ୟୁକ୍ରେନରେ ରୁଷିଆ ସେନାର ନରସଂହାର: ୟୁକ୍ରେନ ରାଷ୍ଟ୍ରପତିଙ୍କ ଦାବି, ଇଜିୟୁମ ସହରରେ ମିଳିଛି ୪୪୦ଜଣଙ୍କ କବର

203

କନକ ବ୍ୟୁରୋ: ୟୁକ୍ରେନରେ ରୁଷିଆ ସେନାର ନରସଂହାର । ଇଜିୟୁମ ସହରେ ପୁଣି ଦେଖିବାକୁ ମିଳିଛି ବୁଚା ଓ ମାରିୟୁପୋଲ ପରି ନରସଂହାର । ୟୁକ୍ରେନ ରାଷ୍ଟ୍ରପତି ଭୋଲଦୋମିର ଜେଲେନସ୍କି ଦାବି କରିଛନ୍ତି ଯେ, ଇଜିୟୁମ ସହରରେ ୪୪୦ଜଣଙ୍କ କବର ମିଳିଛି । ଆଉ ଏହି ନରସଂହାର ଘଟାଇଛି ପୁଟିନ ବାହୀନି । ଏମାନଙ୍କୁ ନିର୍ଯାତନା ଦେଇ ହତ୍ୟା କରାଯାଇଥିବା କହିଛି ୟୁକ୍ରେନ । ଏହି ଶବ ଗୁଡିକର ହାତ, ଗୋଡ ହାଡ ଭାଙ୍ଗିଥିବା ବେଳେ କେତେକଙ୍କ ବେକରେ ରଶି ଲାଗିଥିବା ଦେଖିବାକୁ ମିଳିଛି । ୟୁକ୍ରେନ ଉତର-ପୂର୍ବ ଅଂଚଳର ଏହି ସହର ଦୀର୍ଘ ଦିନ ପର୍ଯ୍ୟନ୍ତ ରୁଷି ସେନା କବଜାରେ ଥିବା ବେଳେ ଏଇ କିଛି ଦିନ ହେଲା ୟୁକ୍ରେନ ସେନା ହାତକୁ ପୁଣି ଫେରିଛି ।

ଜେଲେନସ୍କି କହିଛନ୍ତି, ରୁଷିଆ ସେନା ଯେଉଁ ସ୍ଥାନ ଛାଡି ଯାଇଛନ୍ତି ସେହିସବୁ ସ୍ଥାନରେ ବର୍ବରତାର ସବୁ ସୀମା ଟପିଯାଇଛନ୍ତି । ନରସଂହାର ଘଟାଇ ଚାଲିଛନ୍ତି ରୁଷିଆ ସେନା । ଆଉ ପ୍ରାଣ ହରାଇଛନ୍ତି ଶତାଧିକ ନୀରିହ ଜନସାଧାରଣ । ଦୀର୍ଘ ଦିନର ଲଢେଇ ପରେ ଇଜିୟୁମ ସହର ରୁଷିଆ ସେନା କବଜାକୁ ଯାଇଥିଲା । କିନ୍ତୁ ଘମାଘୋଟ ଆକ୍ରମଣ କରି ସେପ୍ଟେମ୍ବର ପ୍ରଥମ ସପ୍ତାହରେ ପୁଣି ଥରେ ଇଜିୟୁମ ସହରକୁ ନିଜ ଅକ୍ତିଆରକୁ ନେଇଛି ୟୁକ୍ରେନ ସେନା । ଇଜିୟୁମର ଏକ ଜଙ୍ଗଲ କବରସ୍ଥଳୀରେ ପରିଣତ ହୋଇଥିବା ଦେଖିବାକୁ ମିଳିଛି । ଏହା ଦେଖିବା ପରେ ୟୁକ୍ରେନ ଅଧିକାରୀ ଏହି ଶବଗୁଡିକ ବାହାର କରିଛନ୍ତି । ଏହି ନରସଂହାର ଘଟଣାକୁ ସାରା ବିଶ୍ୱରେ ସମାଲୋଚନା କରାଯାଇଛି । ଅପରପକ୍ଷରେ ୟୁକ୍ରେନ ରାଷ୍ଟ୍ରପତି ଭୋଲଦୋମିର ଜେଲେନସ୍କିଙ୍କ ଏପରି ଅଭିଯୋଗକୁ ଖଣ୍ଡନ କରିଛି ରୁଷିଆ । ଗତ ୭ମାସ ଧରି ୟୁକ୍ରେନ ଓ ରୁଷିଆ ମଧ୍ୟରେ ଲଢେଇ ଜାରି ରହିଛି ।