ୟୁକ୍ରେନରେ ଋଷ୍ ରାଷ୍ଟ୍ରପତି: ମାରିୟୁପୋଲ ବୁଲିଲେ ପୁଟିନ୍

283

କନକ ବ୍ୟୁରୋ: ଆଇସିଜେ ପୁଟିନଙ୍କ ବିରୋଧରେ ଗିରଫ ପରୱାନା ଜାରି କରିବାର, ଦିନକ ପରେ, ୟୁକ୍ରେନ ଗସ୍ତ କରିଛନ୍ତିି ଭ୍ଲାଦିମୀର ପୁଟିନ୍ । ରୁଷ୍ କବଜା କରିସାରିଥିବା ୟୁକ୍ରେନର ମାରିୟୁପୋଲ ସହରରେ ବୁଲିଛନ୍ତି । ସେଠାରେ ଉପସ୍ଥିତ ରୁଷୀୟ ଅଧିକାରୀଙ୍କ ସହ ସ୍ଥିତି ନେଇ ଆଲୋଚନା କରିଛନ୍ତି । ରୁଷ୍ ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ଯୁଦ୍ଧ ଭୂମିରେ ପୁଟିନଙ୍କର ଏହା ପ୍ରଥମ ଗସ୍ତ ବୋଲି କୁହାଯାଉଛି ।

ୟୁକ୍ରେନର ଅନ୍ୟତମ ପ୍ରମୁଖ ସହର ମାରିୟୁପୋଲ ଏବେ ରୁଷ ସେନା କବଜାରେ ରହିଛି । କିନ୍ତୁ ଏବେ ବି ସେଠାରେ ହିଂସା ଜାରି ରହିଛି । ମାରିୟୁପୋଲକୁ ପୁଣି ଥରେ ଦଖଲ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ୟୁକ୍ରେନ ସେନା ।

ଅର୍ନ୍ତଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ପୁଟିନ୍ ହେଲିକପ୍ଟରରେ ୟୁକ୍ରେନର କ୍ରିମୟାରେ ପହଁଚିଥିଲେ । ସେଠାରୁ ନିଜେ କାର ଚଳାଇ ଯୁଦ୍ଧ ଭୂମି ମାରିୟୁପୋଲକୁ ଯାଇଥିଲେ । ପୁଟିନ୍ ନିଜେ ଗାଡି ଚଳାଉଛନ୍ତି । ଆଉ ତାଙ୍କ ସହ ଯାଉଥିବା ଅନ୍ୟ ଅଧିକାରୀଙ୍କ ସହ କିଛି ଆଲୋଚନା କରୁଛନ୍ତି । ମାରିୟୁପୋଲର ବିଭିନ୍ନ ସ୍ଥାନକୁ ଯିବା ସହ ସମୁଦ୍ର ପରିଦର୍ଶନ ମଧ୍ୟ କରିଥିଲେ । ସ୍ଥାନୀୟ ଲୋକଙ୍କୁ ମଧ୍ୟ ଭେଟି ହାଲଚାଲ ପଚାରିବୁଝିଥିଲେ । ମାରିୟୁପୋଲରେ ମୃତୟନ ରୁଷ ସେନାର ଶୀର୍ଷ ସେନାଧିକାରଙ୍କୁ ଭେଟିଥିଲେ । ଚିଫ ଅଫ ଜେନରାଲ ଷ୍ଟାପ ବାଲେରୀ ଗେରାସିମୋବଙ୍କୁ ଭେଟି ଯୁଦ୍ଧ ସ୍ଥିତି ବିଷୟରେ ଆଲୋଚନା କରିଛନ୍ତି ପୁଟିନ ।

ପୁଟିନଙ୍କ ବିରୋଧରେ ଆଇସିଜେ ଯେତେବେଳେ ଗିରଫ ପରୱାନା ଜାରି କରିଛନ୍ତି, ସେତିକିବେଳେ ଅଚାନକ ଯୁଦ୍ଧ ଭୂମିକୁ ଆସିବା ଚର୍ଚ୍ଚାର ବିଷୟ ହୋଇଛି । ଆଉ ରୁଷ ବାହାରକୁ ଆସି ଏକ ବଡ ବାର୍ତା ଦେବାକୁ ଉଦ୍ୟମ କରିଛନ୍ତି ପୁଟିନ ।