କନକ ବ୍ୟୁରୋ: ରୁସ୍ତମ-ଏ- ହିନ୍ଦ ଦାରା ସିଂହ । ୨୦୦ କିଲୋର କିଙ୍ଗ କଙ୍ଗକୁ ରିଙ୍ଗରୁ ବାହାରକୁ ଫୋଫାଡିଦେଇଥିବା ଦାରା ସିଂହଙ୍କୁ ଆପଣ ସମସ୍ତେ ଜାଣିଥିବେ । ବିଶ୍ୱ ଚାମ୍ପିୟନ ହେବା ପରେ ଯେତେବେଳେ ଦାରା ସିଂହ ଫିଲ୍ମରେ କାମ କରିବାକୁ ଆସିଥିଲେ ସେତେବେଳେ ଅନେକ ଅଭିନେତ୍ରୀ ତାଙ୍କ ସହ କାମ କରିବାକୁ ଡରିଥିଲେ । କିନ୍ତୁ ଯେତେବେଳେ ଏହି ଦାରା ସିଂହ ହନୁମାନ ହୋଇ ରାମାୟଣରେ ନଜର ଆସିଥିଲେ ସେତେବେଳେ ସେ ଯେଉଁଠାକୁ ଯାଉଥିଲେ ଲୋକ ତାଙ୍କୁ ପୂଜା କରୁଥିଲେ ।
ପଞ୍ଜାବରେ ଜନ୍ମନେଇଥିବା ଦାରା ସିଂହ ଅନ୍ୟମାନଙ୍କ ଠାରୁ ଟିକେ ଭିନ୍ନ ଥିଲେ । ନିଜର ଶାରିରୀକ ଗଠନ ତାଙ୍କୁ ଅନ୍ୟମାନଙ୍କଠାରୁ ଅଲଗା କରିଥିଲା । ମାତ୍ର ୧୪ ବର୍ଷ ବୟସରେ ପରିବାର ଲୋକ ତାଙ୍କର ବିବାହ କରାଇଦେଇଥିଲେ । ୧୭ ବର୍ଷ ବୟସରେ ଦାରା ସିଂହ ବାପା ହୋଇଥିଲେ । ଯେତେବେଳେ ତାଙ୍କ ଉପରେ ଦାୟିତ୍ୱ ବଢିଥିଲା ସେତେବେଳେ ସେ ସିଙ୍ଗାପୁର ଏକ ଡ୍ରମ ନିର୍ମାଣକାରୀ କାରଖାନାରେ କାମ କରିବା ଆରମ୍ଭ କରିଦେଇଥିଲେ ।
୬ଫୁଟ ୨ ଇଞ୍ଚ ଆଉ ୧୨୭ କିଲୋର ଏହି ବ୍ୟକ୍ତିଙ୍କ ଉପରେ କାହାର ବା ନଜର ନପଡିବ କୁହନ୍ତୁ । ଜଣେ କୁସ୍ତି ଖେଳାଳୀ ତାଙ୍କୁ ଦେଖିବା ପରେ ତାଙ୍କୁ ଏହି ଖେଳର ଟ୍ରେନିଂ ଦେଇଥିଲେ । ନିଜ ସହ ତାଙ୍କୁ ବିଭିନ୍ନ ପ୍ରତିଯୋଗିତାରେ ସାମିଲ ମଧ୍ୟ କରାଇଥିଲେ । ସମୟ ବଦଳିବା ସହ ଦାରା ସିଂହ ନିଜ ପ୍ରତିଭାରେ କିଙ୍ଗ କଙ୍ଗଙ୍କୁ କୁସ୍ତି ରିଙ୍ଗରୁ ଉଠାଇ ବାହାରକୁ ଫୋପାଡିଦେଇଥିଲେ । ବିଶ୍ୱରେ ତାଙ୍କର ଏହି କାରନାମା ତାଙ୍କୁ ଏକ ନୂଆ ପରିଚୟ ଦେଇଥିଲା ।
ତେବେ ଏହାରି ଭିତରେ ଦାରା ସିଂହଙ୍କୁ ଅନେକ ଚଳଚ୍ଚିତ୍ରରୁ ଅଫର ମଧ୍ୟ ମିଳିଥିଲା । ତେବେ ତାଙ୍କ ଶରୀର ଏତେ ବଡ ଥିଲା ଯେ କୌଣସି ଅଭିନେତ୍ରୀ ତାଙ୍କ ସହ କାମ କରିବାକୁ ଡରୁଥିଲେ । ଯେତେବେଳେ ଫିଲ୍ମ ଫୌଲାଦରେ ଦାରା ସିଂହଙ୍କ ସହ କୌଣସି ଅଭିନେତ୍ରୀ କାମ କରିବା ପାଇଁ ପ୍ରସ୍ତୁତ ହୋଇନଥିଲେ ସେତେବେଳେ ଫିଲ୍ମରେ କାମ କରିବା ପାଇଁ ସଂଘର୍ଷ କରୁଥିବା ମୁମତାଜ ହଁ ଭରିଥିଲେ । ଆଉ ଏହି ଯୋଡି ୧୬ଟି ସୁପରହିଟ୍ ପର୍ଯ୍ୟନ୍ତ ସେହିଭଳି ଜାରିରହିଥିଲା ।
ଦାରା ସିଂହ କେବଳ ୨ ଜଣ ବ୍ୟକ୍ତିଙ୍କୁ କାଜୁ କିସମିସ୍ ଖୁଇବାଇବା ପାଇଁ ନିଜ ପାଖରେ ରଖିଥିଲେ । ପ୍ରତ୍ୟେକ ଦିନ ସେ ୨ଲିଟର କ୍ଷୀର ଏବଂ ଅଧାକିଲୋ ମଟନ ସହ ରୁଟି ଖାଉଥିଲେ । ତେବେ ଯେତେବେଳେ ସେ ଚଳଚ୍ଚିତ୍ରରେ କାମ କଲେ ଖାଇବା ଉପରେ ବି ଏହାର ଗଭୀର ପ୍ରଭାବ ପଡିଥିଲା । ତାଙ୍କର ସ୍ୱପ୍ନ ଥିଲା ସେ ବିଶ୍ୱ ଚାମ୍ପିୟନ ହେବେ । ଏଥିପାଇଁ ସେ ଫିଲ୍ମଛାଡି କୁସ୍ତିକୁ ଫେରିଥିଲେ । ୧୯୬୮ରେ ଦାରା ବିଶ୍ୱଚାମ୍ପିୟନ ହୋଇଥିଲେ । କିଛି ଦିନର ଅନ୍ତରାଳ ପରେ ଦାରା ସିଂହ ଫିଲ୍ମରେ କାମ କରିବା ଆରମ୍ଭ କରିଦେଇଥିଲେ । ୧୯୮୧ ମସିହାରେ ଦାରା ସିଂହଙ୍କୁ ରାମାନନ୍ଦ ସାଗରଙ୍କ ରାମାୟଣରେ କାମ କରିବା ପାଇଁ ଅଫର ଦିଆଯାଇଥିଲା । ତେବେ ପ୍ରଥମେ ସେ ୬୦ ବର୍ଷର ହୋଇଥିବା କହି ଏହାକୁ ପ୍ରତ୍ୟାକ୍ଷାନ କରିଥିଲେ । ତେବେ ରାମାନନ୍ଦ ସାଗର କିନ୍ତୁ ତାଙ୍କର କଥା ଶୁଣିନଥିଲେ ଆଉ ଦାରା ସିଂହଙ୍କୁ ହନୁମାନ ଚରିତ୍ର ପାଇଁ ନେଇଥିଲେ ।
ହନୁମାନ ଚରିତ୍ର ପାଇଁ ଆମିଶ ଖାଇବା ଛାଡିଦେଇଥିଲେ । ଧିରେ ଧରି ଯେତେବେଳେ ଏହା ପରଦାକୁ ଆସିଥିଲା ସେ ଯେଉଁଠାକୁ ଯାଉଥିଲେ ଲୋକ ସେଠିତାଙ୍କୁ ପୂଜା କରୁଥିଲେ । ପରେ ସେ ରାଜନୀତିରେ ଯୋଗଦେଇଥିଲେ । ତାଙ୍କର ଶେଷ ଫିଲ୍ମ ଥିଲା ଜବ୍ ଉଇ ମେଟ୍ । ୨୦୧୨ ଜୁଲାଇ ୧୨ରେ ହୃତଘାତର ତାଙ୍କର ଦେହାନ୍ତ ହୋଇଥିଲା ।