ଋଷ-ୟୁକ୍ରେନ ଯୁଦ୍ଧର ଭୟଙ୍କର ସତ । ଛାରଖାର କରିଦେଲା ଗୋଟିଏ ବୁଲେଟ୍

Advertisment
ଋଷ-ୟୁକ୍ରେନ ଯୁଦ୍ଧର ଭୟଙ୍କର ସତ ।  ଛାରଖାର କରିଦେଲା ଗୋଟିଏ ବୁଲେଟ୍

କନକ ବ୍ୟୁରୋ : ଯୁଦ୍ଧ ନେଉଛି ଜୀବନ । ଏଠି ପ୍ରତି ମୁହୁର୍ତ୍ତରେ କିଏ ବାପା-ମାଆ, କିଏ ସ୍ୱାମୀ-ସ୍ତ୍ରୀ, ଆଉ କିଏ ନିଜର ଭାଇ ଓ ଭଉଣୀ ହରାଉଛି । ବାପା ମୁହଁରେ ନିଆଁ ଦେବାକୁ ପୁଅକୁ ସୁଯୋଗ ମିଳୁନି, ଆଖିଆଗରେ ମାଆର ଜୀବନ ଚାଲିଯାଉଛି କିନ୍ତୁ ଚାହିଁଲେ ବି କିଛି କରିହେଉନି । କାହିଁକି ନା ଏଠି ପ୍ରତି ମୁହୁର୍ତ୍ତରେ ଆକାଶରୁ ପଡୁଛି ମୃତ୍ୟୁର ମିଜାଇଲ୍ । ଋଷ-ୟୁକ୍ରେନ ଯୁଦ୍ଧର ଏହା ହିଁ ଭୟଙ୍କର ସତ ।
ୟୁକ୍ରେନ୍‌ରେ ରୁଷ୍‌ର ଆକ୍ରମଣ ହଜାର ହଜାର ପରିବାରକୁ ଛାରଖାର କରିଦେଇଛି। ରୁଷ୍‌ର ସ୍ବତନ୍ତ୍ର ସାମରିକ ଅଭିଯାନ ଦିଗହରା ହେବା ପରେ ଏବେ ସବୁଠି କେବଳ ବର୍ବର ଆକ୍ରମଣ ଦେଖିବାକୁ ମିଳିଛି । ସାଧାରଣ ନାଗରିକଙ୍କ ଉପରେ ବଜ୍ରପାତ ହୋଇଛି। ଏହି ଆକ୍ରମଣ ଅନେକ ପ୍ରେମିକ-ପ୍ରେମିକା ଏବଂ ସ୍ବାମୀ-ସ୍ତ୍ରୀଙ୍କୁ ଅଲଗା କରିଦେଇଛି। ଏହାର ଏକ ଉଦାହରଣ ହେଉଛନ୍ତି ଇରିନା ଆବ୍ରାମୋଭା ଏବଂ ତାଙ୍କ ସ୍ବାମୀ ଓଲେ। ପ୍ରାୟ ୨୦ ବର୍ଷ ଧରି ସେମାନେ ସ୍ବାମୀ-ସ୍ତ୍ରୀ ଭାବେ ଅତି ଖୁସିରେ ଦାମ୍ପତ୍ୟ ଜୀବନ କଟାଉଥିଲେ। ଦୁହେଁ ପ୍ରେମ ବିବାହ କରିଥିଲେ। କିନ୍ତୁ ରୁଷ୍‌ର ଗୋଟିଏ ବୁଲେଟ୍‌ ସେମାନଙ୍କ ଜୀବନକୁ ଛାରଖାର କରିଦେଇଛି। ଇରିନା ତାଙ୍କ ସ୍ବାମୀ ଓଲେଙ୍କୁ ହରାଇ ଦେଇଛନ୍ତି। ଇରିନା କହିଛନ୍ତି, ସେ ମଧ୍ୟ ରୁଷ୍‌ ଗୁଳିମାଡ଼ରେ ମରିଯିବାକୁ ଚାହାନ୍ତି। ମାର୍ଚ୍ଚ ୫ ତାରିଖ ସକାଳେ ରୁଷ୍‌ ସୈନିକମାନେ ଓଲେଙ୍କୁ ଘରୁ ଉଠାଇ ନେଇ ରାସ୍ତା ଉପରେ ଗୁଳି କରି ହତ୍ୟା କରିଛନ୍ତି।
ୟୁକ୍ରେନର ଅନେକ ସହରକୁ ଋଷ ଛାରଖାର କରିସାରିଲାଣି । ମିଜାଇଲ୍ ମାଡରେ ମାରିଓପୋଲ, କିବ୍, ଓଡେଶା ଭଳି ସହର ପୂରା ଧ୍ୱସ୍ତ ବିଧ୍ୱସ୍ତ ହୋଇଗଲାଣି । ମିଜାଇଲ୍ ମାଡରେ ହଜାର ହଜାର ଲୋକଙ୍କ ଜୀବନ ଚାଲିଯାଉଥିବାର ଦୃଶ୍ୟ ଛାତି ଥରାଇଦେଉଥିବା ବେଳେ । ଋଷ ସେନା ଘରେ ପସି ଲୋକଙ୍କୁ ଗୁଳି କରି ହତ୍ୟା କରିବା ଘଟଣା ସାରା ବିଶ୍ୱବାସୀଙ୍କୁ ବିଚଳିତ କରିଦେଇଛି । ଲୋକେ ଜୀବନ ବଞ୍ଚାଇବା ପାଇଁ ସଂଘର୍ଷ କରୁଛନ୍ତି । ଖାଇବା ପାଇଁ ଖାଦ୍ୟ ଏବଂ ପିଇବା ପାଇଁ ପାଣି ବୁନ୍ଦାଏ ଠିକ୍ ଭାବରେ ମିଳୁନି । ଏହାରି ଭିତରେ ଋଷ ସୈନ୍ୟଙ୍କ ବର୍ବରତା ସାମ୍ନାକୁ ଆସୁଛି । ହାତ ଗୋଡ ବାନ୍ଧି ଲୋକଙ୍କୁ ଗୁଳି କରି ହତ୍ୟା କରୁଛନ୍ତି । ଏପରି ସ୍ଥିତି ଉପୁଜିଛି ଯେ, ଶବ ପୋତିବା ପାଇଁ ଯାଗା ମିଳୁନି । ଶବଙ୍କ ଦାବିଦାର କେହି ନାହାନ୍ତି । ରାସ୍ତାରେ ଶବ ସେମତି ପୋଡି ରହୁଛି । ଯୁଆଡେ ଦେଖିବ ଅଧା ପୋଡିଯାଇଥିବା ଶବ, ଗୁଳିମାଡରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଶବ ପଡିରହିଛି । ଏହିସବୁ ଦୃଶ୍ୟ ମନକୁ କଷ୍ଟ ଦେଉଥିଲେ ବି ଏହା ହିଁ ୟୁକ୍ରେନର ବାସ୍ତବ ଚିତ୍ର ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe