ମସ୍କୋରୁ ଆସିଲା ଆଶ୍ୱସ୍ତି କଲା ଭଳି ଖବର । ପ୍ରଥମ କରୋନା ଟୀକାର କ୍ଲିନିକାଲ ଟ୍ରାଏଲ ସଫଳ । ଟୀକାର ପରୀକ୍ଷଣ ସଫଳ ହୋଇଥିବା ଦାବି କଲା ରୁଷର ଏକ ଡାକ୍ତରୀ ବିଶ୍ୱବିଦ୍ୟାଳୟ । ଟିକା ନେଇଥିବା ସମସ୍ତ ସ୍ୱେଚ୍ଛାସେବୀ ସୁସ୍ଥ ହୋଇଥିବା ସୂଚନା ।

864

କନକ ବ୍ୟୁରୋ: କେବେ ଆସିବ କରୋନା ଟିକା? କେମିତି ମିଳିବ କରୋନାରୁ ମୁକ୍ତି? ଏନେଇ ଆମ ସମସ୍ତଙ୍କ ଭିତରେ ପ୍ରଶ୍ନ ଉଠୁଛି । ଲକଡାଉନ, ସଟଡାଉନ ଓ ସଙ୍ଗରୋଧର କଟକଣା ଭିତରେ କରୋନା ବିପଦ ସମସ୍ତଙ୍କୁ ବିଚଳିତ କରିଦେଇଛି । ଆଉ ଠିକ୍ ଏତିକି ବେଳେ ଋଷିଆର ଏକ ବିଶ୍ୱବିଦ୍ୟାଳୟ କରୋନା ଟିକାର ପ୍ରଥମ କ୍ଲିନିକାଲ ଟ୍ରାଏଲ ସଫଳତାର ସହ ଶେଷ କରିଥିବା ଦାବି କରିଛି । କ୍ଲିନିକାଲ ଟ୍ରାଏଲ ଅର୍ଥାତ: ଗୋଟିଏ ଟିକା ପ୍ରସ୍ତୁତ ହେବା ପରେ ଏହା ପ୍ରଥମେ ଜୀବଜନ୍ତୁଙ୍କ ଦେହରେ ପ୍ରୟୋଗ କରାଯାଏ । ଏଥିରୁ ସକରାତ୍ମକ ସୂଚନା ମିଳିଲେ ଏକ ନିର୍ଦ୍ଦିଷ୍ଟ ମାନବଗୋଷ୍ଠୀ ଉପରେ ପ୍ରୟୋଗ କରାଯାଏ । ଯଦି ସେମାନଙ୍କ ଠାରେ ଏହା ସଫଳ ହୁଏ ବା ଭୂତାଣୁ ସହ ଲଢିବା ପାଇଁ ଆଂଟିିବଡି ପ୍ରସ୍ତୁତ ହୁଏ ତାକୁ ସଫଳ କ୍ଲିନିକାଲ ଟ୍ରାଏଲ କୁହନ୍ତି ।

ତେବେ ମସ୍କୋରେ ଏହି କ୍ଲିନିକାଲ ଟ୍ରାଏଲ ସଫଳ ହୋଇଥିବା କୁହାଯାଇଛି । ଇଂନଷ୍ଟିଚ୍ୟୁଟ ଫର ଟ୍ରାନ୍ସଲେସନାଲ ମେଡିସିନ ଆଣ୍ଡ ବାୟୋଟେକ୍ନୋଲୋଜି ପକ୍ଷରୁ ଦାବି କରାଯାଇଛି ଯେ ପ୍ରଥମ କରୋନା ଟିକାର କ୍ଲିନିକାଲ ଟ୍ରାଏଲ ସଫଳ ହୋଇଛି । ମସ୍କୋର ସବୁଠୁ ବଡ ଡାକ୍ତରୀ ବିଶ୍ୱବିଦ୍ୟାଳୟରେ ଏହି ଟିକାର ସଫଳ ପ୍ରୟୋଗ କରଯାଇଥିବା ଦାବି କରାଯାଉଥିବାରୁ କରୋନା ଲଢେଇ ଭିତରେ ନୂଆ ଆଶା ତିଆରି ହୋଇଛି । ଜାତୀୟ ଓ ଆନ୍ତର୍ଜାତୀୟ ଗଣମାଧ୍ୟମ ବି ଏହି ଖବରକୁ ବେଶ ଗୁରୁତର ସହ ନେଇଛନ୍ତି । ଗାମାଲିଆ ଇନଷ୍ଟିଚ୍ୟୁଟ ଅଫ ଏପିଡେମୋଲୋଜି ଓ ମାଇକ୍ରୋ-ବାୟୋଲୋଜି ଦ୍ୱାରା ପ୍ରସ୍ତୁତ ଟିକାର ସଫଳ ପରୀକ୍ଷଣ ମସ୍କୋରେ ହୋଇଥିବା କୁହାଯାଉଛି । ସବୁଠାରୁ ବଡ କଥା ହେଉଛି, ଏହି ଟିକା ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି କହିଛନ୍ତି ବିଶେଷଜ୍ଞ । ଏଣୁ ଯଦି ଏହି ସଫଳତା ସତ ହୁଏ ତେବେ ବିଶ୍ୱରେ ଏକ ସଫଳ କରୋନା ଟିକା ତିଆରି କରିବାରେ ରୁଷ ପ୍ରଥମ ସମର୍ଥ ହୋଇଛି ବୋଲି କୁହାଯାଇପାରେ ।

ସବୁଠାରୁ ବଡ଼କଥା ହେଲା, ୧୮ଜୁନ: ମସ୍କୋରେ ଏହି ଟିକାର ପ୍ରଥମ କ୍ଲିନିକାଲ ଟ୍ରାଏ ଆରମ୍ଭ ହୋଇଥିଲା । ଆଗ୍ରହ ପ୍ରକାଶ କରିଥିବା ଏକ ସ୍ୱେଚ୍ଛାସେବୀ ଗୋଷ୍ଠୀ ଉପରେ ଏହି ଟିକାର ପ୍ରୟୋଗ କରାଯାଇଥିଲା । ବର୍ତ୍ତମାନ ଇନଷ୍ଟିଚ୍ୟୁଟ ଫର ଟ୍ରାନ୍ସଲେସନାଲ ମେଡିସିନ ଆଣ୍ଡ ବାୟୋଟେକ୍ନୋଲୋଜି ପକ୍ଷରୁ ଦାବି କରାଯାଇଛି ଯେ ଏହି ପରୀକ୍ଷଣ ସଫଳ ହୋଇଛି । ଟିକା ପ୍ରୟୋଗ କରାଯାଇଥିବା ସମସ୍ତ ବ୍ୟକ୍ତି ବୁଧବାର ସୁଦ୍ଧା ହସ୍ପିଟାଲରୁ ଡିସଚାର୍ଜ ହେବେ । ଜୁଲାଇ ୨୦ସୁଦ୍ଧା ଟିକା ନେଇଥିବା ସମସ୍ତଙ୍କୁ ଡିସଚାର୍ଜ କରାଯିବ ବୋଲି ସୂଚନା ମିଳିଛି । ମଣିଷ ଶରୀର ପ୍ରତି ଏହା କେତେ ସୁରକ୍ଷିତ ତାକୁ ଆଧାର କରି କ୍ଲିନିକାଲ ଟ୍ରାଏଲ ଶେଷ ହୋଇଥିବା ବେଳେ ଟିକା ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି ଦାବି କରାଯାଇଛି ।

ଅନ୍ୟପଟେ ସାରା ବିଶ୍ୱରେ ପ୍ରାୟ ୧୦୦ଟି ଟିକା ଉପରେ କରୋନା ମୁକାବିଲା ପାଇଁ ଗବେଷଣା କରାଯାଉଛି । ଏଭଳି ସ୍ଥିତିରେ କିଛି ଔଷଧକୁ ନେଇ କରୋନା ଚିକିତ୍ସା ଆରମ୍ଭ ହୋଇଛି । ହେଲେ ଏପର୍ଯ୍ୟନ୍ତ କରୋନାର କୈାଣସି ନିର୍ଦ୍ଦିଷ୍ଟ ଟିକା କି ଔଷଧ ବାହାରି ନାହିଁ । ଏଣୁ ଏଭଳି ସ୍ଥିତିରେ କରୋନା ଟିକାର ପ୍ରସ୍ତୁତି ଓ ସଫଳ କ୍ଲିନିକାଲ ଟ୍ରାଏଲ ନେଇ ରୁଷର ଦାବି ବେଶ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଏହି ଟିକା ସମସ୍ତେ ନେଇପାରିବେ ନା ନାହିଁ? ଏହି ଟିକାକୁ ଶିଶୁ ଓ ବୟସ୍କଙ୍କ ଠାରେ ପ୍ରୟୋଗ କରାଯାଇପାରିବ କି? ଏହି ଟିକା ଦ୍ୱାରା କରୋନା ବିରୋଧୀ ଆଂଟିବଡି ବା କୈାଣସି ଉପାଦାନ ସ୍ଥାୟୀ ଭାବରେ ଶରୀରରେ ତିଆରି ହେବ କି? ଏହି ଟିକାର ପ୍ରଭାବ କେତେ ସମୟ ପର୍ଯ୍ୟନ୍ତ ରହିବ? ଏ ତମାମ ଦିଗ ବେଶ ଗୁରୁତ୍ୱପୂର୍ଣ୍ଣ । ଯଦି ଏହି ଟିକା ପ୍ରସ୍ତୁତ ବି ହୋଇଗଲା, ତା’ପରେ କେବେ ସୁଦ୍ଧା ଆମ ଦେଶରେ ପହଁଚିବ ଓ କେମିତି କାମ କରିବ ତାହା ବି ଏକ ପ୍ରକ୍ରିିୟାଗତ ବ୍ୟବସ୍ଥା ।