ମାରିୟୁପୋଲ ଦଖଲ କରିବାରେ ସଫଳ ହେଲା ଋଷ ସେନା, ୨୦ ହଜାର ଲୋକ ମରିଥିବା ସୂଚନା

175

କନକ ବ୍ୟୁରୋ : ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ୩ ମାସ ପୁରିବାକୁ ଯାଉଛି । ଏହି ଯୁଦ୍ଧ ସମୟରେ ଉଭୟ ଦେଶର ସେନାଙ୍କୁ ଛାଡି ହଜାର ହଜାର ସାଧାରଣ ଲୋକ ମୃତ୍ୟୁବରଣ କରିଛନ୍ତି । ଶହ ଶହ କୋଟି ଟଙ୍କାର ସରକାରୀ ଓ ବ୍ୟକ୍ତିଗତ ସଂପତ୍ତି ଏବେ ଧ୍ୱଂସ ସ୍ତୁପରେ ପରିଣତ ହୋଇଛି । ବାକି ବଞ୍ଚିଯାଇଥିବା ଲୋକମାନେ ଏବେ ଧୂଆଁ ଘେରରେ । ଏଭଳି ସ୍ଥିତିରେ ବି କେହି କାହାକୁ ଛାଡିବାକୁ ନାରାଜ । ହେଲେ ଏବେ ଋଷ ଦାବି କରିଛି କି ୟୁକ୍ରେନର ସବୁଠାରୁ ବଡ ସହର କୁହାଯାଉଥିବା ମାରିୟୁପୋଲକୁ ପୁଟିନ ସେନା ଦଖଲ କରିଛନ୍ତି । ଏହାସହ ବନ୍ଦରର ସହର ମାରିୟୁପୋଲକୁ ଦଖଲ କରିବା ପରେ ଏହା ପୁଟିନ ସେନାଙ୍କ ପାଇଁ ଏକ ବଡ ସଫଳତା ବୋଲି ଋଷ ପକ୍ଷରୁ କୁହାଯାଇଛି ।

ସେପଟେ ମାରିୟୁପୋଲ ଦଖଲ ବେଳେ ୟୁକ୍ରେନର ୨୦ ହଜାରରୁ ଅଧିକ ସାଧାରଣ ଲୋକଙ୍କର ଜୀବନ ଯାଇଥିବା କଥା ସୂଚନା ମିଳିଛି । ଏହାସହ ମାରିୟୁପୋଲରେ ଋଷସେନା ସହ ଯୁଦ୍ଧବେଳେ ୨,୪୩୯ ଜଣ ୟୁକ୍ରେନ ସୈନିକ ପୁଟିନ ସେନା ପାଖରେ ଆତ୍ମ ସମର୍ପଣ କରିଥିବା କଥା କୁହାଯାଉଛି ।

ଏନେଇ ରୁଷ ରାଷ୍ଟ୍ରପତି ପୁଟିନଙ୍କୁ ଦେଶର ବୈଦେଶିକ ମନ୍ତ୍ରୀ ରିପୋର୍ଟ ଦେଇଥିବା ସୂଚନା ମିଳିଛି । ହେଲେ ୟୁକ୍ରେନ୍ ପକ୍ଷରୁ ଏନେଇ କିଛି ପ୍ରତିକ୍ରିୟା ରଖାଯାଇନାହିଁ । ପାଖାପାଖି ୩ ମାସ ହେବ ରୁଷ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଲାଗି ରହିଛି । ଏହାର ଭିତରେ ଅନେକ ସହରକୁ ରୁଷ ସେନା କବ୍ଜା କରିଥିବା ଦାବି କରୁଛି ।