କରୋନା ମୁକାବିଲା ନେଇ ଋଷିଆ ଆଣିଲା ଦ୍ୱିତୀୟ ଟିକା : ଋଷିଆ ବୈଜ୍ଞାନିକଙ୍କ ଦାବି , ଏପିଭାକ୍ ଭାକସିନ୍ ର ନାହିଁ କୌଣସି ପାଶ୍ୱର୍ ପ୍ରତିକ୍ରିୟା; ଅକ୍ଟୋବରରେ ହେବ ରେଜିଷ୍ଟ୍ରେସନ, ନଭେମ୍ୱରରେ ଆସିବ ଟିକା

468

କନକ ବ୍ୟୁରୋ : କରୋନା ଟିକାକୁ ସାରା ବିଶ୍ୱ ଚାହିଁ ବସିଛି । ଏଭଳି ସମୟରେ ଋଷିଆ ଆଉ ଏକ କରୋନା ଟିକା ପ୍ରସ୍ତୁତି କରିଥିବା ଦାବି କରିଛି । ଏହାର ନା ରଖାଯାଇଛି ଏପିଭାକ୍ କରୋନା ଟିକା  । ଋଷର ଦାବି ଅନୁସାରେ ଏହି ଟିକାର କୌଣସି ପାଶ୍ୱର୍ ପ୍ରତିକ୍ରିୟ ନାହିଁ । ଋଷ୍ ବେଜ୍ଞାନିକଙ୍କ କହିବା ଅନୁସାରେ, ପ୍ରଥମ ଟିକା ନେବା ପରେ ଦେଖା ଦେଉଥିବା ପାଶ୍ୱର୍ ପ୍ରତିକ୍ରିୟା ଏହି ନୂଆ ଟିକା ନେବା ପରେ ଆଉ ଦେଖାଯିବ ନାହିଁ । ସେପ୍ଟେମ୍ବର ସୁଦ୍ଧା ଏହି ଟିକାର କ୍ଲିନିକାଲ ଟ୍ରାଏଲ ଶେଷ ହେବ । କିନ୍ତୁ ଯେଉଁ ୫୭ ଜଣ ସ୍ୱେଛାସେବୀଙ୍କ ଦେହରେ ଏହି ଟିକାର ପରୀକ୍ଷଣ କରାଯାଇଛି , ସେମାନଙ୍କ ନିକଟରେ କୌଣସି ପାଶ୍ୱର୍ ପ୍ରତିକ୍ରିୟା ଦେଖାଯାଇନାହିଁ । ସେମାନେ ସମସ୍ତେ ସୁସ୍ଥ ଅଛନ୍ତି ଓ ଆଶ୍ୱସ୍ତ ଅନୁଭବ କରୁଛନ୍ତି । ଏହି ଟିକାକୁ ମଧ୍ୟ ୨ ଥର ଦେବାକୁ ପଡିବ ।

ପ୍ରଥମ ଡୋଜ୍ ନେବାର ୧୪ ରୁ ୨୧ ଦିନ ପରେ ଦ୍ୱିତୀୟ ଥର ଟିକା ଦିଆଯିବ । ଅକ୍ଟୋବର ମାସ ସୁଦ୍ଧା ଏହି ଟିକାର ପଞ୍ଜିକରଣ କରାଯିବ ଏବଂ ନଭେମ୍ବର ମାସରେ ଟିକା ଉତ୍ପାଦନ ହେବ  । ସାଇବେରିଆର ବିଶ୍ୱସ୍ତରୀୟ ବାଇରୋଲୋଜି ଇନଷ୍ଟିଚ୍ୟୁଟ୍ରେ ଏହାକୁ ପ୍ରସ୍ତୁତ କରାଯାଇଛି । ଏହା ପୂର୍ବରୁ ଋଷିଆ ସ୍ପୁଟନିକ୍-ଫାଇ୍ଭ୍ ନାମରେ ଏକ କରୋନା ଭ୍ୟାକସିନ ପ୍ରସ୍ତୁତ କରିଥିବା ଦାବି କରିଥିଲା । ଏନେଇ ନିଜେ ସୂଚନା ଦେଇଥିଲେ ଋଷ୍ ରାଷ୍ଟ୍ରପତି । ତେବେ ଏହି ଟିକାର ସଫଳତା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସମେତ ଆଉ କେତେକ ଦେଶ ପ୍ରଶ୍ନ ଉଠାଇଥିଲେ ।