କ୍ୟାପଟେନ କୁଲଙ୍କ ଯୁଗ ଶେଷ ! ମ୍ୟାଚର ଦିନକ ପୂର୍ବରୁ ସିଏସକେର ଅଧିନାୟକ ପଦ ଛାଡ଼ିଲେ ମହେନ୍ଦ୍ର ସିଂ ଧୋନୀ

419

କନକ ବ୍ୟୁରୋ : ପ୍ରତିଥର ଭଳି ପୁଣିଥରେ ସରପ୍ରାଇଜ କରିଦେଲେ ମହେନ୍ଦ୍ର ସିଂ ଧୋନୀ । କେହି କିଛି ଭାବିବା ଆଗରୁ ଆଇପିଏଲର ଅଧିନାୟକ ପଦରୁ ହଟିଯାଇଛନ୍ତି କ୍ୟାପଟେନ୍ କୁଲ୍ ଭାବେ ପରିଚିତ ଧୋନୀ । ୨୦୨୪ ଆଇପିଏଲ୍ ସିଜନର ଦିନକ ପୂର୍ବରୁ ଏଭଳି ବଡ଼ ନିଷ୍ପତି ନେଇ କ୍ରିକେଟପ୍ରେମୀଙ୍କୁ ଝଟକା ଦେଇଛନ୍ତି ଦୁନିଆର ସବୁଠାରୁ ସଫଳ ଅଧିନାୟକ । ଲାଗୁଥିଲା ଚଳିତ ସିଜନରେ ମଧ୍ୟ ଚେନ୍ନାଇ ସୁପର କିଙ୍ଗସର ନେତୃତ୍ୱ ନେବେ ଧୋନୀ । କିନ୍ତୁ ୪୨ ବର୍ଷୀୟ ମାହି ସବୁଥର ଭଳି ନିଜର ନିଷ୍ପତି ଦ୍ୱାରା ସମସ୍ତଙ୍କୁ ଚମକାଇ ଦେଇଛନ୍ତି । କ୍ୟାରିୟରର ଶେଷ ସମୟରେ ଧୋନୀ ନେତୃତ୍ୱ ଭାର ଯୁବ କ୍ରିକେଟର ଋତୁରାଜ ଗାଏକ୍ୱାଡଙ୍କୁ ପ୍ରଦାନ କରିଛନ୍ତି । ଆଉ ଅଧିନାୟକ ଭାବେ ଧୋନୀଙ୍କ ଗୋଲ୍ଡେନ ଏରା ବା ସ୍ୱର୍ଣ୍ଣିମ ଯୁଗ ଶେଷ ହୋଇଛି । ଆସନ୍ତାକାଲି ଠାରୁ ଆଇପିଏଲର ସପ୍ତଦଶ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି । ଏହାର ଠିକ୍ ୨୪ ଘଂଟା ପୂର୍ବରୁ ଚେନ୍ନାଇ ତା’ର ନୂଆ ଅଧିନାୟକ ଭାବେ ଗାଏକ୍ୱାଡଙ୍କୁ ଘୋଷଣା କରିଛି । ଖୋଦ୍ ଧୋନୀ ନିଜେ କ୍ୟାପଟେନ୍ ପଦରୁ ଓହରିବା ସହ ଗାଏକ୍ୱାଡଙ୍କୁ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି । ଧୋନୀଙ୍କ ଏହି ନିଷ୍ପତି ନିଶ୍ଚିତ ଭାବେ ତାଙ୍କର ଫ୍ୟାନଙ୍କୁ ବଡ଼ ଝଟ୍କା ଦେଇଛି । କାରଣ ଚେନ୍ନାଇ ଟିମର ପରିଚୟ ହେଉଛନ୍ତି ଧୋନୀ । ହୁଏତ ଆଗାମୀ ସଂସ୍କରଣରେ ଧୋନିଙ୍କୁ ହୁଏତ ଆଇପିଏଲ୍ ଖେଳୁଥିବାର ଦେଖିବାକୁ ମିଳିନପାରେ । କିଛି ଦିନ ପୂର୍ବରୁ ଧୋନୀ ଘୋଷଣା କରିଥିଲେ ଯେ ଖୁବଶୀଘ୍ର ନୂଆ ଭୂମିକାରେ ଆସିବେ । ବୋଧହୁଏ ଧୋନୀ ଏହି ବଡ଼ ଘୋଷଣା ଅପେକ୍ଷାରେ ରହିଥିଲେ । ୨୦୧୯ ଦିନିକିଆ ବିଶ୍ୱକପ୍ ସେମିଫାଇନାଲରେ ଭାରତର ପରାଜୟ ପରେ ଧୋନୀ କୌଣସି ମ୍ୟାଚ୍ ନଖେଳି ପରବର୍ଷ ଅଗଷ୍ଟ ୧୫ ତାରିଖରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ । କିନ୍ତୁ ଏହା ପରେ ସେ ଆଇପିଏଲ୍ ଖେଳିବା ଜାରି ରହିଥିଲେ । ଏବେ କ୍ୟାପଟେନ୍ ପଦ ଛାଡ଼ିବା ପରେ ଧୋନୀ କେବଳ ଖେଳାଳି ଭାବେ ଦଳର ପ୍ରତିନିଧିତ୍ୱ କରିବେ । ଗତ ସଂସ୍କରଣରେ ତାଙ୍କ ନେତୃତ୍ୱରେ ଚେନ୍ନାଇ ପଞ୍ଚମ ଆଇପିଏଲ୍ ଟ୍ରଫି ଜିତି ମୁମ୍ବାଇ ଇଣ୍ଡିଆନ୍ସର ରେକର୍ଡ ଟାଇଟଲ୍ ସହ ସମକକ୍ଷ ହୋଇଥିଲା । ଆଇପିଏଲରେ ଧୋନି ୨୨୬ ମ୍ୟାଚରେ ନେତୃତ୍ୱ ନେଇଥିବା ବେଳେ ୧୩୩ ମ୍ୟାଚରେ ବିଜୟୀ ହୋଇଛନ୍ତି ।

କ୍ୟାପଟେନ କୁଲଙ୍କ ଯୁଗ ଶେଷ!

ଅଧିନାୟକ ପଦ ଛାଡ଼ିଲେ ଧୋନୀ
୨୦୦୮ରୁ ସିଏସକେର ଅଧିନାୟକ ଥିଲେ
ନିଜେ ଅଧିନାୟକ ଦାୟିତ୍ୱ କଲେ ହସ୍ତାନ୍ତର
ମ୍ୟାଚର ଦିନକ ପୂୂର୍ବରୁ ଛାଡ଼ିଲେ ଅଧିନାୟକ ପଦ
ଚେନ୍ନାଇକୁ ୫ଥର ଆଇପିଏଲ ବିଜେତା କରାଇଛନ୍ତି ଧୋନୀ
୨୦୧୦, ୨୦୧୧, ୨୦୧୮, ୨୦୨୧ ଓ ୨୦୨୩ ଟ୍ରଫି ଜିତାଇଛନ୍ତି
ଆଇପିଏଲର ୨୨୬ ମ୍ୟାଚରେ ଅଧିନାୟକ ରହିଛନ୍ତି
୧୩୩ଟି ମ୍ୟାଚ ଜିତାଇଛନ୍ତି ମହେନ୍ଦ୍ର ସିଂ ଧୋନୀ
ଆଇପିଏଲ ୫୦୮୨ ରନ୍ କରିଛନ୍ତି ଧୋନୀ
ଅଗଷ୍ଟ ୧୫, ୨୦୨୦ରେ ଅବସର ନେଇଥିଲେ ଧୋନୀ
୨୦୦୭ ଟି-ଟ୍ୱେଂଟି ଓ ୨୦୧୧ ଦିନିକିଆ ବିଶ୍ୱକପ ବିଜେତା