କନକ ବ୍ୟୁରୋ: ପୋଲାଣ୍ଡରେ ଅବସ୍ଥାପିତ ଋଷ ରାଷ୍ଟ୍ରଦୂତ ସର୍ଗେୟୀ ଆନ୍ଦ୍ରେଭଙ୍କୁ ଅତ୍ୟନ୍ତ ଲଜ୍ଜାଜନକ ସ୍ଥିତିର ସମ୍ମୁଖୀନ ହେବାକୁ ପଡିଛି । ଦ୍ୱିତୀୟ ବିଶ୍ୱଯୁଦ୍ଧର ପରିସମାପ୍ତି ପାଇଁ ଆୟୋଜିତ ବାର୍ଷିକ ବିଜୟ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ବେଳେ ଆନ୍ଦ୍ରେଭଙ୍କ ମୁହଁକୁ ବିକ୍ଷୋଭକାରୀମାନେ ନାଲି ରଙ୍ଗର କାଳି ରଙ୍ଗର କାଳି ମାଡ କରିଛନ୍ତି ।ଏହି କାଳିମାଡର ଦୃଶ୍ୟ କ୍ୟାମେରାରେ ମଧ୍ୟ କଏଦ ହୋଇଛି । ଏବେ ସୋସିଆଲ ମିଡିଆରେ ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି ।

Advertisment

ସୂଚନା ମୁତାବକ, ବିକ୍ଷୋଭକାରୀମାନେ ସୋଭିଏତ ସୈନ୍ୟଙ୍କ ସ୍ମାରକୀ ଆଗରେ ହିଁ ଆନ୍ଦ୍ରେଭଙ୍କୁ ଆକ୍ରମଣ କରିଛନ୍ତି । ଭିଡିଓ ଅନୁଯାୟୀ, ସୋଭିଏତ୍ ସୈନ୍ୟଙ୍କୁ ସମ୍ମାନ ଜଣାଇବା ପାଇଁ ଆନ୍ଦ୍ରେଭ ଓ ଋଷର ଗୋଟିଏ ପ୍ରତିନିଧି ମଣ୍ଡଳ ୱାରସରେ ପହଞ୍ଚିଥିଲେ । ହେଲେ ସେମାନେ ସେଠାକୁ ଯାଉଥିବା ବେଳେ ପ୍ରବଳ ବିରୋଧର ସମ୍ମୁଖୀନ ହୋଇଥିଲେ । ଋଷ ପ୍ରତିନିଧିମାନଙ୍କୁ ବିକ୍ଷୋଭକାରୀ ଘେରି ଯାଇଥିଲେ । ପ୍ରଥମେ କିଛି ବିକ୍ଷୋଭକାରୀ ଆନ୍ଦ୍ରେଭଙ୍କୁ କିଛି ଜିନିଷ ଫୋପାଡିଥିଲେ । ଏହାପରେ ଜଣେ ବିକ୍ଷୋଭକାରୀ ସାମ୍ନା ପଟୁ ହିଁ ନାଲି ରଙ୍ଗର କାଳିକୁ ତାଙ୍କ ମୁହଁକୁ ଛାଟିଥିଲେ ।
ଏହି ଘଟଣାରେ ଆନ୍ଦ୍ରେଭ ଚିଡିଯିବା ସହ ଘଟଣାସ୍ଥଳରୁ ଅନ୍ୟ ପ୍ରତିନିଧିମାନଙ୍କ ସୁରକ୍ଷାକର୍ମୀଙ୍କ ସହାୟତାରେ ଘଟଣାସ୍ଥଳରୁ ଚାଲି ଯାଇଥିଲେ । ବିକ୍ଷୋଭକାରୀମାନେ ୟୁକ୍ରେନ ଉପରେ ଋଷ ସେନା କରୁଥିବା ଆକ୍ରମଣକୁ ବିରୋଧ କରି ଏପରି କାଣ୍ଡ ଘଟାଇଛନ୍ତି । ସେମାନେ ଧଳା ପୋଷାକ ପିନ୍ଧି ପ୍ରତିବାଦ ସ୍ୱରୂପ ନକଲି ରକ୍ତ ଛିଟା ଏଥିରେ ପକାଇଥିଲେ । ଏଥିସହ ସେମାନେ ଋଷ ରାଷ୍ଟ୍ରଦୂତଙ୍କୁ ଦେଖିବା ମାତ୍ରେ ଫାଶୀବାସୀ କହି ନାରା ଦେଇଥିଲେ ।