୪୦ ଦିନର ଯୁଦ୍ଧ ପରେ ୟୁକ୍ରେନରୁ ଆସିଲା ବିକଳ ଚିତ୍ର । ରୁଷ ସେନା ପଛକୁ ହଟିବା ପରେ ୟୁକ୍ରେନରୁ ମିଳୁଛି କୁଢ କୁଢ ଶବ ।

340

କନକ ବ୍ୟୁରୋ : ୪୦ ଦିନରେ ପହଞ୍ଚିଲା ୟୁକ୍ରେନ-ରୁଷିଆ ଯୁଦ୍ଧ । ରାଜଧାନୀ କିଭ୍ ଓ ଏହାର ଆଖପାଖ ଅଞ୍ଚଳରୁ ରୁଷ ସେନା ପଛକୁ ହଟିବା ପରେ ଏହି ଅଂଚଳକୁ ଖାଲି କରାଯାଇଛି । ଏହି ଭିତରେ ବେଶ ବିକଳ ଚିତ୍ର ସାମ୍ନାକୁ ଆସିଛି । ୟୁକ୍ରେନରେ ରାସ୍ତା ଉପରେ କୁଢ କୁଢ ଶବ ଦେଖିବାକୁ ମିଳିଛି । ଯାହା ରୁଷ ସେନାର ନରସଂହାର ନୀତିକୁ ବଖାଣିଛି । ସେପଟେ ୟୁକ୍ରେନର ଏଭଳି ଦାବିକୁ କ୍ରେମଲିନ୍ ପ୍ରତ୍ୟାଖାନ କରିଛି । ସାଧାରଣ ନାଗରିକଙ୍କ ଉପରେ ରୁଷୀୟ ସେନା ଆକ୍ରମଣ କରି ନଥିବା ମସ୍କୋ ପକ୍ଷରୁ କୁହାଯାଇଛି ।

ପଛକୁ ହଟୁଛି ରୁଷ ସେନା । ସାମ୍ନାକୁ ଆସୁଛି ଯୁଦ୍ଧର ବିକଳ ଚିତ୍ର । ରୁଷିଆ ଓ ୟୁକ୍ରେନ ମଧ୍ୟରେ ଗତ ସପ୍ତାହରେ ହୋଇଥିବା ୪ର୍ଥ ଶାନ୍ତି ବୈଠକ ପରେ ରାଜଧାନୀ କିଭ ଓ ଏହାର ଆଖପାଖ ଅଞ୍ଚଳରୁ ପଛକୁ ହଟିଛି ରୁଷ ସେନା । ପୁଟିନ୍ ବାହିନୀ ଯେତିକି ପଛକୁ ହଟୁଛି, ୟୁକ୍ରେନରୁ ସେତିକି ବିକଳ ଚିତ୍ର ସାମ୍ନାକୁ ଆସୁଛି । ପୋଡାଜଳା ସାମଗ୍ରୀ, ଧ୍ୱଂସ ବିଧ୍ୱଂସ ଘର ଏବଂ ରାସ୍ତା ଉପରେ ଗଦା ଗଦା ମୃତଦେହ ଯୁଦ୍ଧର କରୁଣ କାହାଣୀ ବଖାଣିଛି । କିଭ ନିକଟରେ ଥିବା ବୁଚା ସହରରେ ୪ଶହରୁ ଅଧିକ ମୃତ ଦେହ ମିଳିସାରିଲାଣି । ଆଉ ଏହାପରେ ୟୁକ୍ରେନ, ରୁଷିଆ ସେନା ଉପରେ ନରସଂହାରର ଅଭିଯୋଗ କରିଛି । ସେପଟେ ମିଳିତ ଜାତିସଂଘର ସୂଚନା ଅନୁସାରେ ୟୁକ୍ରେନରେ ବର୍ତମାନ ସୁଦ୍ଧା ୧,୪୧୭ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି ଏବଂ ୨,୦୩୮ଜଣ ଆହତ ହୋଇଛନ୍ତି ।

ଏହା ବହୁତ କଷ୍ଟକର ଏଭଳି ଦୃଶ୍ୟକୁ ବଖାଣିବା..ନିକଟରେ ରୁଷ ସେନା ପଛକୁ ହଟିବା ପରେ ବୁଚା, ହସ୍ତାମଲରୁ ହୃଦୟ ବିଦାରକ ଚିତ୍ର ଦେଖିବାକୁ ମିଳିଛି । ରାସ୍ତାରେ ଲୋକଙ୍କ ମୃତ ଦେହ ପଡିରହିଛି । ଅନେକ ଲୋକଙ୍କ ହାତ, ଗୋଡ ବନ୍ଧା ହୋଇ ତାଙ୍କୁ ଗୁଳି ମରାଯାଇଥିବା ବି ଦେଖିବାକୁ ମିଳିଛି । ସେମାନେ ସାଧାରଣ ନାଗରିକ ବୋଲି ସ୍ପଷ୍ଟ ହୋଇଛି । ଅଧା ପୋଡା ଶବ ମଧ୍ୟ ଦେଖିବାକୁ ମିଳିଛି, ତରବରିଆ ଭାବେ ପ୍ରମାଣ ନଷ୍ଟ କରିବାର ଉଦ୍ୟମ କରାଯାଇଛି.. ହେଲେ ତାହା ସେମାନେ ସଠିକ୍ ଭାବେ କରି ପାରିନାହାନ୍ତି ।

ଚର୍ଚ୍ଚରେ ଖୋଳାଗଲା ୪୫ଫୁଟ ଲମ୍ବା କବର । ଦିଆଗଲା ୪୦୦ ଲୋକଙ୍କୁ ସାମୂହିକ ସମାଧି । ରୁଷ ସେନା ପଛକୁ ହଟିବା ପରେ ୟୁକ୍ରେନ ସହରର ଦୃଶ୍ୟ ବେଶ ହୃଦୟ ବିଦାରକ ରହିଛି । ଅନେକ ମାଆ ମାନେ ନିଜ ପୁଅଙ୍କୁ ହରାଇ ବିକଳରେ କାନ୍ଦୁଛନ୍ତି । ଆଖି ଆଗରେ ପୁଟିନ୍ ବାହିନୀ ପୁଅକୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ମାଆମାନେ । ସେପଟେ ବୁଚା ସହରରେ ରାସ୍ତାରେ ପଡି ରହିଥିବା ମୃତଦେହଗୁଡିକ ସମୂହ କବର ଦେବାର ବ୍ୟବସ୍ଥା କରିଛନ୍ତି କିଭ୍ ମେୟର ଭିଟାଲି କ୍ଲିସ୍କୋ । ବୁଚାରେ ଥିବା ଚର୍ଚ୍ଚର କବରିସ୍ତାନରେ ୪୫ ଫୁଟ ଲମ୍ବା ଗାତ ଖୋଳାଯାଇ ୪ଶହ ଜଣଙ୍କୁ ସମୂହ ସମାଧି ଦିଆଯାଇଛି ।

ୟୁକ୍ରେନରେ ନରସଂହାର କରିଥିବା ରୁଷ ସେନା ଉପରେ ଅଭିଯୋଗ କରିଛନ୍ତି ରାଷ୍ଟ୍ରପତି ଜେଲେନସ୍କି । ଆଉ ରୁଷିଆ ରାଷ୍ଟ୍ରପତିଙ୍କ ବିରୋଧରେ ଯୁଦ୍ଧ ବିରୋଧୀ ହିଂସା ନେଇ ମାମଲା ତୀବ୍ର କରିବାକୁ ଅପିଲ କରିଛନ୍ତି । ସେପଟେ ରୁଷୀୟ ସେନାର ଦମନଲୀଳାକୁ ପ୍ରତ୍ୟାଖାନ କରିଛି କ୍ରେମଲିନ୍ । ରୁଷ ସେନା ସାଧାରଣ ନାଗରିକଙ୍କୁ ହତ୍ୟା କରିନଥିବା ମସ୍କୋ ପକ୍ଷରୁ କୁହାଯାଇଛି ।