କନକ ବ୍ୟୁରୋ : ଏକବିଂଶ ଶତାବ୍ଦୀରେ ଏକପାଖିଆ ଯୁଦ୍ଧକରି କିମ୍ବା କାହାକୁ ଆକ୍ରମଣ କରି ଯୁଦ୍ଧ ଜିତିଯିବା ସେତେ ସହଜ ନୁହେଁ । ଋଷିଆ ଏବେ ସେହିଭଳି ଆହ୍ୱାନକୁ ସାମନା କରୁଛି । ୟୁକ୍ରେନର ସାଧାରଣ ଲୋକ ଏବେ ଧୀରେଧୀରେ ଲଢେଇ ପାଇଁ ପ୍ରସ୍ତୁତ ହେଉଥିବା ଦେଖିବାକୁ ମିଳୁଛି ।

Advertisment

ରାଷ୍ଟ୍ରପତି ଜେଲେନସ୍କି ସମସ୍ତଙ୍କୁ ଆତ୍ମରକ୍ଷା ପାଇଁ ଅସ୍ତ୍ର ଉଠାଇବାକୁ ଆହ୍ୱାନ ଦେବାପରେ ସାଧାରଣ ନାଗରିକ ଋଷିଆ ସେନା ଉପରେ ଆକ୍ରମଣ କରୁଥିବାର ଖବର ଆସୁଛି । ଫଳରେ ୟୁକ୍ରେନରେ ଋଷିଆ ସେନାଙ୍କୁ ଗରିଲା ଯୁଦ୍ଧର ସାମନା କରିବାକୁ ପଡୁଛି । ଗରିଲା ଯୁଦ୍ଧର ଅର୍ଥ ହେଉଛି ଅତର୍କିତ ଭାବେ କିମ୍ବା ହଠାତ ଲୁଚିଥିବା କିଛି ଲୋକ ଆକ୍ରମଣ କରିବା । ୟୁକ୍ରେନର ସାଧାରଣ ନାଗରିକ ବିଭିନ୍ନ ସ୍ଥାନରେ ଏମିତି ଲୁଚି ରହୁଛନ୍ତି ଏବଂ ହଠାତ ଋଷିଆ ସେନା ଉପରେ ଆକ୍ରମଣ କରିଦେଉଛନ୍ତି ।

ପୂର୍ବରୁ ୟୁକ୍ରେନରେ ଯେତେବେଳେ ଋଷିଆର ସଶସ୍ତ୍ର ବାହିନୀ ପ୍ରବେଶ କରୁଥିଲେ, ସେତେବେଳେ କିଛି ସ୍ଥାନୀୟ ଲୋକ ଋଷୀୟ ସେନାଙ୍କୁ ଗାଳି ଦେଉଥିବା ଦେଖିବାକୁ ମିଳିଥିଲା ଏବଂ ଜଣେ ସ୍ଥାନୀୟ ମହିଳା ଟ୍ୟାଙ୍କ ଆଗରେ ଆଂଠେଇ ପଡିଥିଲେ । କେଉଁଠି ବନ୍ଧୁୂକ ଧରି ରୁଷିଆ ସେନାଙ୍କ ଉପରେ ଆକ୍ରମଣ ହେଉଛି ତ ଆଉ କେଉଁଠି ଗାଳିଗୁଳଜ କରୁଛନ୍ତି ସ୍ଥାନୀୟ ଲୋକ । କେତେକ ସ୍ଥାନରେ ୟୁକ୍ରେନ ସେନାଙ୍କୁ ସ୍ଥାନୀୟ ଲୋକେ ପାଣି ଓ ଖାଇବା ପହଂଚାଇ ଦେଉଥିବା ଦେଖିବାକୁ ମିଳୁଛି ।