କରୋନା କଲା କଲବଲ । ବଡ଼ଦାଣ୍ଡରେ ଭିକ୍ଷା ମାଗୁଛନ୍ତି ବିଦେଶୀ ଦମ୍ପତି, ଓଡ଼ିଶାରେ ରହି ଜଗନ୍ନାଥଙ୍କ ଆଶ୍ରାରେ ଦିନ କାଟିବାକୁ ଇଚ୍ଛା ।

6,331
କନକ ବ୍ୟୁରୋ: ସାତ ଦରିଆ ସେପାରିରୁ ବିଦେଶୀ ଦମ୍ପତିଙ୍କୁ ଟାଣି ଆଣିିଥିଲା ଜଗନ୍ନାଥଙ୍କ ଡୋରି । ଜଗା ଭାବରେ ବାନ୍ଧି ହୋଇ ସୁଦୁର ରୁଷିଆରୁ ଓଡିଶା ଆସିଥିଲେ ଦମ୍ପତି । ହେଲେ କରୋନା କଟକଣା ଭିତରେ ସେମାନଙ୍କ ଭିସା ଅବଧି ଶେଷ ହୋଇଛି । ପାଖରେ ଥିବା ଟଙ୍କା ବି ସରିଯାଇଛି । ଆଉ ହାତ ଖାଲି ହୋଇଯିବା ପରେ ବଡଦାଣ୍ଡରେ ଜଗନ୍ନାଥଙ୍କ ଜଣାଣ ଗାଇ ଭିକ୍ଷା ମାଗୁଛନ୍ତି ବିଦେଶୀ ଦମ୍ପତି ।
କରୋନା ପୂର୍ବରୁ ଓଡ଼ିଶା ଆସିଥିଲେ । ଲକଡାଉନ୍ ଯୋଗୁଁ ଅଟକି ରହିଗଲେ । ଆଉ ଏହାରି ଭିତରେ ସରିଗଲା ଭିସା ଅବଧି ଓ ଏହା ସହ ସେମାନଙ୍କ ନିକଟରେ ଥିବା ଟଙ୍କା ପଇସା । ନା ହୋଇ ପାରୁଛି ଭିସା ନବୀକରଣ ନା ଏଠି ରହିବା ପାଇଁ ବ୍ୟବସ୍ଥା । ଏଭଳି ଦୋଛକିରେ ପଡ଼ିଛନ୍ତି ଏହି ରୁଷୀୟ ଦମ୍ପତି । ଶେଷରେ ନିରୁପାୟ ହୋଇ ଶ୍ରୀମନ୍ଦିର ଚାରିପଟେ ବୁଲି ବୁଲି ହାରମୋନିୟମ୍ ବଜାଇ ଭିକ୍ଷା ମାଗୁଛନ୍ତି ।
ଜଗନ୍ନାଥଙ୍କ ପ୍ରେମରେ ଆକର୍ଷିତ ହୋଇ ସୁଦୂର ରୁଷରୁ ଓଡ଼ିଶା ଆସିଥିଲେ ସ୍ୱାମୀ-ସ୍ତ୍ରୀ । ନିଜ ମୂଳ ନାଁକୁ ପରିବର୍ତନ କରି ଭାରତୀୟଙ୍କ ଭଳି ସେମାନେ ନିଜ ନାଁ ମଧ୍ୟ ରଖିଛନ୍ତି । ଭିସା ସରିବା ପରେ କିଛି ଦିନ ବାଲେଶ୍ୱରରେ ରହିଥିଲେ, ପ୍ରଶାସନ ହଟାଇ ଦେବାରୁ ପୁରୀ ଆସି କାଳିଆର ଶରଣ ନେଇଛନ୍ତି । ଏବେ ରୁଷ ଫେରିବାକୁ ମଧ୍ୟ ସେମାନଙ୍କର ଇଚ୍ଛା ନାହିଁ । ଭାରତର ନାଗରିକତା ଗ୍ରହଣ କରି ଜଗନ୍ନାଥଙ୍କ ଆଶ୍ରାରେ ଦିନ କାଟିବାକୁ ମନସ୍ଥ କରିଛନ୍ତି ।