କନକ ବ୍ୟୁରୋ : ଆମେରିକା, ବ୍ରିଟେନ୍, ଜାପାନ ଭଳି ଦେଶ ଋଷ ଉପରେ ଆର୍ଥିକ କଟକଣା ଲଗାଇବା ପରେ, ଏବେ ଋଷ ମଧ୍ୟ କଡାଆଭିମୁଖ୍ୟ ଗ୍ରହଣ କରିଛି । ୟୁକ୍ରେନ-ଋଷ ଯୁଦ୍ଧ ଭିତରେ ଋଷର ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ଦେଖିବାକୁ ମିଳିଛି, ଋଷ ନିଜ ରକେଟରୁ କିଛି ଦେଶର ଜାତୀୟ ପତାକାର ଚିହ୍ନକୁ ହଟେଇ ଦେଇଥିବା ବେଳେ, ଭାରତର ଜାତୀୟ ପତାକା କିନ୍ତୁ ଋଷ ରକେଟରେ ରହିଛି ।
ଗତକାଲି ରୁଷ ବିପକ୍ଷରେ ମିଳିତ ଜାତିସଂଘରେ ନିନ୍ଦା ପ୍ରସ୍ତାବ ପାରିତ ହୋଇଥିଲା । ଜାତିସଂଘର ସାଧାରଣ ପରିଷଦ ବୈଠକରେ ନିନ୍ଦା ପ୍ରସ୍ତାବ ସପକ୍ଷରେ ୧୪୧ଟି ଦେଶ ଭୋଟ ଦେଇଥିଲେ । କିନ୍ତୁ ଭାରତ ସମେତ ୩୫ଟି ଦେଶ ଭୋଟ ଦାନରୁ ବିରତ ରହିଥିଲା । ଭାରତ ମଧ୍ୟ ଏହି ଭୋଟ ଦାନରେ ଭାଗ ନେଇନଥିଲା । ତେବେ ନିନ୍ଦା ପ୍ରସ୍ତାବକୁ ୫ଟି ଦେଶ ବିରୋଧ କରିଥିଲେ । ୟୁକ୍ରେନରୁ ତୁରନ୍ତ ପ୍ରତ୍ୟାହାର ପାଇଁ ପ୍ରସ୍ତାବ ଆଗତ ହୋଇଥିଲା । ଏହା ପୂର୍ବରୁ ଜାତିସଂଘର ସୁରକ୍ଷା ପରିଷଦରେ ମଧ୍ୟ ରୁଷ୍ ବିରୋଧରେ ଅଣାଯାଇଥିବା ପ୍ରସ୍ତାବ ଉପରେ ଭୋଟ ଦେଇନଥିଲା ଭାରତ ।