କନକ ବ୍ୟୁରୋ : ୟୁକ୍ରେନ୍ ଉପରେ ପରମାଣୁ ଆକ୍ରମଣ ନେଇ ରୁଷ୍ ବାରମ୍ବାର ଧମକ ଦେଇ ଆସୁଛି । ରୁଷର ଏହି ଧମକକୁ ଗୁରୁତ୍ୱର ସହ ନେଇଥିବା ଆମେରିକା ଜବାବ ଦେବାକୁ ପଛାଇବ ନାହିଁ ବୋଲି କହିଆସୁଛି । ଆଉ ଏହାରି ଭିତରେ ରୁଷ୍, ଆମେରିକାକୁ ଆଉ ଏକ ବଡ଼ ଧମକ ଦେଇଛି । ଯଦି ଆମେରିକା ଓ ତା’ର ସହଯୋଗୀ ରାଷ୍ଟ୍ରମାନେ ୟୁକ୍ରେନ୍ ଯୁଦ୍ଧରେ ସାମିଲ୍ ହୁଅନ୍ତି, ତେବେ ସେସବୁ ଦେଶମାନଙ୍କ ବେସାମରିକ ସାଟେଲାଇଟକୁ ଉଡ଼ାଇ ଦିଆଯିବ ବୋଲି ରୁଷ ଧମକ ଦେଇଛି । ରୁଷ୍ ବୈଦେଶିକ ମନ୍ତ୍ରାଳୟର ନିରସ୍ତ୍ରୀକରଣ ଓ ଅସ୍ତ୍ରଶସ୍ତ୍ର ବିଭାଗର ନିର୍ଦ୍ଦେଶକ କନଷ୍ଟାଂଟିନ୍ ଭୋରୋନଷ୍ଟୋଭ ଏହା କହିଛନ୍ତି । ସେ କହିଛନ୍ତି, ୟୁକ୍ରେନ୍ ଯୁଦ୍ଧରେ ସହାୟତା ପାଇଁ ପାଶ୍ଚାତ୍ୟ ସାଟେଲାଇଟ୍ର ବ୍ୟବହାର ଅତ୍ୟନ୍ତ ବିପଜ୍ଜନକ ହୋଇପାରେ । ଆଉ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ରୁଷ୍, କ୍ୱାସି-ସିଭିଲିଆନ୍ ବା ଅର୍ଦ୍ଧବେସାମରିକ ସାଟେଲାଇଟ୍ ଗୁଡ଼ିକୁ ଟାର୍ଗେଟ୍ କରିବ । ଏପରିକି ଆବଶ୍ୟକ ପଡ଼ିଲେ, ବ୍ୟବସାୟିକ ସାଟେଲାଇଟକୁ ବି ଟାର୍ଗେଟ୍ କରାଯିବ ବୋଲି ସେ କହିଛନ୍ତି ।
ସେପଟେ ଯୁକ୍ରେନ ଉପରେ ପରମାଣୁ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛି ରୁଷ । ପରମାଣୁ ଆକ୍ରମଣ ଲାଗି ବଡ଼ ଧରଣର ଅଭ୍ୟାସ ଆରମ୍ଭ କରିଛି ରୁଷିଆ ସେନା । କ୍ରେମଲିନ୍ ପକ୍ଷରୁ କୁହାଯାଇଛି, ରାଷ୍ଟ୍ରପତି ପୁଟିନଙ୍କ ନେତୃତ୍ୱରେ ବାଲାଷ୍ଟିକ୍ ଓ କ୍ରୁଜ୍ ମିସାଇଲ୍ ଅଭ୍ୟାସ ଆରମ୍ଭ କରିଛି ରୁଷ ସେନା । ପରମାଣୁ ଅସ୍ତ୍ର ବହନ କରୁଥିବା ମିସାଇଲ ବ୍ୟବହାର ପାଇଁ ଅଭ୍ୟାସ କରାଯାଇଛି । କ୍ଷେପଣାସ୍ତ୍ରଗୁଡିକ ପରୀକ୍ଷଣ ମଧ୍ୟ କରାଯାଇଛି । ବଡ଼ କଥା ହେଉଛି, କଂଟ୍ରୋଲ ରୁମ୍ରେ ବସି ଟିଭିରେ ଏହି ଯୁଦ୍ଧାଭ୍ୟାସର ଅନୁଧ୍ୟାନ କରିଛନ୍ତି ପୁଟିନ୍ । ବୁଡାଜାହାଜରୁ ମିସାଇଲ ପରୀକ୍ଷଣର ଫଟୋଚିତ୍ର ରୁଷିଆ ସରକାରଙ୍କ ଦ୍ୱାରା ପରିଚାଳିତ ଗଣମାଧ୍ୟମ ପକ୍ଷରୁ ଜାରି କରାଯାଇଛି ।
ୟୁକ୍ରେନ ଉପରେ ପ୍ରଥମେ ପରମାଣୁ ଆକ୍ରମଣ ଧମକ । ଆଉ ଏବେ ସାଟେଲାଇଟ୍ ଉଡାଇକୁ ଧମକ ଦେବା ପରେ ରୁଷ୍ ଆଗକୁ ଆହୁରି ଆକ୍ରମଣାତ୍ମକ ହେବ ବୋଲି କୁହାଯାଉଛି ।