କନକ ବ୍ୟୁରୋ : କିଭ୍, ଖାରକିଭ ଓ ମାରିୟୁପୋଲରେ ଭୟଙ୍କର ରୁଷିଆ ଆକ୍ରମଣ କରୁଛି । ୯୦ ପ୍ରତିଶତ ଘର ଧ୍ୱଂସ, ୟୁକ୍ରେନର ନିରପେକ୍ଷତା ଓ ସୁରକ୍ଷା ଗ୍ୟାରେଂଟି ପାଇଁ ରୁଷ ସହ ଆଲୋଚନା କରିବାକୁ ଜେଲେନସ୍କି ରାଜି ହୋଇଛନ୍ତି । କହିଲେ, ପୁଟିନଙ୍କ ସହ ମୁହାଁମୁହିଁ ବସିଲେ ଯୁଦ୍ଧ ସରିବ । ତେବେ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଏବଂ ୟୁ‌କ୍ରେନ୍‌ ରାଷ୍ଟ୍ରପତି ବୋଲଡିମିର ଜେଲେନ୍‌ସ୍କିଙ୍କ ସହ ସିଧାସଳଖ କଥାବାର୍ତ୍ତା ଏତେ ସହଜ ନୁହେଁ । ଉଭୟ ରାଷ୍ଟ୍ରମୁଖ୍ୟ ସିଧାସଳଖ କଥା ହେଲେ ଏହାର ଓଲଟା ଫଳ ମିଳିପାରେ। ୟୁକ୍ରେନ୍‌ ପାଖରେ ରଖାଯାଇଥିବା ସର୍ତ୍ତ ପ୍ରତି ସେହି ଦେଶର ଆଭିମୁଖ୍ୟ କଣ ରହିଛି ତାହା ଭଲଭାବେ ସ୍ପଷ୍ଟ ହେବାପରେ ହିଁ ଦୁଇ ରାଷ୍ଟ୍ରମୁଖ୍ୟଙ୍କ କଥାବାର୍ତ୍ତା ପାଇଁ ବାଟ ଫିଟି ପାରିବ ବୋଲି ରୁଷ୍‌ ବିଦେଶ ମନ୍ତ୍ରୀ କହିଛନ୍ତି ।

Advertisment

ସମସ୍ତ ପ୍ରମୁଖ ପ୍ରସଙ୍ଗ ଗୁଡ଼ିକର ସମାଧାନ ପ୍ରସଙ୍ଗରେ ସ୍ପଷ୍ଟୀକରଣ ମିଳିବାପରେ ହିଁ ବୈଠକର ଆବଶ୍ୟକତା ରହିଛି ବୋଲି ରୁଷ୍ ବିଦେଶ ମନ୍ତ୍ରୀ ସେର୍ଗି ଲାବରବ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଜେଲେନ୍‌ସ୍କି ଆଜି ପ୍ରଥମେ କହିଥିଲେ, ବିନା ବିଳମ୍ବରେ ଶାନ୍ତି ରକ୍ଷା ପାଇଁ ସେ ୟୁକ୍ରେନ୍‌ର ନିରପେକ୍ଷତା ଏବଂ ସୁରକ୍ଷା ଗ୍ୟାରେଣ୍ଟି ସଂକ୍ରାନ୍ତରେ ରୁଷ୍‌ ରାଷ୍ଟ୍ରପତିଙ୍କ ସହ କଥାବାର୍ତ୍ତା ପାଇଁ ପ୍ରସ୍ତୁତ । ରୁଷ୍‌ ନେତାଙ୍କ ସହ ମୁହାଁମୁହିଁ କଥାବାର୍ତ୍ତା ହେବା ପରେ ହିଁ ଯୁଦ୍ଧ ଶେଷ ‌ହୋଇପାରିବ ବୋଲି ସେ କହିଥିଲେ । କିନ୍ତୁ ଲାବରବ କହିଛନ୍ତି, ସିଧାସଳଖ ବୈଠକ ଦ୍ବାରା ଓଲଟା ଫଳ ମିଳିପାରେ । କିନ୍ତୁ ଏଯାବତ୍ ରୁଷ୍‌ ଏବଂ ୟୁକ୍ରେନ୍‌ ମଧ୍ୟରେ ହୋଇଥିବା କଥାବାର୍ତ୍ତାରୁ ସେଭଳି କୌଣସି ଗୁରୁତ୍ବପୂର୍ଣ୍ଣ ଫଳାଫଳ ମିଳିନାହିଁ ।

ୟୁକ୍ରେନ୍‌ର ବନ୍ଦର ସହର ମାରିୟୁପୋଲ୍‌ରେ ଅତି ଭୟଙ୍କର ସ୍ଥିତି ଉପୁଜିଛି। ମାରିୟୁପୋଲ୍‌ ଦଖଲ ପାଇଁ ରୁଷ୍‌ ଆକ୍ରମଣ ଜାରି ରଖିଛି । ମାରିୟୁପୋଲ୍‌ରେ ୯୦ ପ୍ରତିଶତ ଘର ଧ୍ବଂସ ହୋଇଯାଇଛି । ୬୦ ପ୍ରତିଶତ ଘର ଉପରେ ସିଧାସଳଖ ଆକ୍ରମଣ ହୋଇଛି। ସହରରେ ୭ଟି ହସ୍ପିଟାଲ୍‌ ନଷ୍ଟ ହୋଇଯାଇଛି । ଏଥି ମଧ୍ୟରୁ ୩ଟି ସମ୍ପୂର୍ଣ୍ଣ ଧ୍ବଂସ ହୋଇଛି। ୩ଟି ମାଟର୍ନିଟି ହସ୍ପିଟାଲ୍‌, ୫୭ ସ୍କୁଲ୍‌ ଏବଂ ୭୦ କିଣ୍ଡରଗାର୍ଟେନ୍‌ ଧ୍ବଂସ ହୋଇଛି । ମାରିୟୁପୋଲ୍‌ ମେୟର ଏକ ବିବୃତି ଜାରି କରି ମାରିୟୁପୋଲ୍‌ରେ ଜାରି ରହିଥିବା ଶୋଚନୀୟ ସ୍ଥିତି ସଂକ୍ରାନ୍ତରେ କହିଛନ୍ତି । ମାରିୟୁପୋଲ୍‌ ମେୟର କହିଛନ୍ତି, ଏବେ ଆମ ହାତରେ ଆଉ କିଛି ନାହିଁ ।

ଆମେ ଏବେ ରୁଷ୍‌ ସୈନିକଙ୍କ କବ୍‌ଜାରେ। ମାରିୟୁପୋଲ୍‌ରୁ ସମ୍ପୂର୍ଣ୍ଣ ଉଦ୍ଧାର କାର୍ଯ୍ୟ ପାଇଁ ସେ ଅନୁରୋଧ କରିଛନ୍ତି । ମେୟରଙ୍କ ଅନୁଯାୟୀ ମାରିୟୁପୋଲ୍‌ରେ ଏବେ ପ୍ରାୟ ୧୬୦,୦୦୦ ଲୋକ ଫସି ରହିଛନ୍ତି । ବିନା ଖାଦ୍ୟ , ପା‌ଣି ଏବଂ ବିଜୁଳିରେ ଏଠାରେ ବଞ୍ଚିବା ଅସମ୍ଭବ ବୋଲି ସେ କହିଛନ୍ତି । ରାଷ୍ଟ୍ରପତି ବୋଲଡିମିର ଜେଲେନ୍‌ସ୍କି କହିଛନ୍ତି, ମାରିୟୁପୋଲ୍‌ରେ ମାନବୀୟ ସ୍ଥିତି ଅତି ଶୋଚନୀୟ ରହିଛି । ୧,୭୦,୦୦୦ ନାଗରିକଙ୍କୁ ରୁଷ୍‌ ବାହିନୀ ଘେରି ରହିଛି। ଖାଦ୍ୟ, ପାଣି ଏବଂ ଔଷଧ ଯୋଗାଣ ବନ୍ଦ ହୋଇଯାଇଛି ।