ଆଗ ଆସିପାରେ ଋଷିଆ ଟୀକା ! ସେପ୍ଟେମ୍ବରରେ ଆରମ୍ଭ ହେବ ଦୈନିକ ଉତ୍ପାଦନ । ଅକ୍ଟୋବରରୁ ଆରମ୍ଭ ହୋଇପାରେ ଗଣ ଟୀକାକରଣ, ଋୁଷ ସରକାରଙ୍କ ଶିଳ୍ପ ଓ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସୂଚନା । ସନ୍ଦେହ ଦୃଷ୍ଟିରେ ଦେଖିଲା ଆମେରିକା…

963

କନକ ବ୍ୟୁରୋ: କରୋନା ଟିକା ଆଗ କିଏ ଆଣିବ ଏହାକୁ ନେଇ ବଡ ବଡ ଦେଶ ମଧ୍ୟରେ ପ୍ରତିଯୋଗିତା ଚାଲିଥିବା ବେଳେ ଋଷିଆରୁ ଆସିଛି ଭଲ ଖବର । ଆସନ୍ତା ମାସ ସେପ୍ଟେମ୍ବରରୁ ଋଷିଆ ପ୍ରଚୁର ପରିମାଣରେ କୋଭିଡ ଟିକା ପ୍ରସ୍ତୁତ କରିବାକୁ ଯାଉଛି । ଏହି ଟିକାର ନାଁ ହେଉଛି ଗାମେଲିଆ ଟିକା । ଏନେଇ ଋଷିଆ ସରକାରଙ୍କ ୨ଜଣ ମନ୍ତ୍ରୀ, ଶିଳ୍ପ ମନ୍ତ୍ରୀ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ଋଷିଆର ସବୁଠାରୁ ଲୋକପ୍ରିୟ ନ୍ୟୁଜ ଏଜେନ୍ସି ‘ଟାସ’କୁ ସୂଚନା ଦେଇଛନ୍ତି । ମସ୍କୋ ଟାଇମସରେ ପ୍ରକାଶ ପାଇଥିବା ଖବର ଅନୁଯାୟୀ, ୨୦୨୧ ସୁଦ୍ଧା ଲକ୍ଷ ଲକ୍ଷ ସଂଖ୍ୟାରେ ଗାମେଲିଆ କୋଭିଡ ଟିକା ପ୍ରସ୍ତୁତ କରିବ ଋଷିଆ ।

ମସ୍କୋର ଗାମେଲିଆ ଇନଷ୍ଟିଚ୍ୟୁଟ୍ରେ ପ୍ରସ୍ତୁତ ହେଉଥିବା କୋଭିଡ ଟୀକା ଆଡଭାନ୍ସ ଷ୍ଟେଜରେ ପହଂଚିଥିବା ଏହି ରିପୋର୍ଟରେ କୁହାଯାଇଛି । ଟାସ ନ୍ୟୁଜ୍ ଏଜେନ୍ସିକୁ ଋଷିଆର ଶିଳ୍ପ ମନ୍ତ୍ରୀ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି, ଆସନ୍ତା ସେପ୍ଟେମ୍ବର ମାସରେ ପ୍ରଚୁର ପରିମାଣରେ ଗାମେଲିଆ କୋଭିଡ ଟିକା ପ୍ରସ୍ତୁତ ହେବାକୁ ଯାଉଛି । ଧୀରେ ଧୀରେ ୨୦୨୧ ବେଳକୁ ଏହି ଉତ୍ପାଦନ ହଜାର ହଜାର ଲକ୍ଷ ଲକ୍ଷରେ ପହଂଚିବ ବୋଲି ସେ କହିଛନ୍ତି । ସେଂଟ୍ରାଲ ଋଷିଆର ୩ଟି ସ୍ଥାନରେ ଉତ୍ପାଦନ ଜ୍ଞାନକୌଶଳ ପ୍ରସ୍ତୁତି ଚାଲିଛି । ଋଷିଆ ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଗାମେଲିୟା ଟୀକାର କ୍ଲିନିକାଲ ଟ୍ରାଏଲ ଶେଷ ହୋଇଛି । ଏହାର ରେଜିଷ୍ଟ୍ରେସନ ପାଇଁ କାଗଜପତ୍ର କାମ ମଧ୍ୟ ଶେଷ ହୋଇସାରିଛି । ଅକ୍ଟୋବର ୧ ତାରିଖରେ ଋଷିଆରେ ସମୁହ ଟିକାକରଣ ହେବାକୁ ଯାଉଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି ।

ତେବେ ଗାମେଲିଆ ଟିକାକୁ ମଧ୍ୟ ଭାଇରାଲ ଭେକଟର ଟିକା ବୋଲି କୁହାଯାଉଛି । ସେ ଆହୁରି ମଧ୍ୟ କହିଛନ୍ତି, ସାଇବେରିଆର ଭେକଟର ଲ୍ୟାବ ଦ୍ୱାରା ପ୍ରସ୍ତୁତ ହୋଇଥିବା ଆଉ ଏକ ଟିକାର ଏବେ କ୍ଲିନିକାଲ ଟ୍ରାଏଲ ଚାଲିଛି । ଆସନ୍ତା ୨ମାସ ମଧ୍ୟରେ ଆଉ ୨ଟି ଟୀକାର ମାନବ ପରୀକ୍ଷଣ ହେବାକୁ ଯାଉଛି । ସେପଟେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରସ୍ତୁତି ଚାଲିଥିବା ‘କୋଭିସିଲ୍ଡ’ ଟିକାର ଭାରତରେ ମାନବ ପରୀକ୍ଷଣ ପାଇଁ ସିରମ ଇନଷ୍ଟିଚ୍ୟୁଟ୍କୁ ଭାରତ ସରକାର ଅନୁମତି ଦେଇଛନ୍ତି ।

ଅନ୍ୟପଟେ ଏହି ଟିକାର ଭାରତରେ ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ହେବ । ସେପଟେ ଆମେରିକାର ‘ମଡର୍ନା’କମ୍ପାନି ମଧ୍ୟ ଟିକା ପ୍ରସ୍ତୁତିରେ୍ ବେଶ ଆଗୁଆ ରହିଛି । ଏସବୁ ଭିତରେ କିନ୍ତୁ ଋଷିଆ ଟିକା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲାଭଳି ଲାଗୁଛି । ଅନ୍ୟପଟେ ଆମେରିକା, ଋଷିଆର ଏହି ଦାବିକୁ ସନ୍ଦେହ ଚକ୍ଷୁରେ ଦେଖୁଛି ।