କନକ ବ୍ୟୁରୋ: କ୍ରିକେଟ୍ ଇତିହାସରେ ଆପଣ, ୬ ବଲରେ ୬ ଛକା ଶୁଣିଥିବେ । ପ୍ରଥମ ଟି-୨୦ ବିଶ୍ୱକପରେ ଯୁବରାଜଙ୍କ ବ୍ୟାଟରୁ ଏ କରିସ୍ମା ବି ଦେଖିଥିବେ । ହେଲେ କ୍ରିକେଟ୍ ଇତିହାସର ଏ ପୁରୁଣା ରେକର୍ଡକୁ ଭାଙ୍ଗିବା ସହିତ ନୂଆ ଇତିହାସ ରଚିଛନ୍ତି କ୍ରିକେଟର ଋତୁରାଜ ଗାଏକ୍ୱାଡ ।

Advertisment

ବିଜୟ ହଜାରେ ଟ୍ରଫିରେ ସୋମବାର ଏହି ରେକର୍ଡ ଦେଖିବାକୁ ମିଳିଛି । ଯେଉଁଥିରେ ଋତୁରାଜ ଗାଏକ୍ୱାଡ ଗୋଟିଏ ଓଭରରେ ୭ଟି ଛକା ମାରିବା ସହିତ । ଗୋଟିଏ ଓଭରରୁ ମୋଟ ୪୩ ରନ୍ ଆଦାୟ କରିଛନ୍ତି । ଖାଲି ସେତିକି ନୁହେଁ, ଋତୁରାଜ ଗାଏକ୍ୱାଡ ସବୁ ବୋଲରମାନଙ୍କୁ ଧୁଲେଇ କରିବା ସହିତ ମାତ୍ର ୧୫୯ ବଲରୁ ୨୨୦ ରନର ଦ୍ୱି-ଶତକୀୟ ତୁଫାନୀ ଇନିଂସ ମଧ୍ୟ ଖେଳିଛନ୍ତି ।

ସୋମବାର ଉତରପ୍ରଦେଶ ଏବଂ ମହାରାଷ୍ଟ୍ର ଭିତରେ ଏହି ମ୍ୟାଚ୍ ଖେଳାଯାଇଥିଲା । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ମହାରାଷ୍ଟ୍ର ୫୦ ଓଭରରେ ୩୩୦ ରନ୍ କରିଥିଲା । ଯେଉଁଥିରେ ସାମିଲ ଥିଲା ଋତୁରାଜଙ୍କ ୨୨୦ ରନର ଇଂନିସ । ଋତୁରାଜ ତାଙ୍କ ଇଂନିସରେ ୧୦ଟି ଚୌକା ମାରିଥିବାବେଳେ, ୧୬ଟି ବିଶାଳ ଛକା ମଧ୍ୟ ମାରିଥିଲେ । ତେବେ ଇଂନିସର ୪୯ ତମ ଓଭରରେ ହିଁ ଋତୁରାଜ ଏକାକି ୭ଟି ଛକା ମାରିବା ସହିତ ୪୩ ରନ୍ ଆଦାୟ କରିଥିଲେ । ଯାହାକି ଏବେ ରେକର୍ଡ ବୁକରେ ଲେଖାହେଇଛି ।

୨୨୦ ରନର ଇଂନିସ ଖେଳିବା ପରେ ଋତୁରାଜଙ୍କ ନାଁରେ ଏବେ ଏକାଧିକ ରେକର୍ଡ ଲେଖାହେଇଛି । ନଜର ପକାନ୍ତୁ, ଏହି ରେକର୍ଡ ଉପରେ...

• ଲିଷ୍ଟ ଏ କ୍ୟାରିୟରରେ ଋତୁରାଜଙ୍କ ଏହା ପ୍ରଥମ ଦ୍ୱି-ଶତକ
• ଲିଷ୍ଟ ଏ କ୍ରିକେଟରେ ଗୋଟିଏ ଓଭରରୁ ଏହା ସର୍ବାଧିକ ରନ୍
• ଗୋଟିଏ ଓଭରରେ ୭ଟି ଛକା ମାରିଥିବା ପ୍ରଥମ ବ୍ୟାଟ୍ସମ୍ୟାନ୍
• ଲିଷ୍ଟ ଏରେ ଦ୍ୱି-ଶତକ ମାରିଥିବା ୧୧ ତମ ଭାରତୀୟ ଖେଳାଳି ହେଲେ ଋତୁରାଜ

୨୫ ବର୍ଷୀୟ ଋତୁରାଜ ଗାଏକ୍ୱାଡ ମହାରାଷ୍ଟ୍ରରୁ ଆସନ୍ତି । ଆଇପିଏଲରେ ସେ ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ୱରେ ଚେନ୍ନାଇ ଟିମରୁ ଖେଳୁଥିବାବେଳେ ରଣଜୀ ଏବଂ ଘରୋଇ କ୍ରିକେଟରେ ସେ ମହାରାଷ୍ଟ୍ର ଟିମରୁ ପ୍ରତିନିଧିତ୍ୱ କରନ୍ତି । ଟିମ୍ ଇଣ୍ଡିଆ ପକ୍ଷରୁ ଏବେ ସୁଦ୍ଧା ସେ ଗୋଟିଏ ୱାନଡେ ମ୍ୟାଚ୍ ଖେଳିଥିବାବେଳେ ୯ଟି ଟି-୨୦ ମ୍ୟାଚ୍ ମଧ୍ୟ ଖେଳିସାରିଛନ୍ତି ।