କନକ ବ୍ୟୁରୋ : ରୁଷ-ୟୁକ୍ରେନ୍ ଭିତରେ ଯୁଦ୍ଧକୁ ୪୧ ଦିନ ହୋଇ ସାରିଲାଣି । ଦୁଇ ଦେଶ ମଧ୍ୟରେ ଏବେ ବି ଶାନ୍ତି ପ୍ରତିଷ୍ଠା ପାଇଁ ବୁଝାମଣା ହୋଇପାରୁନାହିଁ । ରାଜଧାନୀ କିଭ୍ ଓ ଏହାର ଆଖ ପାଖ ଅଂଚଳରୁ ରୁଷୀୟ ସେନା ପଛକୁ ହଟିଛନ୍ତି ସତ ହେଲେ ୟୁକ୍ରେନ ଉପରେ ଆକ୍ରମଣ କରିବା ବନ୍ଦ ହୋଇନାହିଁ । ସୋମବାର ପୁଣି ଥରେ ୟୁକ୍ରେନ ଖାରକିଭ ସହରରେ ରକେଟ୍ ମାଡ କରିଛି ପୁଟିନ୍ ବାହିନୀ । ଏଥିରେ ୨ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

Advertisment

୪୧ଦିନରେ ୟୁକ୍ରେନ-ରୁଷିଆ ଯୁଦ୍ଧ । ପୁଣି ଖାରକିଭ ଉପରେ ରକେଟ୍ ମାଡ । ୟୁକ୍ରେନ-ରୁଷିଆ ମଧ୍ୟରେ ଯୁଦ୍ଧର ସ୍ଥିତି ଅତି ଭୟଙ୍କର ହେବାରେ ଲାଗିଛି । ରାଜଧାନୀ କିଭ ଓ ଏହାର ଆଖପାଖ ଅଞ୍ଚଳରୁ ରୁଷ ସେନା ପଛକୁ ହଟିବା ପରେ ସେଠାରୁ ଛାତିଥରା ଦୃଶ୍ୟ ସାରା ବିଶ୍ୱକୁ ଦୋହଲାଇ ଦେଇଛି । ରାସ୍ତାରେ ୟୁକ୍ରେନ ନାଗରିକଙ୍କ ମୃତ ଦେହ ଯେପରି ପଡିଛି ତାହା ପୁଟିନ୍ ବାହିନୀର ହିଂସାତ୍ମକ ଆଚରଣକୁ ବଖାଣିଛି । ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି ତାଙ୍କ ଦେଶରେ ରୁଷ ସେନା ନରସଂହାର କରିଛନ୍ତି । ଲୋକଙ୍କ ହାତ, ଗୋଡ ବାନ୍ଧି ପଛପଟୁ ଗୁଳି ମାରି ହତ୍ୟା କରାଯାଇଛି । ମାଆ, ସ୍ତ୍ରୀ ଓ ପିଲାଙ୍କ ଆଗରେ ଘରର ପୁରୁଷଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ରୁଷୀୟ ସେନା । ଯାହା ଭୟଙ୍କର ଅପରାଧ ବୋଲି ରାଷ୍ଟ୍ରପତି ଜେଲେନସ୍କି ଦାବି କରିଛନ୍ତି ।

ପାଶ୍ଚାତ୍ୟ ଦେଶ ଗୁଡିକର ରାଷ୍ଟ୍ରନେତାଙ୍କ ଉପରେ ନିଜ ରାଗ ଜାହିର କରିଛନ୍ତି ଜେଲେନସ୍କି । ସେ କହିଛନ୍ତି, “ରୁଷିଆ ବିରୋଧରେ ସେଭଳି କୌଣସି ଦୃଢ କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ଆମ ଦେଶର ନିରୀହ ସାଧାରଣ ଲୋକଙ୍କୁ ହତ୍ୟା କରାଯାଇଛି । ହାତ ଗୋଡ ବାନ୍ଧି ତାଙ୍କୁ ଗୁଳି ମରାଯାଇଛି । ମହିଳା, ଛୋଟ ପିଲା କାହାକୁ ବି ଛାଡି ନାହାଁନ୍ତି ସେମାନେ । ସେମାନେ ଆର୍ମି ନୁହଁନ୍ତି ସେମାନେ ସବୁ କ୍ରିମିନାଲ । ଯଦି ଆମକୁ ସୈନ୍ୟ ସହାୟତା ମିଳିଥାନ୍ତା ତାହାଲେ ହଜାର ହଜାର ଲୋକ ଆଜି ଜୀବିତ ଥାନ୍ତେ ।”

ବୁଚା ସହର ପରି ସୁମିରେ ଶହ ଶହ ସଂଖ୍ୟାରେ ସାଧାରଣ ନାଗରିକଙ୍କ ମୃତ ଦେହ ଉଦ୍ଧାର ହୋଇଛି । ମୃତ୍ୟୁ ପୂର୍ବରୁ ସେମାନଙ୍କୁ ନିର୍ଯାତନା ଦିଆଯାଇଥିବା ୟୁକ୍ରେନ ଅଭିଯୋଗ କରିଛି ।
- ରୁଷିଆ ଆକ୍ରମଣରେ ବର୍ତମାନ ସୁଦ୍ଧା ୧୬୫ ଜଣ ପିଲା ମୃତ୍ୟୁବରଣ କରିଥିବା ଏବଂ ୨୬୬ ପିଲା ଆହତ ହୋଇଥିବା ଅଭିଯୋଗ ହୋଇଛି
- ବୁଚା ନରସଂହାର ଘଟଣା ପରେ ଆମେରିକା ଜାତିସଂଘର ୟୁଏନଏଚଆରସିରୁ ରୁଷିଆକୁ ବାହାର କରିବାକୁ ଦାବି କରିଛି
- ଆମେରିକା, ୟୁକ୍ରେନକୁ ଚଳିତ ସପ୍ତାହ ଶେଷ ସୁଦ୍ଧା ୮୦ କୋଟି ଡଲାରର ଯୁଦ୍ଧ ସାମଗ୍ରୀ ପ୍ୟାକେଜ୍ ପଠାଇବାକୁ ଯାଉଛି
- ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ଙ୍କୁ ୱାର କ୍ରିମିନାଲ କହିବା ସହ ତାଙ୍କ ବିରୋଧରେ ମକଦ୍ଦମା ଚଳାଇବାକୁ ଦାବି କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ।

ଯୁଦ୍ଧର ଦିନ ଯେତିକି ଆଗକୁ ବଢୁଛି ସେତିକି ଭୟଙ୍କର ଚିତ୍ର ସାମ୍ନାକୁ ଆସୁଛି । ରାଜଧାନୀ କିଭ ଓ ଏହାର ଆଖପାଖ ଅଂଚଳରୁ ରୁଷ ସେନା ପଛକୁ ହଟିବା ପରେ ଅନେକ ଛାତିଥରା ଦୃଶ୍ୟ ଅନ୍ତର୍ଜାତୀୟ ସାମ୍ବାଦିକଙ୍କ ଦ୍ୱାରା କଏଦ ହୋଇଛି । ଏହି ଦୃଶ୍ୟକୁ ନେଇ ରୁଷିଆ ସେନା ଓ ରାଷ୍ଟ୍ରପତି ପୁଟିନଙ୍କ ବିରୋଧରେ ଏକ ପ୍ରାମାଣିକ ଚିତ୍ର ପ୍ରସ୍ତୁତ କରାଯିବ ଏବଂ ରୁଷିଆ ବିରୋଧରେ ୱାର କ୍ରାଇମ୍ ବା ଯୁଦ୍ଧ ସମୟରେ ଅପରାଧକୁ ନେଇ ପ୍ରମାଣ ରୂପେ ବ୍ୟବହାର କରାଯିବ ବୋଲି ସୂଚନା ମିଳିଛି ।