ଖାର୍କିଭରେ ଋଷ ସେନାର ନିର୍ଯାତନାର ଚିତ୍ର: ସୁପର ମାର୍କେଟରେ ପଶିଲେ ବନ୍ଧୁକ ମୁନରେ ଛଡାଇନେଲେ ଖାଦ୍ୟ ପଦାର୍ଥ

374

କନକ ବ୍ୟୁରୋ: କର୍ଫ୍ୟୁ କୋହଳ ହେଲା ପରେ ପରେ ୟୁକ୍ରେନର ଦ୍ୱିତୀୟ ବୃହତମ ସହର ଖାର୍କିଭରେ ଥିବା ସୁପର ମାର୍କେଟରେ ଦେଖିବାକୁ ମିଳିଥିଲା କିଛି ଏଭଳି ଚିତ୍ର ଯେଉଁଠି, ପାଣି ଓ ଶୁଖିଲା ଖାଦ୍ୟ କିଣିବା ପାଇଁ ଲାଗିଥିଲା ଲମ୍ବା ଧାଡି । କିନ୍ତୁ ହଠାତ ସୁପର ମାର୍କେଟରେ ପଶିଲେ ରୁଷ ସେନା । ଆଉ ବନ୍ଧୁକ ମୁନରେ ଲୁଟିନେଲେ ଖାଦ୍ୟ ପଦାର୍ଥ । ସୁପର ମାର୍କେଟ ଭିତରେ ରଖାଯାଇଥିବା ବିଭିନ୍ନ ସାମଗ୍ରୀକୁ ଲୁଟି ନିଜ ସହ ନେଇଯାଇଛନ୍ତି ରୁଷ ସେନା ।

ବୋମା ଭୟରେ ବଙ୍କରରେ ବିତୁଛି ଅନେକଙ୍କ ଦିନ ଓ ରାତି । ବଂଚିବା ପାଇଁ ଏକମାତ୍ର ସାହାରା ପାଲଟିଛି ବଙ୍କର ଓ ମେଟ୍ରୋ । ଗତ ୩-୪ ଦିନ ହେବ ଏମିତି ହିଁ ବିତୁଛି ସମୟ । ପୂର୍ୱ ୟୁକ୍ରେନରେ ଏବେବି ଅନେକ ଭାରତୀୟ ଫସିରହିଛନ୍ତି । ଖାର୍କିଭ ଭଳି ପୂର୍ୱ ୟୁକ୍ରେନର ବିଭିନ୍ନ ଅଂଚଳରେ ଫସିଥିବା ଭାରତୀୟଙ୍କୁ କେବେ ଉଦ୍ଧାର କରାଯିବ ବୋଲି ଓଡିଆ ଡାକ୍ତରୀ ଛାତ୍ର ପ୍ରଶ୍ନ କରିଛନ୍ତି ।

ଅନ୍ୟପଟେ ୟୁକ୍ରେନ ଫେରନ୍ତା ଓଡିଆ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁମ୍ବାଇ ବିମାନବନ୍ଦରରେ ଏକ ସହାୟତା କେନ୍ଦ୍ର ଖୋଲାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ୟୁକ୍ରେନରେ ରହିଯାଇଥିବା ଅନ୍ୟ ଛାତ୍ରଛାତ୍ରୀଙ୍କ ଫେରିବା ପାଇଁ ସବୁ ପ୍ରକାର ଉଦ୍ୟମ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଭରସା ଦେଇଛନ୍ତି । ୟୁକ୍ରେନର ଖାର୍କିବରେ ବହୁ ଓଡିଆ ଛାତ୍ରଛାତ୍ରୀ ଫସିରହିଥିବାବେଳେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁୁ ନିବେଦନ କରିଛନ୍ତି ୟୁକ୍ରେନ ଫେରନ୍ତା ଓଡିଆ ଛାତ୍ରଛାତ୍ରୀ ।