କନକ ବ୍ୟୁରୋ: ୟୁକ୍ରେନ୍ ଯୁଦ୍ଧକୁ ଆଉ କିଛି ଦିନ ପରେ ୨ ମାସ ପୁରିବ । ଏହା ମଧ୍ୟରେ ୟୁକ୍ରେନରୁ ଆସୁଛି ଭୟଙ୍କର ଓ ଛାତିଥରା ଦୃଶ୍ୟ ଯାହା ସାରା ବିଶ୍ୱକୁ ସ୍ତବ୍ଧ କରିଦେଉଛି । ୟୁକ୍ରେନ୍ ରାଜଧାନୀ କିବର ଉତ୍ତର ଉପକଣ୍ଠ ସ୍ଥିତ ଏକ ସହର ବୁଚାରୁ ଯେଉଁ ଦୃଶ୍ୟ ଦେଖିବାକୁ ମିଳିଛି ତାହା ଅତ୍ୟନ୍ତ ହୃଦୟ ବିଦାରକ । ଋଷ ସେନା ବୁଚାରେ ଗଣହତ୍ୟା କରିଥିବା ଅଭିଯୋଗ ହୋଇଛି । ରାସ୍ତାଘାଟରେ କୁଢ କୁଢ ଶବ ପଡିରହିଥିବାର ଦୃଶ୍ୟ ଏବେ ସାମ୍ନାକୁ ଆସୁଛି, ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ବୁଚାର ଲୋକମାନଙ୍କୁୁ ଋଷ ସେନା ଅତି ନିର୍ମମ ଭାବେ ଗୁଳି କରି ହତ୍ୟା କରିଛନ୍ତି ବୋଲି ୟୁକ୍ରେନ ଦାବି କରିଛି । ଲୋକଙ୍କ ହାତ ବାନ୍ଧି ସେମାନଙ୍କ ମୁଣ୍ଡ ଓ ପାଟିରେ ଗୁଳି କରାଯାଇଥିବା ଜଣାପଡିଛି । କିବରୁ ଋଷ ସୈନ୍ୟ ପ୍ରତ୍ୟାହାର କରିବା ପରେ ଏଭଳି ଛାତିଥରା ଦୃଶ୍ୟ ଦେଖିବାକୁ ମିଳିଛି । ବୁଚା ମେୟର ଆନୋଟୋଲି ଫେଡରୋ କହିଛନ୍ତି ଯେ, ଋଷ ସେନା ଜାଣିଶୁଣି ସାଧାରଣ ୟୂକ୍ରେନ ନାଗରିକଙ୍କୁ ହତ୍ୟା କରିଛନ୍ତି । କେବଳ ବୁଚାରୁ ୩୦୦ରୁ ଅଧିକ ମୃତଦେହ ମିଳିଛି । କିବରୁ ୪୦୦ରୁ ଅଧିକ ମୃତଦେହ ଉଦ୍ଧାର କରାଯାଇଛି । ମୃତକଙ୍କ ମଧ୍ୟରୁ ୨ ୟୁକ୍ରେନିଆନଙ୍କର ହାତ ବନ୍ଧା ହୋଇ ସେମାନଙ୍କ ପାଟି ଓ ମୁଣ୍ଡରେ ଗୁଳି କରାଯାଇଥିବା ଦେଖିବାକୁ ମିଳିଛି । ଗୋଟିଏ ଧାଡିରେ ୨୦ ନାଗରିକଙ୍କ ମୃତଦେହ ଧାଡି ହୋଇ ପଡିଛି ।

Advertisment

ଜାଣିବାକୁ ମିଳିଛି ଯେ , ଋଷ ସେନା ବଙ୍କର ତଥା ଆଶ୍ରୟ ସ୍ଥଳରେ ରହିଥିବା ୟୁକ୍ରେନ ଲୋକଙ୍କୁ ଜୋରଜବରଦସ୍ତିି ଟାଣି ଆଣି ଗୁଳି କରି ହତ୍ୟା କରିଛନ୍ତି । କିବ୍ ଠାରୁ ୫୦ କିଲୋମିଟର ପଶ୍ଚିମ ମୋତିଜିନ୍ ସହରର ମେୟର, ତା୍କ ପତ୍ନୀ ଓ ପୁଅକୁ ମଧ୍ୟ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ମେୟରଙ୍କ ହାତ ପଛପଟୁ ବନ୍ଧାଯାଇଥିଲା । ଏବଂ ତାଙ୍କ ଆଖିରେ ମଧ୍ୟ ଏକ ପଟି ବନ୍ଧା ଯାଇଥିଲା । ଅନେକ ସ୍ଥାନରେ ବୋମାମାଡ ଯୋଗୁଁ ଅନେକ ମୃତଦେହ ମାଟିତଳେ ଚାପିହାଇ ରହିଛି ।
ୟୁକ୍ରେନ ରାଷ୍ଟ୍ରପତି ଭୋଲଦୋମିର ଜେଲେନସ୍କିଙ୍କ ପରାମର୍ଶଦାତା ଓଲେସ୍କି ଆରେଷ୍ଟାବିଚ୍ ଆଉ ଏକ ଭୟଙ୍କର ଅଭିଯୋଗ ଆଣିଛନ୍ତି । ଋଷ ସୈନିକ ୟୁକ୍ରେନ ମହିଳାଙ୍କୁ ଦୁଷ୍ମର୍ମ କରିବା ପରେ ସେମାନଙ୍କୁ ଜାଲିଦେଇଛନ୍ତି ବୋଲି ସେ କହିଛନ୍ତି । ରାସ୍ତାରେ ପଡିରହିଥିବା ମୃତଦେହ କୌଣସି ହରର ମୁଭିଠାରୁ କମ ନୁହେଁ ବୋଲି ଓଲେସ୍କି ଆରେଷ୍ଟାବିଚ୍ କହିଛନ୍ତି ।
ଜାତିସଂଘ ମଧ୍ୟ ଋଷର ଏଭଳି ବର୍ବରତାକୁ ଘୋର ନିନ୍ଦା କରିଛି । ଜାତିସଂଘ ମହାନିର୍ଦ୍ଦେଶକ ଆଣ୍ଟୋନିଓ ଗଟର୍ସ କିବରେ ଗଣହତ୍ୟା ଘଟଣାର ତଦନ୍ତ କରିବାକୁ ଅନୁରୋଧ କରିଛନ୍ତି । ଏହି ଘଟଣାର ସତ୍ୟତା ବିଷୟରେ ନିରପେକ୍ଷ ତଦନ୍ତ ସବୁଠୁ ଗୁରୁତ୍ୱପୂର୍ଣ୍ଣ ବୋଲି ଗଟର୍ସ ଏକ ଟ୍ୱିଟ୍ କରିଛନ୍ତି । ତେବେ ଏହି ଜଘନ୍ୟ ଘଟଣା ପରେ ଋଷ ଉପରେ ପଶ୍ଚିମ ଦେଶ ଗୁଡିକ ଋଷ ଉପରେ ଆହୁରି ଅଧିକ କଟକଣା ଲଗାଇବାକୁ ଦାବି କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ- ବାଇଡେନ୍ ।