ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଋଷକୁ ଆଂଶିକ ସଫଳତା, ୟୁକ୍ରେନର ୪ ଟି ସହରକୁ ଋଷ ସହ ସାମିଲ କଲେ ପୁଟିନ୍

271

କନକ ବ୍ୟୁରୋ : ଋଷ ଓ ୟୁକ୍ରେନ ମଧ୍ୟରେ ଲାଗିଥିବା ଯୁଦ୍ଧ ଭିତରେ ୟୁକ୍ରେନର ୪ ଟି ସହରକୁ ଋଷ ଦଖଲ କରି ନିଜ ନିୟନ୍ତ୍ରଣକୁ ଆଣିଥିଲା । ଏହାପରେ ଦଖଲ କରିଥିବା ୪ ଟି ସହରର ଲୋକଙ୍କ ଜନମତ ସଂଗ୍ରହ କରିଥିଲା ଋଷ । ଏହାପରେ ଏବେ ସ୍ପଷ୍ଟ ହୋଇଛି କି ଶୁକ୍ରବାର ଅର୍ଥାତ ଆସନ୍ତାକାଲି ଠାରୁ ଏହି ୪ ଟି ସହର ଅଧିକାରୀ ସ୍ତରରେ ଋଷର ଅଂଶ ହେବାକୁ ଯାଉଛି ।

ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ କାର୍ଯ୍ୟାଳୟ କ୍ରେମଲିନ ତରଫରୁ ଜାରି କରାଯାଇଥିବା ବୟାନ ମୁତାବକ ଋଷ ତରଫରୁ ଦଖଲ କରାଯାଇଥିବା ୟୁକ୍ରେନର ୪ ଟି ସହରରକୁ ଶୁକ୍ରବାର ଠାରୁ ଋଷର ଏକ ଅଂଶ ବୋଲି ଘୋଷଣା କରାଯିବ । ଏନେଇ ଋଷ ପକ୍ଷରୁ ଏକ କାର୍ଯ୍ୟକ୍ରମର ଆୟୋଜିତ କରାଯାଇ ଏହାକୁ ଋଷର ଏକ ଅଂଶ ବୋଲି ଘୋଷଣା କରାଯିବ ।

ୟୁକ୍ରେନର ଯେଉଁ ୪ ଟି ସହରକୁ ଋଷ ତାର ଭୌଗଳିକ ସୀମାରେ ସାମିଲ କରିବାକୁ ଯାଉଛି ତା ମଧ୍ୟରେ ରହିଛି ଲୁହାନସ୍କ, ଜାପୋଶିଜ୍ଜେୟା, ଖେରସନ ଓ ଡୋନାସ୍କୋ । ଏହି ଅଞ୍ଚଳରେ ଋଷ ତରଫରୁ କିଛିଦିନ ହେବ ଜନମତ ସଂଗ୍ରହ କରାଯାଉଥିଲା । ଯାହାକି ମଙ୍ଗଳବାର ଦିନ ସମାପ୍ତ ହୋଇଛି ।

ସୂଚନା ଥାଉକି ଋଷ ରାଷ୍ଟ୍ରପତି ପୁଟିନଙ୍କ ନେତୃତ୍ୱରେ ଋଷ ସେନା ୭ ମାସରୁ ଉର୍ଦ୍ଧ ହେବ ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛନ୍ତି । ଏହି ଆକ୍ରମଣ ସମୟରେ ଋଷ ସେନା ୟୁକ୍ରେନର କିଛି ଅଞ୍ଚଳକୁ ଦଖଲ କରିନେଇଥିଲା । ଏବେ ସେହିସବୁ ଅଞ୍ଚଳକୁ ଆଇନଗତ ଭାବେ ଋଷର ବୋଲି ଆସନ୍ତା କାଲି ଘୋଷଣା କରାଯିବ ।