ଭାରତରେ ଋଷ କରୋନା ଟିକାର ପରୀକ୍ଷଣ ପାଇଁ ମିଳିଲା ଅନୁମତି । ‘ସ୍ପୁଟନିକ ଭି’ ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣକୁ ଅନୁମତି ଦେଲା ଡିସିଜିଆଇ । ଡକ୍ଟର ରେଡିଜ ଲାବୋରୋଟୋରିକୁ ମିଳିଲା ଅନୁମତି ।

235

କନକ ବ୍ୟୁରୋ : କରୋନା ମାହାମାରୀ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ବେଳେ ଭୂତାଣୁ ମାରିବା ପାଇଁ ଟିକା ପ୍ରସ୍ତୁତି ଲାଗିଛନ୍ତି ବିଭିନ୍ନ ଦେଶ । ହେଲେ ଏଯାଏଁ ଟିକା ବାହାରି ପାରି ନାହିଁ । ଏହାର ଭିତରେ ଭାରତରେ ଋଷ କରୋନା ଟିକାର ପରୀକ୍ଷଣ ପାଇଁ ଅନୁମତି ମିଳିଛି । ‘ସ୍ପୁଟନିକ ଭି’ ଟିକାର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ପାଇଁ ଅନୁମତି ପ୍ରଦାନ କରିଛି ଡିସିଜିଆଇ । ଭାରତରେ ଥିବା ଡକ୍ଟର ରେଡିଜ ଲାବୋରୋଟୋରିକୁ ଅନୁମତି ଦେଇଛି ଡ୍ରଗ କଂଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ ।

‘ସ୍ପୁଟନିକ ଭି’ ଟିକାର ପ୍ରଥମ ପର୍ଯ୍ୟାୟରେ ରାଷ୍ଟ୍ରପତି ଭାଲ୍ଦୀମିର ପୁତିନଙ୍କ ଝିଅକୁ ଦିଆଯାଇଥିଲା । ପରେ ଏହି ଟିକାକୁ ନେଇ ଅନେକ ଆଶଙ୍କା ରହିଥିଲା । ତେବେ ଏବେ ଭାରତରେ ଏହାର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ଅନୁମତି ଦିଆଯାଇଛି ।

କରୋନା ମହାମାରୀର ମୁକାବିଲା ପାଇଁ ଟିକା ବାହାର କରିବାକୁ ବିଶ୍ୱର ବିଭିନ୍ନ ଦେଶ ଉଦ୍ୟମ ଜାରି ରଖିଛନ୍ତି । ଏଭଳି ସମୟରେ ଅଗ୍ରାଧିକାର ଭିତିରେ ୩୦ କୋଟି ଲୋକଙ୍କୁ ଟିକା ଦେବାକୁ ଚିହ୍ନଟ ପ୍ରକିୟା ଆରମ୍ଭ କରିଛି ଭାରତ । ପ୍ରାଥମିକ ଭାବେ ୫୦ରୁ ୭୦ ଲକ୍ଷ ସ୍ୱାସ୍ଥ୍ୟକର୍ମୀ, ୨ କୋଟି ପୋଲିସ, ମୁନସିପାଲ କର୍ମଚାରୀ ଓ ସେନା ବାହିନୀର ଯବାନ , ୨୬ କୋଟି ୫୦ ବର୍ଷରୁ ଅଧିକ ବର୍ଷର ଲୋକ ଓ ଅଧିକ ସମ୍ବେଦନଶୀଳ ଲୋକଙ୍କୁ ଏହି ଟିକା ଦେବାକୁ ବ୍ୟବସ୍ଥା କରାଯାଉଛି । ସେମାନଙ୍କୁ ୬୦ କୋଟି ଭାକସିନର ଡୋଜ୍ ଦିଆଯିବାକୁ ଆକଳନ କରାଯାଇଛି ।

ଭାକସିନର ବ୍ୟବାହାର ପାଇଁ ଅନୁମତି ମିଳିବା ପରେ ବୁଷ୍ଟର ଡୋଜ୍ ଦିଆଯିବ । ବର୍ତମାନ ଦେଶରେ ତିନିଟି ଟିକାର ମାନବ ପରୀକ୍ଷଣ ଜାରି ରହିଛି । ଏଥିରୁ ଅକ୍ସଫୋର୍ଡ -ଆଷ୍ଟ୍ରାଜେନିକା ସହ ସହବନ୍ଧିତ ଥିବା ପୁନେର ଔଷଧ କମ୍ପାନୀ ସିରମ ଇନଷ୍ଟିଚ୍ୟୁଟର ଟ୍ରାଏଲ ସବୁଠୁ ଆଗରେ ରହିଛି । ନଭେମ୍ବର ଶେଷ କିମ୍ବା ଡିସେମ୍ବର ଆରମ୍ଭରେ ତୃତୀୟ ପର୍ଯ୍ୟାୟ ପରୀକ୍ଷଣର ତଥ୍ୟ ଆସିଯିବ ବୋଲି କିଛି ଦିନ ତଳେ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।