ୟୁକ୍ରେନ ଦଖଲ ପାଇଁ ରୁଷ୍ ସଜେଇଛି ସମରସଜ୍ଜା । ୬୪ କିଲୋମିଟର ଲମ୍ବର ଯୁଦ୍ଧ ପଟୁଆର ଧରି କିଭ୍ ଅଭିମୁଖେ ରୁଷିୟା ସେନା ।

195

କନକ ବ୍ୟୁରୋ : ଆମେରିକୀୟ ଉପଗ୍ରହ ଦ୍ୱାରା ଉତ୍ତୋଳନ କରାଯାଇଥିବା ଫଟୋ ଏକ ଭୟଙ୍କର ପରିଣାମ ଆଡକୁ ଇସାରା କରୁଛି । ପ୍ରାୟ ୬୪ କିଲୋମିଟର ଧରି ଲମ୍ବିଛି ରୁଷିଆ ସେନାର କାରକେଡ୍ । ଅର୍ଥାତ ସୈନିକ, ଗୋଳା ବାରୁଦ ଓ ଯୁଦ୍ଧାସ୍ତ୍ର ଧରି ଘେରିରହିଛି ରୁଷିଆ । ୟୁକ୍ରେନର ଛାତିରେ ଛନକା ଭରିଦେଲା ଭଳି ଚିତ୍ର ସାରାବିଶ୍ୱକୁ ବିସ୍ମିତ କରିଛି । ଯେକୌଣସି ସମୟରେ ୟୁକ୍ରେନ ରାଜଧାନୀ କିଭକୁ ସମ୍ପୂର୍ଣ୍ଣ କବଜା କରିନେଇପାରେ ଋଷିଆ । ୟୁକ୍ରେନ ରାଜଧାନୀ କିଭର ଉତ୍ତର ପଟରେ କିଛି ଏହିଭଳି ସେନା ଛାଉଣି କରିଛି ମସ୍କୋ । କାରଣ ପୂର୍ଣ୍ଣ ଶକ୍ତି ଲଗାଇ ୟୁକ୍ରେନକୁ ନିଶ୍ଚିହ୍ନ କରିଦେବାକୁ ବସିଛି ରୁଷିଆ । ସାଟେଲାଇଟ ଚିତ୍ରରୁ ଜଣାପଡିଛି ଯେ, ୟୁକ୍ରେନ ସୀମାଠାରୁ ପ୍ରାୟ ୨୦ କିଲମିଟର ଦୂର ବେଲାରୁସରେ ମଧ୍ୟ ପ୍ରସ୍ତୁତ ହୋଇ ରହିଛି ରୁଷିଆର ଲଢୁଆ ହେଲିକପ୍ଟର ।

ଖାରକିଭରେ ବଡ ବିସ୍ଫୋରଣ । ଧ୍ୱଂସ ହୋଇଗଲା ସରକାରୀ କୋଠା । ଋଷ-ୟୁକ୍ରେନ ଯୁଦ୍ଧ ଭିତରେ ଏକ ଛାତି ଧରା ଦୃଶ୍ୟ ସାମ୍ନାକୁ ଆସିଛି । ୟୁକ୍ରେନର ଖାରକିଭରେ ବଡ଼ ଧରଣର ବିସ୍ଫୋରଣ ହୋଇଛି । ଆଉ ସେ ସମୟର ଦୃଶ୍ୟ ଦେଖିଲେ ଜଣାପଡ଼ୁଛି ଯେ କେତେ ଭୟଙ୍କର ହୋଇଛି ବିସ୍ଫୋରଣ । ୟୁକ୍ରେନର ଏକ ସରକାରୀ କୋଠା ସମ୍ପୂର୍ଣ୍ଣ ଉଡିଯାଇଛି । ୟୁକ୍ରେନ୍ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ୍ କରି ଏହି ଭିଡ଼ିଓ ଜାରି କରାଯାଇଛି ।

ସାମରିକ ଘାଟିରେ ଋଷିଆର ଆକ୍ରମଣ । ୭୦ରୁ ଅଧିକ ୟୁକ୍ରେନ ସେନା ମୃତ । ୟୁକ୍ରେନ୍ ମିଲିଟାରୀ ବେସ୍ ଉପରେ ଋଷ ସେନାର ବଡ଼ ଆକ୍ରମଣ । ଏଥିରେ ୭୦ରୁ ଅଧିକ ୟୁକ୍ରେନ୍ ସେନା ନିହତ ହୋଇଥିବା ସୂଚନା ମିଳିଛି । କିଭ ଓ ଖାରକିଭ୍ ମଝିରେ ଥିବା ଏହି ମିଲିଟାରୀ ବେସ୍ ଉପରେ ଋଷ ସେନା ପକ୍ଷରୁ ଆକମଣ ହୋଇଛି । ଫଳରେ ପୂରା ମିଲିଟାରୀ ବେସ୍ ନଷ୍ଟ ହୋଇଯାଇଛି ।

ଋଷିଆ ଟାର୍ଗେଟରେ ଖାରକିଭ୍ । ଜନବସତି ଅଞ୍ଚଳରେ ଋଷ ମିସାଇଲ୍ । ଏବେ କିଭ ଓ ଖାରକିଭରେ ସଂଘର୍ଷ ଜାରି ରହିଛି । ୟୁକ୍ରେନର ଦ୍ୱିତୀୟ ବଡ ସହର ହେଉଛି ଖାରକିଭ । ଏଠାରେ ଋଷ ସେନା ପକ୍ଷରୁ ଆକ୍ରମଣ ଜାରି ରହିଛି । ଏହି ଆକ୍ରମଣରେ ମଙ୍ଗଳବାର ଦିନ ୧୦ ଜଣ ପ୍ରାଣ ହରାଇଥିବାବେଳେ ୩୫ରୁ ଅଧିକ ଲୋକ ଆହତ ହୋଇଛନ୍ତି । ବିଶେଷକରି ଜନବସତି ଅଞ୍ଚଳଗୁଡିକୁ ଟାର୍ଗେଟ କରୁଛି ଋଷ୍ ।