କନକ ବ୍ୟୁରୋ: ୟୁକ୍ରେନରେ ମାସେ ଧରି ଯୁଦ୍ଧ କରୁଛନ୍ତି ଋଷ ସେନା । ଏହା ଭିତରେ ଋଷ ସେନାକୁ ଅନେକ ପ୍ରତିବନ୍ଧକର ସାମନା କରିବାକୁ ପଡୁଛି । ବିଶେଷ କରି ସେମାନେ ମାନସିକ ଅବସାଦ ପରି ସମସ୍ୟା ଭୋଗୁଥିବା ଖବର ପ୍ରସାରିତ ହେଉଛି । ପୂର୍ବରୁ ଋଷ ସେନା ନିଜ ନିଜ ଭିତରେ ଆକ୍ରମଣ କରି ଗୁରୁତର ଆହତ ହୋଇଥିବା ଖବର ଆସିଥିବାବେଳେ ଏବେ ନିଜ ସେନାର ଜଣେ କମାଣ୍ଡର ଜେନେରାଲଙ୍କୁ ଟ୍ୟାଙ୍କ ଚଢାଇ ଋଷ ସେନା ମାରିଦେଇଥିବା ଖବର ପ୍ରଚାର ହେଉଛି ।
ଋଷ ସେନାର ଅଧିକାରୀ ତଥା ଗଣମାଧ୍ୟମର ସୂଚନା ମୁତାବକ, ମୃତ କର୍ଣ୍ଣେଲ ୟୁକ୍ରେନ ଯୁଦ୍ଧରେ ଏକ ବଡ ସେନାକୁ କମାଣ୍ଡ କରୁଥିଲେ । କମାଣ୍ଡର ୩୭ ତମ ମୋଟର ରାଇଫଲ୍ସ ବ୍ରିଗେଡର ୟୁରୀ ମେଦବେଦେଭ୍ ଙ୍କ ଉପରେ ଜାଣିଶୁଣି ଟ୍ୟାଙ୍କ ଚଢାଇଦେଇଥିଲେ । ତାଙ୍କ ଗୋଡ ଉପରେ ଟ୍ୟାଙ୍କ ଚଢାଇଦେଇଥିବାବେଳେ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ । ହେଲେ ହସ୍ପିଟାଲରେ କିଛି ଦିନ ରହିବା ପରେ ତାଙ୍କର ମୃତ୍ୟୁ ହୋଇଛି । ଦ ସନର ରିପୋର୍ଟ ମୁତାବକ ମେଦବେଦେଭଙ୍କ ଟ୍ରୁପର ଅନେକ ସୈନ୍ୟ ଯୁଦ୍ଧରେ ପ୍ରାଣ ହରାଇବା ପରେ ଅନ୍ୟ ସୈନ୍ୟ ମାନେ ଉଗ୍ର ହୋଇଯାଇଥିଲେ । ଏବଂ ଦଳର ମଙ୍ଗ ଧରିଥିବା କମାଣ୍ଡରଙ୍କୁ ଟ୍ୟାଙ୍କ ଚଢାଇ ମାରିଦେବାକୁ ଚେଷ୍ଟା କରିଥିଲେ ।
ଋଷ ପ୍ରତିରକ୍ଷା ଅଧିକାରୀଙ୍କ କହିବା ମୁତାବକ, ଋଷ ସେନାଙ୍କର ମନୋବଳ ଦିନକୁ ଦିନ ଭାଙ୍ଗିଯାଉଛି । ଏଯାଏଁ ଯୁଦ୍ଧରେ ଋଷର ୧୩୫୧ ଋଷ ସୈନିକଙ୍କ ମୃତ୍ୟୁ ହୋଇସାରିଲାଣି । ୩,୮୨୫ ଜଣ ସୈନିକ ଆହତ ହୋଇଥିବା କହିଛନ୍ତି ଋଷ ଜେନେରାଲ ଷ୍ଟାଫ ଉପପ୍ରମୁଖ ।