ଘନଉଛି ଋଷ-ୟୁକ୍ରେନ ବିବାଦ, ଡୋନେସ୍କ ଓ ଲୁହାନସ୍କକୁ ସ୍ୱତନ୍ତ୍ର ଦେଶର ମାନ୍ୟତା ଦେଲେ ଋଷ ରାଷ୍ଟ୍ରପତି

113

କନକ ବ୍ୟୁରୋ : ଦିନକୁ ଦିନ ଉକ୍ରଟ ହେବାରେ ଲାଗିଛି ୟୁକ୍ରେନର ସମସ୍ୟା । ସୀମାରେ ମୁତୟନ ଥିବା ରୁଷ ସେନା ତରଫରୁ ଆରମ୍ଭ ହୋଇ ଯାଇଛି ସିଜ୍ ଫାୟାର୍ । ଆଉ ଆତଙ୍କିତ ଅବସ୍ଥାରେ ୟୁକ୍ରେନବାସୀ । ଏହା ଭିତରେ ୟୁକ୍ରେନ ସହର ଡୋନେସ୍କ ଓ ଲୁହାନ୍ସ୍କକୁ ସ୍ୱତନ୍ତ୍ର ଦେଶର ମାନ୍ୟତା ଦେଇ ଦେଇଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ । ଆଉ ପୁତିନ୍ଙ୍କ ଏହି ଘୋଷଣା ଯୁଦ୍ଧର ସମ୍ଭାବନାକୁ ବଢାଇଦେଇଛି । ସେପଟେ ଆମେରିକା ଗୁଇନ୍ଦା ସଂସ୍ଥା ତରଫରୁ ସୂଚନା ମିଳିଛି ରୁଷ ଖୁବଶୀଘ୍ର ୟୁକ୍ରେନ୍ ଉପରେ ଆକ୍ରମଣ କରିପାରେ ।

ୟୁକ୍ରେନ୍ ଓ ରୁଷିଆ ଭିତରେ ଦିନକୁ ଦିନ ବିବାଦ ତେଜିବାରେ ଲାଗିଛି । ଏହିଭିତରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ ପୂର୍ବ ୟୁକ୍ରେନ୍ର ୨ ପ୍ରମୁଖ ସହର ଡୋନେସ୍କ ଓ ଲୁହାନ୍ସ୍କଙ୍କୁ ସ୍ୱତନ୍ତ୍ର ରାଷ୍ଟ୍ରର ମାନ୍ୟତା ଦେଇଛନ୍ତି । ସୋମବାର ରୁଷର ଜାତୀୟ ଟେଲିଭିଜନ୍ ଜରିଆରେ ସାରା ବିଶ୍ୱକୁ ଏହି ବାର୍ତା ଦେଇଛନ୍ତି ରାଷ୍ଟ୍ରପତି ପୁତିନ୍ । ସେ କହିଛନ୍ତି ଡୋନେସ୍କ ଓ ଲୁହାନ୍ସ୍କରେ ୨୦୧୪ରୁ ବିଦ୍ରୋହୀ ସେନାର କବ୍ଜା ରହିଛି । ଆଉ ଏବେ ଏହି ଦୁଇଟି ସହରକୁ ସ୍ୱତନ୍ତ୍ର ରାଷ୍ଟ୍ରର ମାନ୍ୟତା ଦେଉଛି ରୁଷିଆ ।

ପୂର୍ବ ୟୁକ୍ରେନ୍ର ଏହି ଦୁଇଟି ସହର ଗତ କିଛି ଦିନ ଧରି ଅଶାନ୍ତ ହୋଇ ପଡିଛି । ଗତ ଏକ ସପ୍ତାହ ଧରି ଏହି ସ୍ଥାନରେ ବିଦ୍ରୋହୀ ସେନା ଅନେକ ବିସ୍ଫୋରଣ କରି ସାରିଲେଣି ।
– ଡୋନେସ୍କ ଓ ଲୁହାନ୍ସ୍କ ଉଭୟ ପୂର୍ବ ୟୁକ୍ରେନ୍ର ଡୋନାବାସ୍ ପ୍ରାନ୍ତର ଅନ୍ତର୍ଗତ
– ଏଠାରେ ୨୦୧୪ରୁ ବିଦ୍ରୋହୀସେନାର ଦଖଲ ରହିଛି
– ଏହି ବିଦ୍ରୋହୀ ସେନାକୁ ରୁଷିଆ ପାଣ୍ଠି ଯୋଗାଇବା ସହ ଅସ୍ତ୍ରଶସ୍ତ୍ର ମଧ୍ୟ ଯୋଗାଇଥାଏ
– ମାର୍ଚ୍ଚ, ୨୦୧୪ରେ ୟୁକ୍ରେନର କ୍ରିମିଆ ଉପରେ ରୁଷ କବ୍ଚା କରିବା ପରେ ବିଦ୍ରୋହୀ ସେନା ଡୋନେସ୍କ ଓ ଲୁହାନ୍ସ୍କକୁ ନିଜ ଅଧିନକୁ ନେଇ ନେଇଥିଲେ
– ଏପ୍ରିଲ, ୨୦୧୪ରେ ହିଁ ବିଦ୍ରୋହୀସେନା ଡୋନେସ୍କ ଓ ଲୁହାନ୍ସ୍କକୁ ସ୍ୱତନ୍ତ୍ର ଦେଶ ଭାବେ ଘୋଷଣା କରିଥିଲେ

ଯୁଦ୍ଧର ଆଶଙ୍କା ଭିତରେ ରୁଷ ସେନା ତରଫରୁ ସୀମାରୁ ଫାୟାରିଂ ଆରମ୍ଭ ହୋଇଯାଇଥିବା ୟୁକ୍ରେନ୍ ପକ୍ଷରୁ ସୂଚନା ମିଳିଛି । ସେପଟେ ୟୁକ୍ରେନ୍କୁ ନେଇ ନିଜ ସୁରକ୍ଷା ପରିଷଦ କମିଟି ସହ ବୈଠକ ଡାକିଥିଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ । ପୁତିନ୍ ଏହି ବୈଠକରେ କହିଛନ୍ତି, ୟୁକ୍ରେନ୍ ହେଉଛି ରୁଷର ଅଂଶ ।

ୟୁକ୍ରେନ୍କୁ ନେଇ ଏବେ ଯୁଦ୍ଧ କରିବାକୁ ଓହ୍ଲାଇ ଆସିଛି ରୁଷ । ସେପଟେ ଆମେରିକା ସମେତ ପାଶ୍ଚାତ୍ୟ ଦେଶଗୁଡିକ ଯୁଦ୍ଧ ସଂକଟକୁ ଏଡାଇବା ପାଇଁ କୂଟନୈତିକ ସ୍ତରରେ ପ୍ରୟାସ ଚଳାଇଛନ୍ତି । ତେବେ ଡୋନେସ୍କ ଓ ଲୁହାନ୍ସ୍କକୁ ସ୍ୱତନ୍ତ୍ର ଦେଶର ମାନ୍ୟତା ଦେଇଦେବା ପରେ ୟୁକ୍ରେନ୍ ଉପରେ ରୁଷର ଆକ୍ରମଣ ନେଇ ସମ୍ଭାବନା ଆହୁରି ବଢି ଯାଇଛି ।