କନକ ବ୍ୟୁରୋ : ବୁଧବାର ରାତିରେ ବ୍ଲାକ ସି’ରେ କେମିତି ରୁଷିଆର ଦୁର୍ଦ୍ଦଶ ଯୁଦ୍ଧ ଜାହାଜ ମସ୍କୋଭାକୁ ଧ୍ୱଂସ କରିଦେଲା ୟୁକ୍ରେନ ତାହା ଜଣାପଡିଛି । କୁହାଯାଉଛି ପାଖାପାଖି ୨ ମାସ ଯାତ୍ରା କରିବା ପରେ ରୁଷିଆର ଏହି ଯୁଦ୍ଧ ଜାହାଜଟି ୟୁକ୍ରେନ ସୀମାରେ ପହଞ୍ଚି ଯାଇଥିଲା । ୟୁକ୍ରେନ ତଟବର୍ତୀ ଅଂଚଳଠାରୁ ପ୍ରାୟ ୪୦ ମାଇଲ ଦୂରରେ ମୁତୟନ ହୋଇଥିଲା ରୁଷ ଯୁଦ୍ଧ ଜାହାଜ ମକ୍ସୋଭା । ସ୍ନେକ ଆଇଲାଣ୍ଡ ନିକଟରେ ଏହା ପହଞ୍ଚି ସାରିଥିବାବେଳେ ୟୁକ୍ରେନ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତି କରୁଥିଲା ରୁଷିଆ ।

କୁହାଯାଉଛି ବ୍ଲାକ ସିରେ ଏହା ରୁଷିଆର ସବୁଠାରୁ ଘାତକ ଯୁଦ୍ଧ ଜାହାଜ । ଯାହା ଉପରେ ଆକ୍ରମଣ କରିବା ଏକପ୍ରକାର ଅସମ୍ଭବ । କାରଣ ବ୍ଲାକ ସିରେ ମୁତୟନ ରୁଷିଆର ଅନ୍ୟ ଯୁଦ୍ଧ ଜାହାଜକୁ ଏହା ସୁରକ୍ଷା ପ୍ରଦାନ କରିବାକୁ ଆସିଥିଲା । ତେବେ ଏହାକୁ ଶିକାର କରିବା ପାଇଁ ଅତି ସତର୍କତାର ସହିତ ରଣନୀତି ପ୍ରସ୍ତୁତ କରିଥିଲା ୟୁକ୍ରେନ ସେନା । ପ୍ରଥମେ ବ୍ଲାକ ସିରେ ମସ୍କୋଭାର ନଜର ହଟାଇବାକୁ ଟିବି-ଟୁ ଡ୍ରୋନ ଉଡାଇଥିଲା ୟୁକ୍ରେନ ସେନା । ୟୁକ୍ରେନର ବନ୍ଦର ସହର ଓଡେଶା ଆଖାପାଖରେ ରୁଷିଆ ଯୁଦ୍ଧ ଜାହାଜ ମକ୍ସୋଭାର ଗତିବିଧି ଜାରି ରହିଥିବାବେଳେ ୟୁକ୍ରେନ ସେନା କେତେକ ଟିବି-ଟୁ ଡ୍ରୋନ ଉଡାଇ ଏହାର ନଜର ହଟାଇଥିଲା । ଫଳରେ ମସ୍କୋଭାରେ ମୁତୟନ ମିଜାଇ ସିଷ୍ଟମ ଏହି ଡ୍ରୋନଗୁଡିକୁ ଟାର୍ଗେଟ କରିଥିଲେ ।

ଆଉ ସେପଟେ ନଜର ହଟାଇ ୟୁକ୍ରେନ ଏହାର ନ୍ୟାପଚୁନ କ୍ରୁଜ ମିଜାଇଲରେ ମକ୍ସୋଭା ଉପରେ ଆକ୍ରମଣ କରିଦେଲା । ପ୍ରାୟ ୨୮୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରୁଥିବା ୨ଟି ନେପଚ୍ୟୁନ ମିଜାଇଲ ମାଡ କରିଥିଲା ୟୁକ୍ରେନ ସେନା । ଫଳରେ ମକ୍ସୋଭା ଜାହାଜରେ ଥିବା ଗୋଳାବାରୁଦ ବିସ୍ଫୋରଣ ହୋଇଥିଲା ଓ ଏହା ବ୍ଲାକ ସି ଭିତରେ ବୁଡିଯାଇଥିଲା । ଏଥିରେ ନାବିକ ଓ ଶହଶହ ସୈନିକଙ୍କ ମୃତ୍ୟୁ ହୋଇଥିବା ଦାବି କରୁଛି ୟୁକ୍ରେନ ସେନା । ମକ୍ସୋଭାରେ ବିସ୍ଫୋରଣ ହୋଇଥିବା ସ୍ୱୀକାର କରିଛି ରୁଷିଆ ପ୍ରତିରକ୍ଷା ମନ୍ତ୍ରାଳୟ । ହେଲେ ଏଥିରେ ନିଆଁ ଲାଗିବାରୁ ଗୋଳାବାରୁଦ ବିସ୍ଫୋରଣ ହୋଇ କ୍ଷତିଗ୍ରସ୍ତ ହୋଇଥିବା କହିଛି । କିନ୍ତୁ ଯୁଦ୍ଧ ଜାହାଜରେ ଥିବା ସମସ୍ତ କର୍ମଚାରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ଦାବି କରିଛି ରୁଷିଆ ପ୍ରତିରକ୍ଷା ମନ୍ତ୍ରାଳୟ ।