କନକ ବ୍ୟୁରୋ : ଋଷ-ୟୁକ୍ରେନ୍ ମଧ୍ୟରେ ଘମାଘୋଟ ଯୁଦ୍ଧ ଜାରି ରହିଛି । ଋଷର ଘନ ଘନ ଆକ୍ରମଣରେ ୟୁକ୍ରେନର ଅଧିକାଂଶ ସହରର ଅବସ୍ଥା ଏବେ ସଙ୍ଗୀନ । କେଉଁଠି ମିସାଇଲରେ ଆକ୍ରମଣ ହେଉଛି ତ ପୁଣି କେଉଁଠି ଋଷ ଟ୍ୟାଙ୍କ ରାସ୍ତାରେ ପଇଁତରା ମାରୁଛି । ଋଷର ପ୍ରଚଣ୍ଡ ଆକ୍ରମଣ ସତ୍ତେ୍ୱ ମଧ୍ୟ ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କି ଦେଶବାସୀଙ୍କ ସୁରକ୍ଷା ପାଇଁ ସାହସର ସହ ଛିଡା ହୋଇଛନ୍ତି । ତେବେ ରାଜଧାନୀ କିବ ଅଭିମୁଖେ ଋଷ ସେନା ମୁହାଁଇଥିବା ବେଳେ ଏବେ ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ସାଂଘାତିକ ବୟାନ ସାମ୍ନାକୁ ଆସିଛି ।

Advertisment

ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି, ଯୁଦ୍ଧ ଆଳରେ ଋଷ ମୋତେ ହତ୍ୟା କରିବାକୁ ଚାହୁଁଛି । ଆଉ ଏଥିପାଇଁ ୪୦୦ରୁ ଅଧିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଭଡାଟିଆ ଗୁଣ୍ଡା ୟୁକ୍ରେନରେ ପ୍ରବେଶ କରି ସାରିଛନ୍ତି । କ୍ରେମାଲିନଙ୍କ ଆଦେଶ ଅନୁଯାୟୀ ଏହି ଭଡାଟିଆ ଗୁଣ୍ଡା ଋଷରେ ପ୍ରବେଶ କରିଛନ୍ତି । ମୋତେ ହତ୍ୟା କରି ମୋ ସ୍ଥାନରେ ନିଜ ସମର୍ଥିତ ସରକାର ଗଢିବାକୁ ଚାହୁଁଛି ଋଷ । ଏଭଳି ସାଂଘାତିକ ତଥ୍ୟ ଏବେ ୟୁକ୍ରେନ ସରକାରଙ୍କୁ ମିଳିବା ପରେ ରାଷ୍ଟ୍ରପତି ଜେଲେନସ୍କିଙ୍କ ସୁରକ୍ଷାକୁ ଆହୁରି କଡାକଡି କରାଯାଇଛି । ଏପରିକି ରାଜଧାନୀ କିବରେ କର୍ଫ୍ୟୁ କଟକଣାକୁ ଆହୁରି କଡାକଡି କରାଯିବା ସହ ସାଧାରଣ ଲୋକଙ୍କୁ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି । ଯଦି କେହି କର୍ଫ୍ୟୁର ନିୟମ ପାଳନ ନକରି ବାହାରେ ବୁଲୁଥିବାର ଦେଖିବାକୁ ମିଳନ୍ତି ତେବେ ତାଙ୍କୁ ହତ୍ୟା କରାଯାଇପାରେ ।

କେବଳ ଏତିକି ନୁହେଁ ରାଜଧାନୀ କିବରେ ଏୟାର ରେଡ ଆଲର୍ଟ ଜାରି କରାଯାଇଛି । ଏହି ଆଲର୍ଟ ପରେ ସାଧାରଣ ଲୋକଙ୍କୁ ଖୁବଶୀଘ୍ର କୌଣସି ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ କୁହାଯାଇଛି । ଏହାପୂର୍ବରୁ ମଧ୍ୟ ଜେଲେନସ୍କି କହି ସାରିଛନ୍ତି ଯେ, ପୁଟିନଙ୍କ ଟାର୍ଗେଟରେ ମୁଁ ଓ ମୋ ପରିବାର ରହିଛନ୍ତି । ଏସବୁ ଭିତରେ ଆମେରିକା ପକ୍ଷରୁ କୁହାଯାଇଛି ଯେ, ଋଷ-ୟୁକ୍ରେନ୍ ଯୁଦ୍ଧରେ ଏବେ ବେଲାଋଷ ଏଣ୍ଟ୍ରି ମାରିପାରେ । ଏନେଇ ଗୁଇନ୍ଦା ସୂଚନା ମିଳିଛି ବୋଲି ଆମେରିକା ପକ୍ଷରୁ କୁହାଯାଇଛି ।