ଡୋନବାସରେ ୟୁକ୍ରେନ-ରୁଷିଆ ମୁହାଁମୁହିଁ: ରୁଷ ସେନାକୁ ୟୁକ୍ରେନ ସେନାର ପ୍ରତିରୋଧ

185

କନକ ବ୍ୟୁରୋ: ପୂର୍ବ ୟୁକ୍ରେନର ଡୋନବାସ କ୍ଷେତ୍ରରେ ଚାଲିଛି ଜୋରଦାର ଯୁଦ୍ଧ । ଡୋନବାସ କ୍ଷେତ୍ରରେ ଥିବା ମାରିୟୁପୋଲରେ ୟୁକ୍ରେନ ସେନାକୁ ଅସ୍ତ୍ର ପକାଇବାକୁ ଚରମବାଣୀ ଶୁଣାଇ ସାରିଲାଣି କ୍ରେମଲିନ୍ । ରୁଷିଆ ବୈଦେଶିକ ମନ୍ତ୍ରୀ ସରଗଇ ଲାବରୋବ ବୁଧବାର ୟୁକ୍ରେନକୁ ଏହି ଚେତାବନୀ ଦେଇଛି । ମାରିୟୁପୋଲରେ ୟୁକ୍ରେନ ସେନାକୁ ତୁରନ୍ତ ଅସ୍ତ୍ର ପକାଇ ଆତ୍ମସମର୍ପଣ କରିବାକୁ ଚେତାବନୀ ଦେଇଛନ୍ତି ରୁଷ ବୈଦେଶିକ ମନ୍ତ୍ରୀ । ଅନ୍ତର୍ଜାତୀୟ ଖବର ସରବରାହ ସଂସ୍ଥାର ରିପୋର୍ଟ ଅନୁସାରେ ରୁଷିଆ ମନ୍ତ୍ରୀ କିଭ ଉଦ୍ଦେଶ୍ୟରେ କିଛି ଏହିପରି ବାର୍ତା ଦେଇଛନ୍ତି । କ୍ରେମଲିନ୍ରେ ବସି କିଭ୍ ଉଦ୍ଦେଶ୍ୟରେ କିଛି ଏହିପରି ଚରମବାଣୀ ଶୁଣାଇଛନ୍ତି ସରଗଇ ଲାବରୋବ ।

ସୋମବାର ପୂର୍ବ ୟୁକ୍ରେନର ଡୋନବାସ କ୍ଷେତ୍ରରେ ବଡ ଆକ୍ରମଣ କରିଛି ରୁଷ । ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ କହିବା କଥା ରାଜଧାନୀ କିଭକୁ ଦଖଲ କରିବାରେ ପୁଟିନ୍ଙ୍କ ସେନା ବିଫଳ ହେଉଥିବାରୁ ମାରିୟୁପୋଲ ଓ ଡୋନବାସରେ ଲଗାତାର ଆକ୍ରମଣ କରାଯାଉଛି ।

ଡୋନବାସ କ୍ଷେତ୍ରରେ ଆକ୍ରମଣ ପାଇଁ ଯୋଜନା କରି ଆସୁଛି ମସ୍କୋ । ପୂର୍ବ ୟୁକ୍ରେନର ଡୋନବାସର ବିଭିନ୍ନ ସ୍ଥାନରେ ରୁଷ ସେନା ଆକ୍ରମଣକୁ ୟୁକ୍ରେନ ପକ୍ଷରୁ କରାଯାଉଛି ପ୍ରତିରୋଧ । ଡୋନବାସ ପୂର୍ବ ୟୁକ୍ରେନର ଏକ ବଡ ପ୍ରାନ୍ତ । ଏହି ଅଂଚଳରେ ମାରୟୁପୋଲ, ଲୁହାନସ୍କ, ଡୋନେସ୍କ ଭଳି ଅନେକ ସ୍ଥାନରେ ରୁଷ ସେନା କବଜା କରିବାକୁ ଚେଷ୍ଟା କରୁଛି । ପଶ୍ଚିମ ୟୁକ୍ରେନ ତୁଳନାରେ ଏଠାରେ ରୁଷର ମୂଳ ବାସିନ୍ଦାଙ୍କ ସଂଖ୍ୟା ଅଧିକ ରହିଥିବା ରାଷ୍ଟ୍ରପତି ପୁଟିନ୍ ଦାବି କରି ଆସୁଛନ୍ତି । ଆଉ ଏହି କ୍ଷେତ୍ରକୁ ୟୁକ୍ରେନ ଠାରୁ ଅଲଗା କରି ରୁଷିଆ ସହ ମିଶାଇବା ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି ପୁଟିନ୍ । ୨୦୧୪ରେ ଯେଉଁଭଳି କ୍ରାଇମିଆ ଉପରେ କବ୍ଜା କରି କ୍ରାଇମିଆକୁ ୟୁକ୍ରେନ ଠାରୁ ଅଲଗା କରି ରୁଷିଆରେ ସାମିଲ କରାଯାଇଛି, ଠିକ୍ ସେହିପରି ଏବେ ଡୋନବାସକୁ ୟୁକ୍ରେନ ଠାରୁ ଅଲଗା କରି ରୁଷିଆରେ ମିଶାଇବା ପାଇଁ ଚାହୁଁଛନ୍ତି ପୁଟିନ୍ ।

ଡୋନବାସ କ୍ଷେତ୍ରରେ ରୁଷ ସେନାକୁ ଟକ୍କର ଦେବା ପାଇଁ ୟୁକ୍ରେନର ୧୦ରୁ ୧୨ ହଜାର ସେନା ମୁତୟନ ରହିଛନ୍ତି । ସେପଟେ କିନ୍ତୁ ପୁଟିନ୍ଙ୍କ ପ୍ଲାନ ବି ଅନୁସାରେ ଏଠାରେ କବ୍ଜା କରିବା ପାଇଁ ମସ୍କୋ ନିଜର ୬୦ ହଜାରରୁ ଅଧିକ ସୈନିକଙ୍କୁ ମୁତୟନ କରିଛି । ଆଉ ଜେଲେନସ୍କି ବାହାନୀଙ୍କୁ ଅସ୍ତ୍ର ପକାଇବାକୁ ବାରମ୍ବାର ଚେତାବନୀ ଦେଇ ଆସୁଛି କ୍ରେମଲିନ । ଡୋନବାସକୁ ଦଖଲ ପାଇଁ ସବୁ ସାମର୍ଥ ଲଗାଇଦେଇଛନ୍ତି ପୁଟିନ

ଡୋନବାସରେ ରୁଷିଆର ରଣନୀତି
– ଡୋନବାସ ଦଖଲ ପାଇଁ ୬୦ହଜାରୁ ଅଧିକ ସେନା ମୁତୟନ କରିଛି ରୁଷ
– ଏମାନଙ୍କ ଭିତରେ ସିରିଆ, ଲିବିୟାର ୨୦ ହଜାର ବିଦେଶୀ ସୈନିକ ବି ରହିଛନ୍ତି

ତଥାପି ଡୋନବାସ ଦଖଲ କରିବାରେ ସଫଳ ହୋଇପାରୁନି ରୁଷ । ଏଠାରେ ୟୁକ୍ରେନ ତରଫରୁ ବି ଜୋରଦାର ଆକ୍ରମଣ କରାଯାଉଛି । ଆଉ ରୁଷ ସେନାକୁ ପଛକୁ ଠେଲିବାରେ ୟୁକ୍ରେନ ସଫଳ ହୋଇଛି । ଆମେରିକାର ସାମରିକ ସହଯୋଗରେ ଏଭଳି କରିବାରେ ୟୁକ୍ରେନ ସେନା ସଫଳ ହୋଇଥିବା କୁହାଯାଉଛି ।

ୟୁକ୍ରେନ ଅଧିକାରୀଙ୍କ କହିବା କଥା ସୋମବାର ଡୋନବାସରେ ଜୋରଦାର ଲଢେଇ ହୋଇଛି । ଡୋନବାସର ଡୋନେସ୍କ ଓ ମାରିୟାଂକାରୁ ରୁଷ ସେନାକୁ ପଛକୁ ହଟିବାରେ ମଜବୁର କରିଥିବା ଦାବି କରିଛି ୟୁକ୍ରେନ । ମାର୍ଚ୍ଚ ମାସରେ ମାରିୟାଂକାରେ କବ୍ଜା କରିଥିଲା ରୁଷ ସେନା । ୟୁକ୍ରେନ ପ୍ରତିରକ୍ଷା ବିଭାଗ ପକ୍ଷରୁ କୁହାଯାଇଛି – ଡୋନବାସ କ୍ଷେତ୍ରରେ ରୁଷିଆର ୧୨ଟି ଟ୍ୟାଙ୍କ, ଗୋଟିଏ ଆର୍ଟିଲାରୀ ସିଷ୍ଟମ୍, ୨୮ଟି ସେନା ଗାଡି, ଗୋଟିଏ ଯୁଦ୍ଧ ବିମାନ, ୪ଟି ଡ୍ରୋନ, ଗୋଟିଏ କ୍ରୁଜ ମିଜାଇଲ ଧ୍ୱଂସ କରାଯାଇଛି । ଗତ ୨୪ ଘଂଟାରେ ୧୨୬୦ଟି ତୋପଖାନା ଏବଂ ୧୨୧୪ଟି ସୈନ୍ୟ ଠିକଣା ଉପରେ ଆକ୍ରମଣ କରିଛି ୟୁକ୍ରେନ ।

ଡୋନବାସ ପୂର୍ବ ୟୁକ୍ରେନର ଏକ ବଡ ପ୍ରାନ୍ତ । ଏଠାକାର ଅଧିକାଂଶ ଲୋକେ ରୁଷ ଭାଷା କୁହନ୍ତି । ଏହି ଅଂଚଳକୁ ୟୁକ୍ରେନ ଠାରୁ ଅଲଗା କରିବାକୁ ଚାହୁଁଛନ୍ତି ପୁଟିନ । ୨୦୧୪ରେ କ୍ରାଇମିଆ ଉପରେ ଦଖଲ ପରଠାରୁ ଏହି ସ୍ଥାନରେ ରୁଷ ସମର୍ଥନବାଦୀ ଲୋକେ ୟୁକ୍ରେନ ସେନା ବିରୋଧରେ ଲଢେଇ କରି ଆସୁଛନ୍ତି । ଆଉ ଫେବ୍ରୁଆରୀ ୨୪ ୟୁକ୍ରେନ ଆକ୍ରମଣ ପୂର୍ବରୁ ଡୋନବାସର ଲୁହାନସ୍କ ଓ ଡୋନେସ୍କକୁ ସ୍ୱତନ୍ତ୍ର ଦେଶର ମାନ୍ୟତା ଦେଇଛନ୍ତି ପୁଟିନ୍ । ଯାହାକୁ ୟୁକ୍ରେନ କି ପାଶ୍ଚାତ୍ୟ ଦେଶ ଗ୍ରହଣ କରି ନାହାଁନ୍ତି । ଏଠାରେ ରୁଷିଆ ସେନାକୁ ଟକ୍କର ଦେବାକୁ ୟୁକ୍ରେନ ରାଷ୍ଟ୍ରପତି ବି ଲାଗି ପଡିଛନ୍ତି । ଏଭଳି ପରିସ୍ଥିତିରେ ଯୁଦ୍ଧର ପରିଣତି କଣ ହେବ ତାହାକୁ ନେଇ ଆଶଙ୍କାରେ ବିଶ୍ୱବାସୀ ।