କମ ସମୟରେ ଆଇପିଏଲ ଷ୍ଟାର: ବେସ ପ୍ରାଇସ ଥିଲା ୨୦ ଲକ୍ଷ ଏବେ କୋଟି କୋଟି ଟଙ୍କାରେ କିଣା ହେଲେ

869

କନକ ବ୍ୟୁରୋ: କଥାରେ ଅଛି ପରିଶ୍ରମ ସଫଳତା ଦିଏ । ଯାହା ଆମେ ଆଇପିଏଲରେ ଦେଖିବାକୁ ପାଇଛି । ମାତ୍ର ଅଳ୍ପ ସମୟ ମଧ୍ୟରେ ନିଜକୁ ଫରଫେକ୍ଟ କରି ଦେଖାଇଛନ୍ତି ଏହି ଯୁବ ଖେଳାଳି । ଯେଉଁଥିପାଇଁ ୨୦୨୨ ଆଇପିଏଲରେ ସେମାନେ ହୋଇଛନ୍ତି ଷ୍ଟାର ଖେଳାଳି । ଫ୍ରାଞ୍ଚାଇଜମାନେ ଅନ୍ୟ ବଡ ବଡ ଖେଳାଳିଙ୍କୁ ହାତଛଡା କରି ମଧ୍ୟ ତାଙ୍କୁ ରିଟେନ କରିଛନ୍ତି । କାରଣ ସେମାନେ ନିଜ ପ୍ରଦର୍ଶନ ବଳରେ କେବଳ ଫ୍ୟାନ ନୁହେଁ ବରଂ ଫ୍ରାଞ୍ଚାଇଜମାନଙ୍କ ହୃଦୟ ଜିତିଛନ୍ତି ।

ହଁ ଆଜ୍ଞା ଆମେ କହୁଛୁ କୋଲକାତାର ଷ୍ଟାର ଅଲରାଉଣ୍ଡର ଭେଙ୍କଟେଶ ଆୟର ଓ ଚେନ୍ନାଇର ଷ୍ଟାର ବ୍ୟାଟ୍ସମ୍ୟାନ ଋତୁରାଜ ଗାଏକ୍ୱାର୍ଡଙ୍କ କଥା । ଆଇପିଏଲ ଆରମ୍ଭରୁ ଉଭୟ ଥିଲେ ଏକ ଅପରିତ ନାଁ । ଉଭୟଙ୍କୁ ୨୦ ଲକ୍ଷ ବେସ ପ୍ରାଇସରେ କିଣିଥିଲା ଥିଲେ ନିଜ ନିଜ ଟିମ । ହେଲେ ଗୋଟିଏ ବର୍ଷ ମଧ୍ୟରେ ଦମଦାର ପ୍ରଦର୍ଶନ କରି ଟିମରେ ନିଜ ସ୍ଥାନ ବଜାୟ ରଖିଛନ୍ତି । ଆଉ ୨୦ ଲକ୍ଷରୁ ଏବେ କୋଟି କୋଟି ଟଙ୍କା ଦେଇ ସେମାନଙ୍କୁ ରିଟେନ ରଖିଛନ୍ତି ଦଳ ।

ଭେଙ୍କଟେଶ ଆୟର । ୨୦୨୧ ଆଇପିଏଲ ଆରମ୍ଭରୁ ଥିଲା ଏକ ଅପରିଚିତ ନାଁ । ହେଲେ ତାଙ୍କର କଠୋର ପରିଶ୍ରମ ତାଙ୍କୁ ଏକ ଭିନ୍ନ ପରିଚୟ ଦେଇଥିଲା । ଆଉ ଏବେ ସେ ବନିଯାଇଛନ୍ତି ଆଇପିଏଲର ହିରୋ । ୨୦୨୧ ଆଇପିଏଲ ସମୟରେ ଭେଙ୍କଟେଶଙ୍କୁ ୨୦ ଲକ୍ଷ ବେସ ପ୍ରାଇସରେ କିଣିଥିଲା କୋଲକାତା । ହେଲେ ପ୍ରଥମରୁ ତାଙ୍କୁ ସୁଯୋଗ ମିଳି ନଥିଲା । କିନ୍ତୁ ଭେଙ୍କଟେଶ ସଠିକ ସମୟକୁ ଅପେକ୍ଷା କରିଥିଲେ । କେତେବେଳେ ତାଙ୍କୁ ସୁଯୋଗ ମିଳିବ ଆଉ ସେ ନିଜ ଦମ ଦେଖାଇବେ । ଆଉ ତାଙ୍କ ସହ ଠିକ ସେୟା ହିଁ ହେଲା ।

୨୦୨୧ ଆଇପିଏଲର ପ୍ରଥମ ପର୍ଯ୍ୟାୟରେ ଦଳ ବାହାରେ ରହିଥିଲେ ମଧ୍ୟ ଅଭ୍ୟାସ ଜାରି ରଖିଥଲେ ଭେଙ୍କଟେଶ । ନେଟ୍ସରେ ସୁନୀଲ ନାରିନ, ପ୍ୟାଟ କମିନ୍ସଙ୍କୁ ପ୍ରବଳ ଧୁଲେଇ କରିଥିଲେ । ଯାହାକୁ ଦେଖି ତାଙ୍କୁ ଦ୍ୱିତୀୟ ପର୍ଯ୍ୟାୟ ଆଇପିଏଲରେ ଓପନିଂ କରିବାକୁ ସୁଯୋଗ ଦିଆଯାଇଥିଲା । ପ୍ରଥମ ମ୍ୟାଚରେ ହିଁ ସେ ଦୁର୍ଦ୍ଦଶ ବ୍ୟାଟିଂ କରିଥିଲେ । ପ୍ରଥମ ପର୍ଯ୍ୟାୟ ଆଇପିଏଲରେ ପ୍ଲେଅଫ ରେସରୁ ବାଦ ପଡୁଥିବା କୋଲକାତାକୁ ନିଜ ଦମଦାର ପ୍ରଦର୍ଶନ ବଳରେ ଫାଇନାଲ ଯାଏଁ ନେଇଥିଲେ ଭେଙ୍କଟେଶ ।

ଗତ ଆଇପିଏଲରେ କୋଲକାତା ପାଇଁ ୧୦ଟି ମ୍ୟାଚ ଖେଳିଥିଲେ ଭେଙ୍କଟେଶ । ଏଥିରେ ସେ ୩୭୦ ରନ କରିଥିବା ବେଳେ ୪ ଅର୍ଦ୍ଧଶତକ ହାସଲ କରିଛନ୍ତି । ଆଉ ୩୭ ଚୌକା ଓ ୧୪ଟି ଛକା ମଧ୍ୟ ମାରିଛନ୍ତି । ଆଉ ତାଙ୍କର ଏହି ସଫଳତା ଏବେ ତାଙ୍କୁ ଦଳର ଷ୍ଟାର ଖେଳାଳି ଭାବେ ପରିଚିତ କରିଛି ।

ସେହିପରି ଋତୁରାଜ ଗାଏକ୍ୱାର୍ଡ ମଧ୍ୟ କମ ସମୟ ମଧ୍ୟରେ ନିଜକୁ ସଫଳ କରି ଦେଖାଇଥିଲେ । ୨୦୨୦ ଆଇପିଏଲରେ ଯେତେବେଳେ ଚେନ୍ନାଇ ଖରାପ ପ୍ରଦର୍ଶନ କରି ଟୁର୍ଣ୍ଣାମେଣ୍ଟରୁ ବାହାରି ସାରିଥିଲା, ସେତେବେଳେ ଋତୁରାଜଙ୍କୁ ସୁଯୋଗ ଦିଆଯାଇଥିଲା । ଆଉ ଶେଷ କେତୋଟି ମ୍ୟାଚରେ ସେ ଦଳ ପାଇଁ ଖେଳି ଧୁଆଁଧାର ବ୍ୟାଟିଂ କରିଥିଲେ । ହେଲେ ସେତେବେଳକୁ ଦଳ ପ୍ଲେ ଅଫରୁ ବିଦା ହୋଇସାରିଥିଲା ।

୨୦୨୧ ଆଇପିଏଲରେ କିନ୍ତୁ ଚେନ୍ନାଇ ପାଇଁ ହିରୋ ସାବ୍ୟସ୍ତ ହୋଇଥିଲେ ଋତୁରାଜ । ଚେନ୍ନାଇ ପକ୍ଷରୁ ଓପନିଂ କରି ସେ ଦଳକୁ ବଡ ବଡ ବିଜୟ ଦେଇଥିଲେ । ଆଉ ବନିଯାଇଥିଲେ ୨୦୨୧ ଆଇପିଏଲରେ ଅରେଞ୍ଜ କ୍ୟାପ ବିଜେତା । ଯେଉଁ ବିଶ୍ୱାସରେ ଦଳ ତାଙ୍କୁ ସୁଯୋଗ ଦେଇଥିଲା ସେହି ବିଶ୍ୱାସକୁ ଜିତିବାରେ ସଫଳ ହୋଇଥିଲେ ଋତୁରାଜ । ସେଥିପାଇଁ ୨୦୨୨ ଆଇପିଏଲ ପାଇଁ ଦଳ ତାଙ୍କୁ ରିଟେନ ରଖିଛି ।

ଉଭୟ ଖେଳାଳିଙ୍କୁ ଭାରତୀୟ ଟି-୨୦ ଟିମରେ ସାମିଲ କରାଯାଇ ସାରିଛି । ଭେଙ୍କଟେଶ ଆୟର ଟିମ ଇଣ୍ଡିଆ ପକ୍ଷରୁ ଡେବ୍ୟୁ କରିସାରିଥିବା ବେଳେ ଋତୁରାଜ କିନ୍ତୁ ଡେବ୍ୟୁ ଅପେକ୍ଷାରେ ରହିଛନ୍ତି ।