ଟଳିଲା ବିଶ୍ୱଯୁଦ୍ଧର ଭୟ । ୟୁକ୍ରେନ ସୀମାରୁ ସେନା ପ୍ରତ୍ୟାହାର ଆରମ୍ଭ କଲା ଋଷ ।

332

କନକ ବ୍ୟୁରୋ : କିଛି ଦିନ ଧରି ଆଶା ଆଶଙ୍କା ଘେରରେ ରହିଥିବା ସମଗ୍ର ବିଶ୍ୱକୁ ମିଳିଛି ଆଶ୍ୱସ୍ତି । ୟୁକ୍ରେନ ଉପରେ ଋଷ ଆକ୍ରମଣ କଲେ ବଡ ଯୁଦ୍ଧ ଆଶଙ୍କାରେ ନୂଆ ମୋଡ ଆସିଛି । ଏବେ ଟଳିଛି ବିଶ୍ୱଯୁଦ୍ଧର ଭୟ । କାରଣ ୟୁକ୍ରେନ ସୀମାରୁ ସେନା ଅପସାରଣ ଆରମ୍ଭ କରିଛି ଋଷିଆ । ଋଷିଆର ଏହି ଘୋଷଣା ପରେ ପୂର୍ବ ୟୁରୋପରେ ହେବାକୁ ଥିବା ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତି ଏଡାଇବାକୁ ଚାଲିଥିବା କୁଟନୈତିକ ଉଦ୍ୟମ ସଫଳ ହୋଇଥିବା କୁହାଯାଉଛି ।

ଟଳିଲା ୟୁକ୍ରେନ ଉପରେ ଆକ୍ରମଣ ଆଶଙ୍କା । ୟୁକ୍ରେନ ସୀମାରୁ ସେନା ପ୍ରତ୍ୟାହାର କରୁଛି ଋଷ । ଟଳିଲା ବିଶ୍ୱଯୁଦ୍ଧର ଭୟ । ସୀମାରୁ ସୈନ୍ୟ ଅପସାରଣ ଆରମ୍ଭ କରିଛି ଋଷିଆ । ୟୁକ୍ରେନ ସୀମାରେ ଋଷ ସେନା ମୃତୟନ ପରେ ଯୁଦ୍ଧ ଏକ ପ୍ରକାର ନିଶ୍ଚିତ ହୋଇଥିଲା । କିନ୍ତୁ ଏବେ ବିଶ୍ୱ ପାଇଁ ଆସିଛି ଆଶ୍ୱସ୍ତିକର ଖବର । ୟୁକ୍ରେନ ସୀମାରେ ମୃତୟନ ଋଷ ଯବାନ ନିଜ ନିଜ ଶିବିରକୁ ଫେରିବା ଆରମ୍ଭ କରିଛନ୍ତି । ଋଷ ପ୍ରତିରକ୍ଷା ମନ୍ତ୍ରାଳୟ ସୂଚନା ଆଧାରରେ ଏହି ଖବର ଦେଇଛି ସମ୍ବାଦ ସରବରାହ ସଂସ୍ଥା ଏଏଫସି । ଋଷର ପ୍ରତିରକ୍ଷା ବିଭାଗର ମୁଖପାତ୍ର ଇଗୋର କୋନାସସେନକୋଭ କହିଛନ୍ତି, ୠଷ ଦକ୍ଷିଣ, ପଶ୍ଚିମ ମିଲିଟାରୀ ଜିଲ୍ଲାର ୟୁନିଟ ଗୁଡିକ ନିଜ ନିଜ ଶିବିରକୁ ଫେରିବା ଆରମ୍ଭ କଲେଣି । ଆମେ ସୀମାରେ ଯୁଦ୍ଧାଭ୍ୟାସ କରିବାକୁ ସୈନ୍ୟ ପଠାଇଥିଲୁ । ଆମର କୌଣସି ମନ୍ଦ ଉଦ୍ଦେଶ୍ୟ ନଥିଲା । ଏକଥା ଋଷ ପୂର୍ବରୁ ସ୍ପଷ୍ଟ କରିସାରିଛି । ଯୁଦ୍ଧଭ୍ୟାସ ଶେଷ ପରେ ଏବେ ଆମ ସେନା ଶିବିରକୁ ଫେରିଛନ୍ତି । ଏବେ ପ୍ରତ୍ୟାବର୍ତନ ପ୍ରକିୟା ଆରମ୍ଭ ହୋଇଛି । ଏହା ଏକ ନିୟମିତ ପ୍ରକିୟା ଓ ଦରକାର ପଡିଲେ ପୁଣି ଅଧିକ ସଂଖ୍ୟକ ସୈନ୍ୟ ସୀମାନ୍ତରେ ଯୁଦ୍ଧାଭ୍ୟାସ କରିବାକୁ ଯିବେ ।

ସେପଟେ ଋଷର ଏହି ଘୋଷଣା ପରେ ୟୁକ୍ରେନ କହିଛି କି ପାଶ୍ଚାତ୍ୟ ଦେଶ ମିଶି ଋଷର ଆକ୍ରମଣକୁ ଏଡାଇବାରେ ସଫଳ ହୋଇଛନ୍ତି । ୟୁକ୍ରେନ ବୈଦେଶିକ ବ୍ୟାପାରମନ୍ତ୍ରୀ ଡାମଟ୍ରୋ କିଭ୍ରେଙ୍କ କହିଛନ୍ତି ଆମେ ଓ ଆମର ମିତ୍ରରାଷ୍ଟ୍ର ଋଷର ଆକ୍ରମଣ ଏଡାଇବାରେ ସଫଳ ହୋଇଛି । କୁଟନୀତି ସ୍ତରରେ ଆଲୋଚନା ବି ଚାଲିଛି । ଗତ କିଛି ସପ୍ତାହ ଧରି ଋଷ ୟୁକ୍ରେନକୁ ୩ପଟୁ ଘେରିବା ସହ ହଜାର ହଜାର ଯବାନଙ୍କୁ ୟୁକ୍ରେନ ସୀମାରେ ମୃତୟନ କରିଥିଲା । ଏହା ପରେ ୟୁକ୍ରେନ ଉପରେ ଋଷର ଆକ୍ରମଣ ଆଶଙ୍କାଙ୍କୁ ଅଧିକ ଘନୀଭୂତ ହୋଇଥିଲା । କିଛି ଦିନ ହେବ ସୀମାରେ ଋଷର ସମରସଜ୍ଜା ଦେଖି ୟୁକ୍ରେନ ସମେତ ସମଗ୍ର ବିଶ୍ୱରେ ସମ୍ଭାବ୍ୟ ଯୁଦ୍ଧକୁ ନେଇ ଆଶାଆଶଙ୍କା ଦେଖିବାକୁ ମିଳିଥିଲା । ଏହା ସହ ୟୁକ୍ରେନ ସୀମାରେ ଓ ବେଲାଋଷ ସହ ମିଶି ଋଷର ଯୁଦ୍ଧାଭ୍ୟାସ ଅଧିକ ଚିନ୍ତା ବଢାଇଥିଲା । ଯୁଦ୍ଧ ଏଡାଇବା ପାଇଁ ଗତକାଲି ଜର୍ମାନ ଚାନସଲର ଓଲାଫ ସ୍କୋଲଜ ମସ୍କୋରେ ପହଁଚିଥିଲେ । ପୁଟିନଙ୍କ ସହ ସାକ୍ଷାତ କରି ଯୁଦ୍ଧ ଏଡାଇବା ପାଇଁ ବଡ ଭୂମିକା ନିର୍ବାହ କରିଥିବା ମଧ୍ୟ ଚର୍ଚ୍ଚା ହେଉଛି ।

ଗତ ଦୁଇ ମାସରୁ ଅଧିକ ସମୟ ହେବ ବିଶ୍ୱରେ ସମ୍ଭାବ୍ୟ ଯୁଦ୍ଧକୁ ନେଇ ଆତଙ୍କ ଖେଳିଯାଇଥିଲା । ୟୁକ୍ରେନ ସୀମାରେ ଉଭୟ ଋଷ ଓ ଆମେରିକା ମଧ୍ୟରେ ମୁହାଁମୁହିଁ ସ୍ଥିତି ଦେଖା ଦେଇଥିଲା । ସେହିପରି ଋଷ ଫେବୃଆରୀ ୧୬ରେ ଆକ୍ରମଣ କରିବା ନେଇ ଫେସବୁକ ପୋଷ୍ଟ କରି ଆଶଙ୍କାଙ୍କୁ ଦ୍ୱିଗୁଣିତ କରିଥିଲା । ସେପଟେ ସ୍ଥିତିକୁ ଦେଖି ଭାରତ ସମତେ ୧୨ଟି ଦେଶ ନିଜର ନାଗରିକ ଓ ଛାତ୍ରଛାତ୍ରୀଙ୍କୁ ତୁରନ୍ତ ୟୁକ୍ରେନ ଛାଡିବା ପାଇଁ ଆଡଭାଇଜରୀ ଜାରି କରିଥିଲେ । ଏବେ କିନ୍ତୁ ଋଷ ସେନା ପ୍ରତ୍ୟାହାର କରି ଶାନ୍ତି ପ୍ରତିଷ୍ଠା ଦିଗରେ ପଦକ୍ଷେପ ନେଇଛି ।