ୍ତ୍ର ଅଧିବେଶନରେ ଆସିପାରେ ମହିଳା ସଂରକ୍ଷିଣ ବିଲ୍ । ୩୩ ପ୍ରତିଶତ ମହିଳା ସଂରକ୍ଷଣ ନେଇ ଦୀର୍ଘ ଦିନ ଧରି ଆଲୋଚନା ହେଉଛି । ଏବେ ନିର୍ବାଚନ ପୂର୍ବରୁ ମହିଳା ଭୋଟ୍ ବ୍ୟାଙ୍କ ବଢାଇବାକୁ ଲକ୍ଷ୍ୟ ରଖି ସ୍ୱତନ୍ତ୍ର ଅଧିବେଶନରେ ସରକାର ଆଗତ କରିପାରନ୍ତି ମହିଳା ସଂରକ୍ଷଣ ବିଲ୍ । ମୋଦୀ ସରକାର ନିଜ କାର୍ଯ୍ୟକାଳ ମଧ୍ୟରେ ମହିଳା ଏବଂ ସାମାଜିକ କଲ୍ୟାଣ ଦିଗରେ ଅନେକ ଆଇନ୍ ଆଣିଛନ୍ତି । ଯାହାକି ଭୋଟରେ ପରିଣତ ହୋଇଛି ବୋଲି ଶାସକ ଦଳ ବିଜେପି ବିଶ୍ୱାସ ରଖିଛି । ତେଣୁ ଏବେ ମହିଳା ସଂରକ୍ଷଣ ବିଲ ଉପରେ ଗୁରୁତ୍ୱ ଦେଇ ସାମ୍ପ୍ରତିକ ରାଜନୀତିରେ ନିଜର ଭୋଟ୍ ବ୍ୟାଙ୍କ ବଢାଇବାକୁ ଚିନ୍ତା କରୁଛି ।

Advertisment

ଅନ୍ତିମ ମୌସୁମୀ ଅଧିବେଶନରେ ସଂସଦର ଉଭୟ ସଦନରେ ବିଜେଡି ଓ ୱାଇଏସଆର କଂଗ୍ରେସ ଭଳି ଆଂଚଳିକ ଦଳର ସମର୍ଥନ ପାଇଥିଲା ଶାସକ ଦଳ ବିଜେପି । ତେଣୁ ଏବେ ମଧ୍ୟ ସମାନ ସମର୍ଥନ ରାଜ୍ୟସଭାରେ ପାଇବ ବୋଲି ବିଜେପି ଆଶା ରଖିଛି । ଯେଉଁଠି ଏନିଡିଏର ସଂଖ୍ୟା କମ୍ ରହିଛି । ପୂର୍ବରୁ ୨୦୦୮ରେ ମନମୋହନ ସିଂହ ସରକାର ସମୟରେ ମହିଳା ସଂରକ୍ଷଣ ବିଲ୍ ଆସିଥିଲା । ରାଜ୍ୟସଭାରେ କଂଗ୍ରେସ ଦ୍ୱାରା ଆଗତ ହୋଇଥିବା ଏହି ୩୩ ପ୍ରତିଶତ ମହିଳା ସଂରକ୍ଷଣ ବିଲ୍ ବିରୋଧୀ ବିଜେପି ଏବଂ ବାମ ଦଳ ସମର୍ଥନରେ ପାରିତ ହୋଇଥିଲା । କିନ୍ତୁ ଲୋକସଭାରେ ଏହା ଆଗତ ହୋଇପାରିନଥିଲା ।

ବିଜେଡି ମଧ୍ୟ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେବାକୁ ଦୀର୍ଘ ଦିନ ହେବ ଦାବି କରିଆସୁଛି । ଅନ୍ତିମ ଅଧିବେଶନରେ ବିଜେଡି ସାଂସଦ ମହିଳା ସଂରକ୍ଷଣ କଥା ଉଠାଇଥିଲେ । ତେଣୁ ଏବେ ବିଜେପି ସରକାର ଯଦି ମହିଳା ସଂରକ୍ଷଣ ବିଲ୍ ଆଣୁଛି ତାହାଲେ ଏହାକୁ ନେଇ ଓଡିଶାରେ ବିଜେଡି ଶ୍ରେୟ ନେବାକୁ ପ୍ରୟାସ କରିବ ।

ବିରୋଧୀ ଇଣ୍ଡିଆ ମେଂଟରେ ଏବେ ପାଖାପାଖି ୨୮ ଦଳ ରହିଛନ୍ତି । ଏହି ସମୟରେ ସରକାର ମହିଳା ବିଲ୍ ଆଣି ଭୋଟ୍ ବ୍ୟାଙ୍କ ଉପରେ ଗୁରୁତ୍ୱ ଦେଇଛନ୍ତି । ଯାହା ବିରୋଧୀ ପାଇଁ ଅଡୁଆ ସୃଷ୍ଟି କରିପାରେ । କଂଗ୍ରେସ, ସମାଜବାଦୀ ପାର୍ଟି, ପିଡିପି ସମେତ ଅନେକ ଦଳ ମୋଦୀ ସରକାର ମହିଳାଙ୍କୁ ସୁରକ୍ଷା ଦେବାରେ ବିଫଳ ଏବଂ ଏହି ସରକାରରେ ନିର୍ଯାତନା ବଢିଛି ଦାବି କରି ଆସୁଛନ୍ତି । ଆଉ ଏହି ସମୟରେ ସରକାର ମହିଳା ବିିଲ୍ ଆଣିବାକୁ ଚେଷ୍ଟା କରି ନିଜ ସପକ୍ଷରେ ଭୋଟ୍ ବ୍ୟାଙ୍କ ବଢାଇବାକୁ ଚେଷ୍ଟା କରିପାରନ୍ତି ।

ପୂର୍ବରୁ କଂଗ୍ରେସ ସରକାର ସମାନ ବିଲ ଆଣିଥିଲା । ଆଉ ଏବେ କଂଗ୍ରେସ ବିଲ୍ ବିରୋଧରେ ସ୍ୱର ବଦଳାଇଲେ ଭୋଟ୍ ବ୍ୟାଙ୍କ ପ୍ରଭାବିତ ହେବାର ଆଶଙ୍କା ରହିଛି । ତେବେ ୧୯୯୬ରେ ଦେବଗୌଡା ସରକାର ସମୟରେ ଏହି ବିଲ୍ ପ୍ରଥମେ ଆଗତ ହୋଇଥିଲା । ପରେ ବାଜପେୟୀ ସରକାର ସମୟରେ ୧୯୯୮, ୯୯ ଏବଂ ୨୦୦୨ ଓ ୨୦୦୩ରେ ଆଗତ ହୋଇଥିଲେ ମଧ୍ୟ ପାରିତ ହୋଇପାରିନଥିଲା ।