କନକ ବ୍ୟୁରୋ: ପ୍ରଥମ କରୋନା ଟିକା କିଏ ଆଣିବ ଏ ନେଇ ସାରା ବିଶ୍ୱରେ ପ୍ରତିଯୋଗତା ଚାଲିଥିବା ବେଳେ ରୁଷ ସରକାରଙ୍କ ପକ୍ଷରୁ ବଡ ଘୋଷଣା କରାଯାଇଛି । ଅଗଷ୍ଟ ୧୨ ତାରିଖରେ ବିଶ୍ୱର ପ୍ରଥମ କରୋନା ଟିକାର ହେବ ରେଜିଷ୍ଟ୍ରେସନ୍ । ଏନେଇ ଘୋଷଣା କରିଛନ୍ତି ରୁଷିଆର ଉପସ୍ୱାସ୍ଥ୍ୟମନ୍ତ୍ରୀ ଓଲେଗ ଗ୍ରିଦନେଭ । ତାଙ୍କ ସୂଚନା ଅନୁସାରେ ରୁଷିଆର ଗମାଲେଇ ଇନଷ୍ଟିଚ୍ୟୁଟ୍ ଅଫ ଏପିଡେମିଓଲୋଜି ଆଣ୍ଡ ମାଇକ୍ରୋବାୟୋଲୋଜି ବିଭାଗ ଏବଂ ରୁଷିଆ ପ୍ରତିରକ୍ଷା ମନ୍ତ୍ରାଳୟ ଦ୍ୱାରା ପ୍ରସ୍ତୁତ କରାଯାଉଥିବା କରୋନା ଟିକା ଆଗାମୀ ୧୨ ତାରିଖରେ ପଞ୍ଜିକରଣ ହେବ । ଏହି ଘୋଷଣା ପରେ ସାରା ବିଶ୍ୱର ନଜର ଏବେ ରୁଷିଆ ଉପରେ ଅଟକି ରହିଛି । କାରଣ ରୁଷିଆ ଦାବି କରୁଛି ୧୨ ଅଗଷ୍ଟ ସୁଦ୍ଧା ଏହା ପଞ୍ଜିକରଣ ହେବ ଓ ଖୁବଶୀଘ୍ର ଟିକା ବଜାରକୁ ନେଇଆସିବ ।

Advertisment

ତେବେ ମସ୍କୋର ସେଚେନୋଭ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରସ୍ତୁତ ଏହି ଟିକାର ନାଁ ରହିଛି – କ୍ୟାମ କୋଭିଡ୍ ଭ୍ୟାକ୍ । ଏହାର ସଫଳ ପରୀକ୍ଷଣ ହୋଇସାରିଥିବା ରୁଷିଆ ଦାବି କରିଛି । ରୁଷ ସରକାର କହୁଛନ୍ତି ଦେଶରେ ପ୍ରଥମେ ବୟସ୍କ ବ୍ୟକ୍ତି ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଏହି ଟିକା ଦିଆଯିବ । ହେଲେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କହିବା ହେଲା କି ଆସନ୍ତା ବର୍ଷ ଆରମ୍ଭ ଯାଏଁ କୌଣସି ସୁରକ୍ଷିତ କରୋନା ଟିକା ବଜାରକୁ ଆସିପାରିବ ନାହିଁ । ତେଣୁ ରୁଷିଆର ଦାବି ପରେ ଚେତାଇ ଦେଇଛି ଡବ୍ଲୁଏଚଓ । ଉଭୟ ଟିକା ପ୍ରସ୍ତୁତି ଓ ବ୍ୟବହାର ପାଇଁ ନିର୍ଦ୍ଧାରିତ ନୀତିନିୟମକୁ ପାଳନ କରିବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ରୁଷିଆକୁ ସତର୍କ କରିଦେଇଛି ।

ବିଶ୍ୱରେ ଏବେ ୧୬୦ଟି ଦେଶ କିମ୍ବା ସଂସ୍ଥା କରୋନା ଟିକା ପ୍ରସ୍ତୁତିରେ ଲାଗିଛନ୍ତି । ଏମାନଙ୍କ ଭିତରେ ପ୍ରତିଯୋଗିତା ଚାଲିଛି ଯେ, କିଏ ପ୍ରଥମେ କରୋନା ଟିକା ଆଣିବ ଓ ସାରା ବିଶ୍ୱରେ ତାର ଦବଦବା ଜାହିର କରିବ । କରୋନା ଟିକାର ବଡ ଦାବିଦାର ହେଉଛନ୍ତି - ସେଚେନୋଭା ବିଶ୍ୱବିଦ୍ୟାଳୟ, ସେମାନେ ପ୍ରସ୍ତୁତ କରୁଥିବା କରୋନା ଟିକାର କ୍ଲିନିକାଲ ଟ୍ରାଏଲ ଶେଷ ହୋଇଛି । ଦ୍ୱିତୀୟରେ ରହିଛି ସାଇନୋଭାକ- ସେମାନେ ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ ରହିଛନ୍ତି । ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଟିକା ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ହେଉଛି । କ୍ୟାନସିନୋ ବାୟୋଲୋଜି ପକ୍ଷରୁ ହେଉଥିବା ଟିକାର ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ଶେଷ ହୋଇଛି । ସେହିପରି ମୋଡେର୍ଣ୍ଣାର ଟିକା ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ହେଉଛି । ସେପଟେ ଭାରତ ବାୟୋଟେକ୍ ପ୍ରସ୍ତୁତ କରୁଥିବା କୋଭ୍ୟାକ୍ସିନ ମଧ୍ୟ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଚାଲିଛି ।