କନକ ବ୍ୟୁରୋ : ୟୁକ୍ରେନ ଉପରେ ଋଷର ଆକ୍ରମଣ ଜାରିରହିଥିବା ବେଳେ ମାରିୟୁପୋଲରେ ତାଣ୍ଡବ ଲୀଳା ରଚିଛି ଋଷ । ଜାରି ରହିଥିବା ଏହି ଯୁଦ୍ଧରେ ସର୍ବାଧିକ ପ୍ରଭାବିତ ହୋଇଛି ମାରିୟୁପୋଲ ସହର । ଋଷର ପ୍ରଚଣ୍ଡ ଆକ୍ରମଣରେ ମୃତ୍ୟୁ ଓ ଧ୍ୱଂସର ଏଭଳି ତାଣ୍ଡବ ଦେଖିବାକୁ ମିଳିଛି ଯାହା ୟୁକ୍ରେନର ଅନ୍ୟ କେଉଁଠି ଦେଖାଯାଇନାହିଁ । ଏହି ବନ୍ଦର ସହରକୁ ମାଟିରେ ମିଶାଇଦେବା ପାଇଁ ଋଷ ଅତି ଭୟାନକ ଆକ୍ରମଣ କରିଛି । ସବୁକିଛିକୁ ବରବାଦ କରିଦେଇଛି । ପୂରା ସହର ଏକ ଧ୍ୱଂସସ୍ତୁପରେ ପରିଣତ ହୋଇଥିବା ବେଳେ ଧ୍ୱଂସାବଶେଷ ତଳେ ପୋତିହୋଇ ରହିଛି ହଜାର ହଜାର ଶବ । ଆଜି ସୁଦ୍ଧା ପ୍ରାୟ ୫ହଜାର ଶବ ଉଦ୍ଧାର ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ଲଗାତାର ବଢିଚାଲିଛି । ଏଭଳି ପରିସ୍ଥିତିରେ ବି ସହରରେ ଲକ୍ଷାଧିକ ଲୋକ ବଞ୍ଚିବା ପାଇଁ ସଂଘର୍ସ କରୁଛନ୍ତି । ଖାଦ୍ୟ, ପାଣି, ବିଦ୍ୟୁତ୍, ଗ୍ୟାସ୍ କିଛି ବି ଜରୁରୀ ସାମଗ୍ରୀ ଉପଲବ୍ଧ ନାହିଁ ।
Advertisment
ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କିଙ୍କ ସୂଚନା ଅନୁଯାୟୀ, ମାରିୟୁପୋଲରୁ ଗତକାଲି ୩ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । କିନ୍ତୁ ସହରର ସବୁ ଅଞ୍ଚଳର ରାସ୍ତାଘାଟରେ ଶବ ପଡିରହିଛି ଏବଂ ଅନେକ ଶବ ସଂମ୍ପୁର୍ଣ୍ଣ ଜଳିଯାଇଛି । ଶବକୁ ପୋତିବା ପାଇଁ ଲମ୍ବା ଗାତ ଖୋଲାଯାଇଛି । ସେଥିରେ ହଜାର ହଜାର ଶବକୁ ପକାଇ ପୋତିଦିଆଯାଉଛି । ରାସ୍ତାରେ ପଡିରହିଥିବା ମୃତଦେହର କେହି ଦାବିଦାର ନାହାନ୍ତି । ଅନ୍ୟପକ୍ଷେ ଋଷ ବିମାନ ଆକ୍ରମଣ ଯୋଗୁଁ ସୃଷ୍ଟି ହୋଇଥିବା ଏକ ବଡ ଖାଲ ଏବେ ଗଣସମାଧୀରେ ପରିଣତ ହୋଇଛି ।
ଅନ୍ୟପଟେ, ସାମ୍ନାକୁ ଆସିଥିବା ଆଉ ଏକ ଖବର ଭୟକୁ ଦୁଇଗୁଣା କରିଦେଇଛି । ୟୁକ୍ରେନ ଉପରେ ଦ୍ୱିତୀୟ ପର୍ଯ୍ୟାୟ ଆକ୍ରମଣକୁ ଅତି ପ୍ରଚଣ୍ଡ କରିବା ପାଇଁ ଋଷ ଯୋଜନା କରୁଛି । ୟୁକ୍ରେନ୍ ରାଜଧାନୀ କିବ୍ ଏବଂ ଉତ୍ତରାଞ୍ଚଳ ସହର ଚେର୍ନିହିବରୁ ଋଷ ସେନା ପ୍ରତ୍ୟାହାର ତ୍ୱରାନ୍ୱିତ କରି ଅନ୍ୟ ଅଞ୍ଚଳରେ ଶକ୍ତି ବୃଦ୍ଧି କରୁଛି । ୟୁକ୍ରେନ ଉପରେ ରାସାୟନିକ ଏବଂ ଜୈବିକ ଆକ୍ରମଣ ହେବା ଆଶଂକା ବଢୁଥିବାରୁ ଏହାର ମୁକାବିଲା ପାଇଁ ଆମେରିକା ୟୁକ୍ରେନକୁ ସହଯୋଗ କରୁଛି । ଆମେରିକା ୟୁକ୍ରେନକୁ ଜୀବନ ରକ୍ଷାକାରୀ ଉପକରଣ ପଠାଉଛି । ଏହାସହିତ ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନ୍ କହିଛନ୍ତି, ଯଦି ଋଷ ରାଷ୍ଟ୍ରପତି ପୁଟିନ୍ ଯୁଦ୍ଧରେ ରାସାୟନିକ ଅସ୍ତ୍ରର ପ୍ରୟୋଗ କରନ୍ତି ତାହେଲେ ନାଟୋ ଏହାର କଡା ଜବାବ ଦେବ । ତେବେ ୟୁକ୍ରେନ୍ ପାଇଁ ଅଧିକ ବିପଦ ମାଡିଆସୁଛି ବୋଲି ଯୁଦ୍ଧନୀତି ବିଶେଷଜ୍ଞମାନେ କହିଛନ୍ତି ।