ନୂଆଦିଲ୍ଲୀ: ମାର୍ଚରୁ ଏପ୍ରିଲ୍‌ ମାସ ମଧ୍ୟରେ ଭାରତରେ ରୁଷ୍‌ ନିର୍ମିତ କରୋନାଭାଇରସ୍‌ ଟିକା ସ୍ପୁଟ୍‌ନିକ-୫ ମିଳିବ ବୋଲି ‘ଡକ୍ଟର୍‌ ରେଡିସ୍‌ ଲାବ୍ରୋଟରି’ର ‘ଏପିଆଇ’ ଏବଂ ‘ଫାର୍ମା ସର୍ଭିସେସ୍‌’ର ମୁଖ୍ୟ ଦୀପକ ସାପ୍ରା କହିଛନ୍ତି । ଭାରତରେ ‘ଡକ୍ଟର୍‌ ରେଡିସ୍‌ ଲାବ୍ରୋଟରି’ ରୁଷ୍‌ ପ୍ରସ୍ତୁତ କରୋନାଭାଇରସ୍‌ ଟିକା ‘ସ୍ପୁଟ୍‌ନିକ୍‌-୫’ ଉତ୍ପାଦନ କରିବ ।

Advertisment

‘ସ୍ପୁଟ୍‌ନିକ୍‌-୫’ ଟିକା କରୋନାଭାଇରସ୍‌ ସଂକ୍ରମଣ ବିରୋଧରେ ୯୧.୬% ଫଳପ୍ରଦ ବୋଲି ନିକଟରେ ‘ଲାନ୍‌ସେଟ୍‌’ ଅଧ୍ୟୟନର ମଧ୍ୟବର୍ତ୍ତୀକାଳୀନ ଫଳାଫଳରୁ ଜଣାପଡ଼ିଛି ।

ଗଣମାଧ୍ୟମକୁ ଦୀପକ ସାପ୍ରା କହିଛନ୍ତି, ୧୨୫ ନିୟୁତ ଜନତାଙ୍କ ପାଇଁ (୨୫୦ ନିୟୁତ ଡୋଜ୍‌) ଟିକା ଉତ୍ପାଦନ କରିବାକୁ ଆମେ ରୁଷ୍‌ ଅଂଶୀଦାରଙ୍କ ସହ ଚୁକ୍ତି କରିଛୁ । ୧୨.୫ କୋଟି ଲୋକଙ୍କ ଏତିକ ଟିକା ଯଥେଷ୍ଟ ହେବ ।

ବୟସ ବର୍ଗ ନିର୍ବିଶେଷରେ ଅନ୍ୟାନ୍ୟ ଶାରୀରକ ସମସ୍ୟା ଥିବା ବ୍ୟକ୍ତିଙ୍କ ଶରୀରରେ ମଧ୍ୟ ଏହି ଟିକା ଫଳପ୍ରଦ ହୋଇଥିବା କଥା ୨୦ ହଜାର ଲୋକଙ୍କ ଉପରେ ହୋଇଥିବା ପରୀକ୍ଷାରୁ ଜଣାପଡ଼ିଛି ବୋଲି ସେ କହିଛନ୍ତି । ୬୦ରୁ ଊର୍ଦ୍ଧ୍ୱ ବୟସ ବର୍ଗର ବ୍ୟକ୍ତିଙ୍କ ଠାରେ ‘ସ୍ପୁଟ୍‌ନିକ୍‌-୫’ର ୯୧.୮% ରୋଗ ପ୍ରତିରୋଧକ କ୍ଷମତାର ଫଳାଫଳଏହି ଟିକାର ସୁପ୍ରଭାବକୁ ପ୍ରମାଣିତ କରୁଛି ।

ଭାରତରେ ଏହି ଟିକାର ମୂଲ୍ୟ କେତେ ହେବ ତାହା ନିର୍ଦ୍ଧାରିତ ହୋଇ ନ ଥିଲେ ବି, ବିଶ୍ୱରେ ମିଳୁଥିବା ଅନ୍ୟ ଟିକାଗୁଡ଼ିକର ମୂଲ୍ୟ ଭଳି ସୁଲଭ ହେବ ବୋଲି ଆଶା କରାଯାଉଛି । ସାପ୍ରା କହିଛନ୍ତି, ଆମେ ସରକାର ଏବଂ ଘରୋଇ କ୍ଷେତ୍ରରେ ଥିବା ଆମ ଅଂଶୀଦାରଙ୍କ ସହ ମିଶି କାର୍ଯ୍ୟ ଜାରି ରଖିଛୁ ।

‘ସ୍ପୁଟ୍‌ନିକ୍‌-୫’ ଟିକା ଉଭୟ ତରଳ ଏବଂ ଗୁଣ୍ଡ ଆକାରରେ ଉପଲବ୍ଧ ହେବ । ତରଳ ଟିକା ରଖିବା ପାଇଁ ଲାଗି ବିଯୁକ୍ତ ୧୮ ଡିଗ୍ରି ତାପମାତ୍ରା ଆବଶ୍ୟକ ହେଉଥିବା ବେଳେ ଗୁଣ୍ଡ ଟିକା ରଖିବାକୁ ୨ ରୁ ୮ ଡିଗ୍ରି ତାପମାତ୍ରାରେ ରଖିହେବ ବୋଲି କୁହାଯାଉଛି । ଏଥିପାଇଁ ପରୀକ୍ଷାନିରୀକ୍ଷା ଚାଲିଛି ।